ବାଧିବ ଆପାର୍ଟମେଂଟ୍‌ କିଣା: ବଢ଼ିଲା ଷ୍ଟାମ୍ପ ଦେୟ ୨%

ରାଜ୍ୟରେ ଆପାର୍ଟମେଂଟ୍‌ କିଣିବା ବେଳେ ପୂର୍ବରୁ ….

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଂଟ୍‌ କିଣିବା ବେଳେ ପୂର୍ବରୁ ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍‌ ଯଥା ୩%, ୪%, ୫% ଷ୍ଟାମ୍ପ ଦେୟ ଆଦାୟ ହେଉଥିଲା। ଏଣିକି ସମସ୍ତଙ୍କଠାରୁ ୫% ଷ୍ଟାମ୍ପ ଦେୟ ଆଦାୟ ହେବ। ଏହାବାଦ୍‌ ରେଜିଷ୍‌ଟ୍ରେସନ୍‌ ଫି’ ବାବଦକୁ ଯେପରି ଯେଉଁ ବର୍ଗଠାରୁ ୧% ବା ୨% ଆଦାୟ ହେଉଥିଲା ଏବେ ସେମିତି ହେବ।
ବୁଧବାର ରାଜ୍ୟ କ୍ୟାବିନେଟ୍‌ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛି। ଏହି ନିଷ୍ପତି ଦ୍ୱାରା ଏବେ ଆପାର୍ଟମେଂଟ୍‌ କିଣା ମହଙ୍ଗା ହୋଇଯିବ।

ପୂର୍ବରୁ ରାଜ୍ୟରେ ୫ ଲକ୍ଷ ପର୍ଯ୍ୟନ୍ତ ଆପାର୍ଟମେଂଟ୍‌ କିଣିଲେ ଷ୍ଟାମ୍ପ ଦେୟ ବାବଦକୁ ୩% ଦେବାକୁ ପଡୁଥିଲା। ୫ରୁ ୧୫ ଲକ୍ଷ ଭିତରେ ଆପାର୍ଟମେଂଟ୍‌ ମୂଲ୍ୟ ଥିଲେ ଷ୍ଟାମ୍ପ ଦେୟ ୪% ଥିଲା ଏବଂ ୧୫ ଲକ୍ଷରୁ ଅଧିକ ଥିଲେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା। ଏବେ ଯେତେ ମୂଲ୍ୟର ଆପାର୍ଟମେଂଟ୍‌ କିଣିଲେ ବି ୫% ଷ୍ଟାମ୍ପ ଦେୟ ଏବଂ ଏହାବାଦ୍‌ ରେଜିଷ୍‌ଟ୍ରେସନ୍‌ ଫି’ ଦେବାକୁ ପଡିବ।

ରାଜସ୍ୱ ବିଭାଗର ଯୁକ୍ତି ହେଉଛି, ରାଜ୍ୟରେ ଆଉ କୌଣସି ସ୍ଥାନରେ ୧୫ ଲକ୍ଷରୁ କମ୍‌ ମୂଲ୍ୟରେ ଫ୍ଲାଟ୍‌ ବିକ୍ରି ହେଉନି। ତେଣୁ ବହୁ ପୂର୍ବରୁ ଥିବା ନିୟମକୁ ହଟାଇ ଦିଆଗଲା। ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଗରିବ ଲୋକମାନେ ଭୁବନେଶ୍ୱରରୁ ଦୂରରେ କିମ୍ବା ଅନ୍ୟ ସହରରେ ୧ ବିଏଚ୍‌କେ ଘର କିଣୁଥିଲେ ସେମାନେ ଏହି ମୂଲ୍ୟରେ ଘର ପାଉଥିଲେ। ଏବେ ପ୍ରଭାବିତ ହେବେ।

