ଅନୁଗୁଳ ଚାଷୀଙ୍କ କ୍ଷତକୁ ବିଷାକ୍ତ କରୁଛି ‘ଅନୁକମ୍ପା’ ମଲମ

ଗାଁରେ ଉତ୍ପାତ କରୁଥିବା ହାତୀପଲ ଆଉ ଜଙ୍ଗଲକୁ ଯିବାକୁ ନାରାଜ। ….

ଅନୁଗୁଳ: ଗାଁରେ ଉତ୍ପାତ କରୁଥିବା ହାତୀପଲ ଆଉ ଜଙ୍ଗଲକୁ ଯିବାକୁ ନାରାଜ। ଜନବସତିରେ ଦାଦାଗିରି କରିବା ଏବେ ହାତୀପଲଙ୍କର ରୀତିମତ ବେଉସା ହୋଇଚି। ଘର ଭିତରୁ ଧାନବସ୍ତା ଟାଣିନେବା, ଜଙ୍ଗଲରେ ଲୋକଙ୍କୁ ଦେଖି ମାରିବାକୁ ଉଦ୍ୟମ କରିବା, ଶୁଣ୍ଢରେ ଘରକାନ୍ଥ ଭାଙ୍ଗିବା ନିତିଦିନିଆ କାମ ହୋଇଛି।

ଗଁାଁରେ ହାତୀପଲକୁ ଭୟ, ସହରାଂଚଳରେ ବୁଲଡୋଜରକୁ ଭୟ। ଗରିବ ଅସହାୟ ଲୋକଟିଏ କୋଉଠି ମୁଣ୍ଡ ଗୁଞ୍ଜିବ, ଖାଇବ କ’ଣ? ଯଦିଓ ଅନୁଗୁଳ ବନ ବିଭାଗ ହାତୀ-ମଣିଷ ବିବାଦ ହ୍ରାସ କରିବାକୁ ବହୁ ପ୍ରଭାବୀ ପଦକ୍ଷେପ ହାତକୁ ନେଇଛି, ତଥାପି ହାତୀ ଉପଦ୍ରବ ରୋକା ଯାଇପାରୁନି। ଗତ ୩ ବର୍ଷରେ ହାତୀପଲ ଅନୁଗୁଳ ବନଖଣ୍ଡର ପ୍ରାୟ ୮ ହଜାର ଏକର ଚାଷ ଜମି ଉଜାଡି ଦେଇଛନ୍ତି। ପାଦରେ ଦଳିମକଚି ଚାଷୀର ଝାଳବୁହା ପରିଶ୍ରମକୁ ଛାର୍‌ଖାର୍‌ କରିଛନ୍ତି। ଯଦିଓ ସରକାର ଫସଲ ହାନି ବାବଦକୁ କ୍ଷତିପୂରଣ ପ୍ରଦାନ କରୁଛନ୍ତି, ଏହି ଅନୁକମ୍ପା ରାଶି କିନ୍ତୁ ଉଜୁଡ଼ା ଫସଲକୁ ଦେଖି ହିଡମୁଣ୍ଡରେ କାନ୍ଦୁଥିବା ଚାଷୀର ଲୁହକୁ ଶୁଖାଇପାରୁନି।

ଅନୁଗୁଳ ବନଖଣ୍ଡରେ ବର୍ଷତମାମ୍‌ ୧୦୦ରୁ ଊର୍ଦ୍ଧ୍ୱ ହାତୀଙ୍କ ଚଳପ୍ରଚଳ ରହିଛି। ଜନବସତିରେ ସୁବିଧାରେ ସୁଆଦିଆ ଖାଦ୍ୟ ମିଳୁଥିବାରୁ ହାତୀପଲ ଜଙ୍ଗଲକୁ ଆଉ ଫେରୁନାହାନ୍ତି। ପାଚିଲା ଧାନ, ଆମ୍ବ, ପଣସ, ତାଳ, ବାଉଁଶ ଗଛ ଖାଇବାକୁ ଏ ଗାଁ’ରୁ ସେ ଗାଁ’କୁ ଘୁରି ବୁଲୁଛନ୍ତି। ଗତବର୍ଷ ହାତୀପଲ ବଅଁରପାଳ ବ୍ଲକର ତୁଳସୀପାଳ ଠାରୁ ସନ୍ତ୍ରୀ, ଆଙ୍କୁଲା, ବେନ୍ତପୁର, କାଙ୍ଗୁଲା, ଫୁଲପଡା ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ। ହାତୀଙ୍କ ଚଳପ୍ରଚଳ ମଧ୍ୟରେ ଦୁଇ ବର୍ଷ ହେଲା ହାତୀ ଉପଦ୍ରବ ବହୁମାତ୍ରାରେ କମିଛି। ଚାଷୀ ‘ଅନୁକମ୍ପା’ ଆପ୍‌ ଜରିଆରେ ଆବେଦନ କରିବା ମାତ୍ରେ ତ୍ୱରିତ ବେଗରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି।

