ଏଆଇ, ଅଟୋମେସନ୍‌ କୁପ୍ରଭାବ: ଘରୋଇ ବ୍ୟାଙ୍କରେ କର୍ମଚାରୀ ଛଟେଇ

ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗ୍ରାହକମାନଙ୍କ ହାତପାଆନ୍ତାରେ …..

ମୁମ୍ବାଇ: ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗ୍ରାହକମାନଙ୍କ ହାତପାଆନ୍ତାରେ ବ୍ୟାଙ୍କ ସେବା ପହଂଚାଇବାକୁ ବ୍ୟାଙ୍କଗୁଡିକ ବିପୁଳ ନିବେଶ କରୁଛନ୍ତି। ସେଥିରେ ସେମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି। ବ୍ୟାଙ୍କର ଉତ୍ପାଦକତା ବଢ଼ିବା ସହ ଆବଶ୍ୟକ ହେଉଥିବା କର୍ମଚାରୀ ହ୍ରାସ ପାଇଛନ୍ତି। ୨୦୨୫-୨୬ରେ ଦେଶର ତିନିଟି ଘରୋଇ ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ ପାଇଛି। ସେଗୁଡିକ ହେଉଛି ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆର୍‌ବିଏଲ୍‌ ବ୍ୟାଙ୍କ।

ଦେଶର ତୃତୀୟ ବୃହତମ ଘରୋଇ ବ୍ୟାଙ୍କ ଆକ୍ସିସ୍‌ ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା ୩୧୦୦ କମିଛି। ୨୦୨୪-୨୫ରେ ବ୍ୟାଙ୍କର ମୋଟ୍‌ କର୍ମଚାରୀ ସଂଖ୍ୟା ୧,୦୪,୪୦୦ ଥିଲା। ୨୦୨୫-୨୬ରେ ତାହା ୧,୦୧,୩୦୦କୁ ଖସିଆସିଛି। କର୍ମଚାରୀ ସଂଖ୍ୟାରେ ଏକକାଳୀନ ହ୍ରାସ ଘଟିନାହିଁ। ବର୍ଷସାରା ପର୍ଯ୍ୟାୟକ୍ରମେ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ସେହିପରି ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୩,୩୪୩ ଜଣ କର୍ମଚାରୀ କମିଛନ୍ତି।

୨୦୨୪-୨୫ରେ ବ୍ୟାଙ୍କର ମୋଟ୍‌ କର୍ମଚାରୀ ୨,୧୪,୫୨୧ ଥିଲା। ୨୦୨୫-୨୬ରେ ସେହି ସଂଖ୍ୟା ୨,୧୧,୧୭୮କୁ ହ୍ରାସ ପାଇଛି। ଅନ୍ୟତମ ବେସରକାରୀ ବ୍ୟାଙ୍କ ଆର୍‌ବିଏଲ୍‌ ବ୍ୟାଙ୍କରେ ମଧ୍ୟ ୯୪୯ ଜଣ କର୍ମଚାରୀ କମ୍‌ ହୋଇଛନ୍ତି। ବର୍ଷ ଭିତରେ ବ୍ୟାଙ୍କର କର୍ମଚାରୀ ସଂଖ୍ୟା ୧୪,୨୬୫କୁ ହ୍ରାସ ପାଇ ୧୩,୩୧୬କୁ ଖସିଆସିଛି। ଏ ସମ୍ପର୍କରେ ବ୍ୟାଙ୍କ ଅଧିକାରୀ ସୁବ୍ରତ ମହାନ୍ତି କହିଛନ୍ତି ଯେ ଗତ କିଛି ବର୍ଷ ଧରି ବ୍ୟାଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିବେଶ କରୁଥିବାରୁ ଉତ୍ପାଦକତା ବଢ଼ିଛି। ବ୍ୟାଙ୍କ ୪୦୦ ନୂଆ ଶାଖା ଖୋଲିବା ସତ୍ୱେ କର୍ମଚାରୀ କମ୍‌ ହୋଇଛନ୍ତି। କୃତ୍ରିମ ବୁଦ୍ଧିମତା ବା ଏଆଇ ପ୍ରଭାବ ସମ୍ପର୍କରେ କହିଛନ୍ତି ଯେ ଶ୍ରମଶକ୍ତି ଉପରେ ତାହାର ବିଶେଷ ପ୍ରଭାବ ଅନୁଭୂତ ହୋଇନି। କିନ୍ତୁ ତାହା ଜରିଆରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି।

ବ୍ୟାଙ୍କ ଏହାର କେଉଁ ବିଭାଗରେ କର୍ମଚାରୀ ହ୍ରାସ କରିଛି ତାହା ସେ କହି ନଥିଲେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶଶିଧର ଜଗଦିଷନ କହିଛନ୍ତି ଯେ ଜ୍ଞାନକୌଶଳରେ ବ୍ୟାଙ୍କର ନିବେଶ ଚାରି ଗୁଣା ବୃଦ୍ଧି ପାଇ ୧୦୦ କୋଟି ଡଲାରରେ ପହଂଚିଛି। ଆମେ ଏକ ପ୍ରଯୁକ୍ତି ପ୍ରଥମ ଅନୁଷ୍ଠାନ ଭାବେ ଆଗକୁ ବଢ଼ିବାକୁ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି। ଏଆଇ ନୁହେଁ ଅଟୋମେସନ ପ୍ରଭାବରେ ବ୍ୟାଙ୍କରେ କର୍ମଚାରୀ କମ୍‌ ହୋଇଛି। ଶାଖା ସ୍ତରରେ କର୍ମଚାରୀ ସଂଖ୍ୟା ପ୍ରାୟ ସ୍ଥିର ରହିଛି। କିନ୍ତୁ ବିକ୍ରି ଓ ଗ୍ରାହକ ସହାୟତା ବିଭାଗରେ ଡିଜିଟାଲ ସେବା ତ୍ୱରାନ୍ୱିତ ହୋଇଥିବାରୁ କର୍ମଚାରୀ ଆବଶ୍ୟକତା ହ୍ରାସ ପାଇଛି।