ଠିକା କର୍ମଚାରୀଙ୍କ ବଳରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

ଠିକାରେ ଚାଲିଛି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ….

ଭୁବନେଶ୍ୱର: ଠିକାରେ ଚାଲିଛି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ୯୦ ପ୍ରତିଶତ ପଦବି ଖାଲିପଡିଛି। ସବୁ ଚାପ ଏବେ ଫାର୍ମାସୀ ଅଫିସରଙ୍କ ଉପରେ। ନର୍ସିଂ ଅଫିସର, ସପୋର୍ଟିଂ ଷ୍ଟାଫ୍‌ ନଥିବାରୁ ସମସ୍ୟା ସହୁଛନ୍ତି ଫାର୍ମାସୀ ଅଫିସର।ବାରମ୍ବାର ଦାବି ହେଉଛି, ତୁରନ୍ତ କର୍ମଚାରୀ ଦିଅ। ଯେଉଁମାନେ ଠିକାରେ ଅଛନ୍ତି, ସେମାନଙ୍କୁ ନିୟମିତ କରିବାକୁ ଦାବି ରହୁଛି। ମାତ୍ର ସରକାର ନିଦା ବିଷ୍ଣୁ ପାଲଟିଛନ୍ତି।ଏବେ ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ରୋଗୀ ଆସୁଛନ୍ତି ସତ, ହେଲେ ନିରାଶରେ ଫେରୁଛନ୍ତି। ଠିକା କର୍ମଚାରୀଙ୍କ ଉପରେ ରୋଗୀମାନେ ଭରସା କରି ପାରୁନାହାନ୍ତି।

ରାଜ୍ୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଭଳି ସହରରେ ମୋଟ ୧୦୨୯ଟି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରହିଛି। ଏହି ସ୍ୱାସ୍ଥ୍ୟାନୁଷ୍ଠାନରେ ଆଶ୍ଚର୍ଯ୍ୟଜନକ ଭାବରେ ୧୮୯୪୫ଟି ନର୍ସିଂ ଅଫିସର, ୨୬୪୪ ଫାର୍ମାସୀ ଅଫିସର, ୧୨୮୩ ମେଡିକାଲ ଲ୍ୟାବ୍‌ ଟେକ୍ନିସିଆନ୍‌ ଓ ଆକାଉଂଟାଂଟ୍‌, ଡାଟା ଏଂଟ୍ରି ଅପରେଟର ନାହାନ୍ତି। ମାତ୍ର ୧୦୦୦ ଫାର୍ମାସୀ ଅଫିସର, ନର୍ସିଂ ଅଫିସର ଓ ସପୋର୍ଟିଂ ଷ୍ଟାଫ୍‌ରେ ହସ୍ପିଟାଲ ଚାଲିଛି। ଯେଉଁଠି ପ୍ରତିଦିନ ୧୫୦ ରୋଗୀ ଡାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି, ସେଠାରେ ମାତ୍ର ଜଣେ ସେମାନଙ୍କ ଦେଖାଶୁଣା କରୁଛି। ସେଥିପାଇଁ ବିଭିନ୍ନ ସମୟରେ ରୋଗୀମାନେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥାନ୍ତି।

ପୂର୍ବରୁ ଏଠାରେ କାର୍ଯ୍ୟରତ ଡାଟା ଏଂଟ୍ରି ଅପରେଟର ଓ ଏଲ୍‌ଟି (ଲ୍ୟାବ ଟେକ୍ନିସିଆନ)ଙ୍କ ପଦବିକୁ ଉଚ୍ଛେଦ କରାଯାଇଥିଲା। ଏହି ପଦବି ଯିବା ପରେ ଏବେ ନର୍ସିଂ ଅଫିସର ଓ ଫାମାର୍ସି ଅଫିସରଙ୍କ ଉପରେ ରୋଗୀ ସେବା ସହ ଅନ୍ୟ ପରିଚାଳନା ଚାପ ପଡୁଛି। ଯାହାକୁ ନେଇ ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏମ୍ପ୍ଲଇଜ୍‌ ଆସୋସିଏସନ ଗଭୀର ଚିନ୍ତା ପ୍ରକାଶ କରିଛି।

ଆସୋସିଏସନର ସଭାପତି ସତ୍ୟରଞ୍ଜନ ବେହେରା କହିଛନ୍ତି, ନିର୍ବାଚନ, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା, ଆଭା କ୍ରିଏଟ, ଇ-ସଞ୍ଜିବନୀ, ପୁରୀ ରଥଯାତ୍ରା ବେଳେ ସରକାର ଆମକୁ ନିୟୋଜିତ କରୁଛନ୍ତି। ସ୍ୱାସ୍ଥ୍ୟ ଶିବିର ବି ଆମେ କରୁଛୁ। ହେଲେ ଆମକୁ ରାଜ୍ୟ ସରକାର ନିୟମିତ କରୁନାହାନ୍ତି।
ତୁରନ୍ତ ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରନ୍ତୁ ନଚେତ୍‌ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍‌) ପ୍ରକଳ୍ପ ଅଧୀନରେ ରଖନ୍ତୁ, ପଦବି ସଂଖ୍ୟା ପୂରଣ କରନ୍ତୁ ବୋଲି ଦାବି ହୋଇଛି। ଯଦି ସରକାର ଦାବି ନମାନିବେ, ଆମେ କାମ ବନ୍ଦ କରିଦେବୁ ବୋଲି ଆସୋସିଏସନର କର୍ମକର୍ତାମାନେ ଚେତାବନୀ ଦେଇଛନ୍ତି। ଆସୋସିଏସନ୍‌ ପକ୍ଷରୁ ଏକ ଛଅ ଜଣିଆ କମିଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାଂସଦ ମଧ୍ୟ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି, ତୁରନ୍ତ ଏହି ହସ୍ପିଟାଲ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।