ଭୋଗିପାରନ୍ତି ଜେଲ, ଗଣିପାରନ୍ତି ଜରିମାନା

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏସ୍‌ଓପି …

ଭୁବନେଶ୍ୱର: ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏସ୍‌ଓପି ଜାରି କରିଛନ୍ତି। ଏଣିକି ଜନଗଣନା ଅଧିକାରୀଙ୍କ ସହିତ ଥଟା ମଜା ବି ମହଙ୍ଗା ପଡ଼ିପାରେ। ଜନଗଣନା କର୍ମଚାରୀଙ୍କୁ ଖରାପ ବ୍ୟବହାର କଲେ ଜେଲ୍‌ ଓ ଜୋରିମାନା, ଦୁଇଟି ଭିନ୍ନ ଭିନ୍ନ ପ୍ରକାର ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ବା ଏସଓପି ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ଜନଗଣନା କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ ଓ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଏହି ଝଙଚ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି ହୋଇଛି।
ଜନଗଣନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି। ଦୁର୍ବ୍ୟବହାରକାରୀଙ୍କୁ ଉଭୟ ଜେଲ୍‌ ଓ ଜୋରିମାନା ଭୋଗିବାକୁ ପଡିବ। ଏହା ସହିତ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖିବା ନିମନ୍ତେ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଫିଲଡରେ କାମ କରୁଥିବା ଜନଗଣନା (ଉରଦ୍ଭଗ୍ଦଙ୍କଗ୍ଦ) କର୍ମଚାରୀମାନଙ୍କୁ ଓଆରଏସ୍‌ ଓ ପାନୀୟ ଜଳ ଭଳି ପ୍ରାଥମିକ ଆବଶ୍ୟକତାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି କି ନାହିଁ ତାହା ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଅଂଶୁଘାତ ଏଡାଇବା ପାଇଁ ସମସ୍ତ ପ୍ରକାରର ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀଙ୍କ ଦ୍ୱାରା ଜନଗଣନା କାର୍ଯ୍ୟ ପାଇଁ ଜାରି ଏସଓପିକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୁଲିସ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଜନଗଣନା କର୍ମଚାରୀଙ୍କ ସୁରକ୍ଷା, ନିରାପତା ଓ ସୁବିଧାକୁ ନେଇ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସ୍ପଷ୍ଟ କରିଛନ୍ତି।
କ’ଣ ରହିଛି ଏସଓପି

ସରକାରଙ୍କ ଦ୍ୱାରା ଜାରି ଏହି ଏସଓପି ଅନୁଯାୟୀ, କର୍ମଚାରୀମାନେ ନିଜର ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ସର୍ବଦା ପାଖରେ ରଖିବେ। ସମ୍ବେଦନଶୀଳ ଅଂଚଳରେ ପୁଲିସ ସୁରକ୍ଷା ମଧ୍ୟରେ ତଥ୍ୟ ସଂଗ୍ରହ କରାଯିବ ଓ କୌଣସି ପ୍ରକାର ଉତେଜନାମୂଳକ ପରିସ୍ଥିତି ଦେଖାଦେଲେ ଯୁକ୍ତିତର୍କ ନକରି ତୁରନ୍ତ ଫେରି ଆସିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ସମ୍ବେଦନଶୀଳ ଅଂଚଳରେ ଜନଗଣନା କର୍ମଚାରୀ ଓ ସୁପରଭାଇଜରଙ୍କ ସହ ଜଣେ ପୁଲିସ କର୍ମୀ ମଧ୍ୟ ରହିବେ। ଏସବୁ ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀ ସୁନିଶ୍ଚିତ କରାଇବେ। ଜନଗଣନା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ କମ୍ୟୁନିଟି ଲିଡରଙ୍କ ସହ ଜନଗଣନା କର୍ମଚାରୀ ଯୋଗାଯୋଗ କରି ସେମାନଙ୍କର ଉପସ୍ଥିତି ଓ ସହଯୋଗ ମଧ୍ୟ ଲୋଡିବେ। ଏପରିକି ସମ୍ବେଦନଶୀଳ ସ୍ଥାନରେ ଜନଗଣନା କର୍ମଚାରୀମାନେ ଯୋଡି ହୋଇ କାର୍ଯ୍ୟ କରିବେ ଓ ସୁପରଭାଇଜର ପ୍ରତି ଘଂଟାରେ ସେମାନଙ୍କ ସ୍ଥିତି ଯାଂଚ କରିବେ। ସ୍ଥାନୀୟ ପ୍ରଶାସନ ଓ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଅଭିଯାନକୁ ମଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଦୁର୍ବ୍ୟବହାର କଲେ ୩ ବର୍ଷ ଜେଲ୍‌ ଓ ଜରିମାନା

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଓ ନିରାପତା ପାଇଁ ଜାରି ଏସଓପିରେ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଯେଉଁମାନେ ସରକାରୀ କାର୍ଯ୍ୟ (ଜନଗଣନା)ରେ ବାଧା ସୃଷ୍ଟି କରୁଛନ୍ତି କିମ୍ବା ଶିକ୍ଷକ ଓ ଅନ୍ୟ ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ଜନଗଣନା ଆଇନ-୧୯୪୮ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଏପଟେ ଜନଗଣନା କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ କଡା ଭାଷାରେ ନିିନ୍ଦା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କାମାକ୍ଷାନଗରରେ ଜନଗଣନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଛି।
ତଥ୍ୟ ସଂଗ୍ରହ ପାଇଁ ଘରକୁ ଯାଉଥିବା ଜନଗଣନା କର୍ମଚାରୀମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ବୃହତ ଅଭିଯାନରେ ୩୧୨ ଜଣ ଇନଚାର୍ଜ ଅଫିସରଙ୍କ ସମେତ ପ୍ରାୟ ଏକ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି, ଯେଉଁଥିରେ ଅଧିକାଂଶ ସ୍କୁଲ ଶିକ୍ଷକ ଅଛନ୍ତି।