ସରକାରୀ ତଥ୍ୟ ମୁତାବକ, ୨୦୨୩- ୨୪ ମସିହାରେ ଅନୁଗୁଳ ବନଖଣ୍ଡର ମୋଟ୍‌ ୨ ହଜାର ୯୩୯ ଏକର ଜମିରେ ଫସଲ ଉଜାଡିଥିଲେ ହାତୀପଲ। ଏହି ବାବଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୩ କୋଟି ୭୭ ଲକ୍ଷ ୨୯ ହଜାର ୩୭୧ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୨୦୨୪-୨୫ ମସିହାରେ ହାତୀପଲ ୩୦୫୩ ଏକର ଚାଷ ଜମି ନଷ୍ଟ କରିଥିବା ବେଳେ ଚାଷୀଙ୍କୁ ୬ କୋଟି ୪୮ ଲକ୍ଷ ୪୩ ହଜାର ୧୨୬ ଟଙ୍କା ଦିଆଯାଇଛି। ୨୦-୨୫- ୨୬ ବର୍ଷରେ ହାତୀ ପାଦ ତଳେ ୨ ହଜାର ୨୦୮ ଏକର ଫସଲ ଉଜୁଡିଛି।

କ୍ଷତିପୂରଣ ବାବଦକୁ ୬ କୋଟି ୨୦ ଲକ୍ଷ ୧୪ ହଜାର ୩୮୫ ଟଙ୍କା ପ୍ରଦାନ କରାଯାଇଛି। ଗତ ୩ ବର୍ଷରେ ହାତୀ ଆକ୍ରମଣରେ ୨୬ଟି ଗୋରୁଙ୍କ ଜୀବନ ଯାଇଛି। ୨୦୨୩-୨୪ରେ ୧୨ଟି ଗୋରୁ ମୃତ୍ୟୁ ବାବଦରେ ୨ ଲକ୍ଷ ୯୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି। ସେହିପରେ ୨୦୨୪- ୨୫ରେ ୮ଟି ଗୋରୁ ମୃତ୍ୟୁ ବାବଦରେ ୭୦ ହଜାର ୫୦୦ ଟଙ୍କା ଓ ୨୦୨୫-୨୬ରେ ୬ଟି ଗୋରୁ ମୃତ୍ୟୁ ବାବଦରେ ୩ ଲକ୍ଷ ୪ ହଜାର ୫୦୦ ଟଙ୍କା କ୍ଷତିପୂରଣ ରାଶି ମିଳିଛି। ହାତୀପଲଙ୍କ ଉତ୍ପାତରେ ଗତ ୩ ବର୍ଷରେ ୧୩୫ଟି ଘର ଭାଙ୍ଗିଛି। ୨୦୨୩-୨୪ ମସିହାରେ ହାତୀପଲ ୭୨ଟି ଘର ଭାଙ୍ଗିଥିଲେ। ଏହି ବାବଦରେ ୭ ଲକ୍ଷ ୧୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି। ସେହିପରି ୨୦୨୪- ୨୫ ମସିହାରେ ୪୧ଟି ଘର ଭାଙ୍ଗିଥିବା ବେଳେ ୬ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୨୫-୨୫ ବର୍ଷରେ ହାତୀ ଉପଦ୍ରବ ବହୁମାତ୍ରାରେ ଖସିଛି। ଏହିବର୍ଷ ହାତୀ ୨୨ଟି ଘର ଭାଙ୍ଗିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ୪ ଲକ୍ଷ ୩୬ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏ ନେଇ ଅନୁଗୁଳ ବନଖଣ୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହାତୀମଣିଷ ବିବାଦ ହ୍ରାସ ପାଇଁ ବିଭିନ୍ନ ପଦକ୍ଷେପ ସାଙ୍ଗକୁ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ‘ଅନୁକମ୍ପା’ ଆପ୍‌ରେ କ୍ଷତିଗ୍ରସ୍ତ ଚାଷୀ ଆବେଦନ କରିବା ପରେ ତ୍ୱରିତ ପଦକ୍ଷେପ ନେଇ କ୍ଷତିପୂରଣ ଦିଆଯାଉଛି। ହାତୀପଲ ଅଧିକ କ୍ଷତି ଘଟାଉଥିବା ଗାଁ’ମାନଙ୍କରେ ସ୍ୱତନ୍ତ୍ର ‘ଅନୁକମ୍ପା’ କ୍ୟାମ୍ପ୍‌ କରାଯାଉଥିବା ସେ ପ୍ରକାଶ କରିଛନ୍ତି।