ସବୁଠୁ ଅଧିକ ପ୍ରଭାବିତ ହେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁଲଭ ମୂଲ୍ୟରେ ଗୃହ ଯୋଗାଣ ଯୋଜନାରେ (ପିଏମ୍‌-ଆବାସ ଏବଂ ଅନ୍ୟାନ୍ୟ ଯୋଜନାରେ) ଯେଉଁମାନେ ଆପାର୍ଟମେଂଟ୍‌ କିଣୁଥିଲେ ସେମାନଙ୍କୁ ଅଢେ଼ଇ ଲକ୍ଷ ଟଙ୍କାରେ ଘର ମିଳୁଥିବାବେଳେ ତାହା ଉପରେ ଏବେ ଅଧିକ ୨% ଅର୍ଥାତ୍‌ ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ ହେବ।
ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି, ବିଭିନ୍ନ ରାଜ୍ୟରେ ଲୋକ ଯେପରି କମ୍‌ ମୂଲ୍ୟର ଘର କମ୍‌ ଦାମ୍‌ରେ କିଣିବେ ସେଥିପାଇଁ ଷ୍ଟାମ୍ପ ଦେୟ ଉପରେ ରିହାତି ଥିବାବେଳେ ଓଡିଶା ସରକାର ପୂର୍ବ ବ୍ୟବସ୍ଥାକୁ ସୁଧାରିବା ବଦଳରେ ଏବେ ଗରିବଙ୍କଠାରୁ ଅଧିକ ରାଜସ୍ୱ ଆଦାୟ ବ୍ୟବସ୍ଥା କରିଛନ୍ତି। କର୍ଣ୍ଣାଟକରେ ୨୦ ଲକ୍ଷରୁ କମ୍‌ ମୂଲ୍ୟର ଆପାର୍ଟମେଂଟ୍‌ କିଣିଲେ ଲୋକଙ୍କୁ ୨% ଷ୍ଟାମ୍ପ ଦେୟ, ୨୦ ଲକ୍ଷରୁ ୪୫ ଲକ୍ଷ ଭିତରେ ଆପାର୍ଟମେଂଟ୍‌ ପାଇଁ ୩% ଷ୍ଟାମ୍ପ ଦେୟ ଏବଂ ୪୫ ଲକ୍ଷରୁ ଅଧିକ ଆପାର୍ଟମେଂଟ୍‌ ଉପରେ ୫% ଷ୍ଟାମ୍ପ ଦେୟ ଆଦାୟ ହେଉଛି। ଏହାବାଦ୍‌ ରେଜିଷ୍‌ଟ୍ରେସନ୍‌ ଫି’ ମାତ୍ର ୧% ରହିଛି।

ଅଧିକାଂଶ ରାଜ୍ୟରେ ରେଜିଷ୍‌ଟ୍ରେସନ୍‌ ମୂଲ୍ୟ ୧% କିମ୍ବା ଏକ ଧାର୍ଯ୍ୟ ମୂଲ୍ୟ ଥିବାବେଳେ ଓଡିଶାରେ ୨% ରହିଛି। ଯେଉଁଥିପାଇଁ ଓଡିଶାରେ ଆପାର୍ଟମେଂଟ୍‌ ମହଙ୍ଗା ହେଉଛି ଏବଂ ଦୀର୍ଘ ବର୍ଷ ଧରି ଖାଲି ପଡୁଛି। ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଲଭ ମୂଲ୍ୟରେ ଗୃହ ଯୋଜନାରେ ଯେଉଁମାନେ ଆପାର୍ଟମେଂଟ୍‌ କିଣୁଛନ୍ତି ସେମାନଙ୍କ ପାଇଁ ଷ୍ଟାମ୍ପ ଦେୟ ଧାର୍ଯ୍ୟ କରିବାକୁ ବିଚାର ଚାଲିଛି। ଏନେଇ ନଗର ଉନ୍ନୟନ ବିଭାଗ ଚୂଡାନ୍ତ ନିଷ୍ପତି ନେବ।