ସାବାସ୍‌ ଜିତୁ: ବ୍ୟାଙ୍କସେବାର କଦର୍ଯ୍ୟ ଚେହେରା ଦେଖାଇଦେଲ

ଜିତୁ ମୁଣ୍ଡା ଭଳି ଲୋକଙ୍କ ପ୍ରତି ବ୍ୟାଙ୍କ କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣ କିଭଳି? ….

ଜିତୁ ମୁଣ୍ଡା ଭଳି ଲୋକଙ୍କ ପ୍ରତି ବ୍ୟାଙ୍କ କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣ କିଭଳି? ତାହା ଆଜି ସାରା ଦେଶବାସୀ ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ଦେଖିବାକୁ ପାଇଲେ। ଟଙ୍କା ପାଇଁ ଭଉଣୀର ଶବକୁ ବୋହି ବ୍ୟାଙ୍କରେ ପହଂଚାଇ ଓ ବ୍ୟାଙ୍କ ଅଧିକାରୀଙ୍କ ‘ମେରୀ ରାୟ’ ନୀତି ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜିତୁ ମୁଣ୍ଡା ସାବାସିର ପାତ୍ର ହୋଇପାରିଛନ୍ତି।

ଜିତୁ ଭଉଣୀର ମୃତଦେହକୁ ଆଣି ବ୍ୟାଙ୍କ ନିକଟରେ ପହଂଚାଇ ନଥିଲେ ହୁଏତ ବ୍ୟାଙ୍କ କର୍ତୃପକ୍ଷ ଭଉଣୀ ଖାତାରେ ଥିବା ଟଙ୍କାକୁ ଚଳୁ କରିଥାନ୍ତେ। ନୋମିନି ନଥିବାରୁ ଭଉଣୀର ଜମା ଟଙ୍କା ଜିତୁଙ୍କୁ ମିଳି ନଥାନ୍ତା। ବିଚରା ଗରିବ ଲୋକଟିର ଟଙ୍କାକୁ ବ୍ୟାଙ୍କ ଉପଭୋଗ କରିଥାନ୍ତା।ଏଇ ହେଉଛି ଆଜିର ବ୍ୟାଙ୍କ ସେବାର ନୋମିନିଙ୍କ ପ୍ରତି ଉପେକ୍ଷା। ଆଗାମୀ ଦିନରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜମାଟଙ୍କା ଉପରେ ନୋମିନିଙ୍କ ଅଧିକାରକୁ ଜିରୋ କରିବା ମତଲବରେ ଅଛନ୍ତି। ଜିତୁ ମୁଣ୍ଡା ବ୍ୟାଙ୍କ ସେବା ପ୍ରତି ଆଖିବୁଜି ବିଶ୍ୱାସ କରୁଥିବା ଅନ୍ଧଭକ୍ତଙ୍କ ଆଖି ଖୋଲି ଦେଇଛନ୍ତି।

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଡୁଆରେ ପଡ଼ିଗଲେ ବ୍ୟାଙ୍କ କର୍ତୃପକ୍ଷ। ଖାଲି ସେତିକି ନୁହେଁ; ଦୋଷ ଛଡାଇବାକୁ ଜିତୁ ମୁଣ୍ଡାଙ୍କ ପାଖରେ ପହଂଚିଲା ପ୍ରଶାସନ। ପାଟଣା ବିଡିଓଙ୍କ ସହ ବ୍ୟାଙ୍କ କର୍ତୃପକ୍ଷ ଜିତୁଙ୍କ ପାଖରେ ପହଂଚିଛନ୍ତି। ରେଡକ୍ରସ୍‌ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଜମା ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ୟାଙ୍କ କର୍ତୃପକ୍ଷ ପ୍ରମାଣ ପତ୍ର ସହ ଟିପ ଚିହ୍ନ ନେଇଛନ୍ତି। ନିୟମ ଦୃଷ୍ଟିରୁ ଦେଖିଲେ, ପ୍ରଶାସନ ନିକଟରୁ ଜିତୁ ମୁଣ୍ଡାଙ୍କର କିଛି ପାଇବାର ନଥିଲା। ମାତ୍ର ବଦନାମରୁ ରକ୍ଷା ପାଇବା ପାଇଁ କ୍ଷମତାସୀନ ବିଜେପି ସରକାର ଏପରି ବିଚାର କଲା।

ଖାଲି ସେତିକି ନୁହେଁ; ଏମିତି ଘଟଣା ଆଗକୁ ଯେମିତି ନଘଟୁ ସେଥିପାଇଁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସୁରେଶ ପୂଜାରୀ କହିଛନ୍ତି ଯେ, କେନ୍ଦୁଝର ଘଟଣା ହୃଦୟ ବିଦାରକ। ଦାନ ମାଝୀଙ୍କ ପରେ ଏହା ଦ୍ୱିତୀୟ ଘଟଣା। ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏମିତି କରିବା ପାଇଁ ଯେମିତି ଆଉ କାହାର ସାହସ ନହେଉ। ମନ୍ତ୍ରୀ ପୁଣି କହିଛନ୍ତି ଯେ, ଜିଲ୍ଲାପାଳ ଏ ଘଟଣାରେ ତଦନ୍ତ କରିଛନ୍ତି। ଏପରି ପରିସ୍ଥିତି କାହିଁକି ହେଲା, ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି। ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ।

ସୂଚନା ଥାଉକି, ୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍‌ ଏରେଣ୍ଡେଇ ପଂଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା (୫୦)ଙ୍କ ପରିବାର। ବଡଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡା ବିବାହିତ। ଜିତୁ ଓ ବଡ ଭଉଣୀ କାଲରା ଅବିବାହିତ ଥିଲେ। ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍‌ରେ ୧୯,୩୦୦ ଟଙ୍କା ଜମା କରିଥିଲେ। ନୋମିନୀ ଭାବେ ବଡଭାଇଙ୍କ ନାଁ ରହିଛି। ଦେଢ଼ବର୍ଷ ପୂର୍ବରୁ ରଇବୁଙ୍କ ମୃତ୍ୟୁ ଘଟିସାରିଛି। ଭଉଣୀ କାଲରା (୫୫)ଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା।

କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ। ବ୍ୟାଙ୍କ୍‌ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ। କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍‌କୁ ବାରମ୍ବାର ଯାଇଥିଲେ। ହେଲେ ବ୍ୟାଙ୍କ୍‌ ଅଧିକାରୀ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ। ଶେଷରେ ଜିତୁ ମୁଣ୍ଡା ମଶାଣିରୁ ବଡ ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍‌କୁ ଯାଇଥିଲେ। ବ୍ୟାଙ୍କ୍‌ ସମ୍ମୁଖରେ ଭଉଣୀ ଶବକୁ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ଦାବି କରିଥିଲେ। ବ୍ୟାଙ୍କ୍‌ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍‌ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ। ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିଲେ ମଧ୍ୟ ତା କଥାକୁ କେହି ଶୁଣି ନଥିଲେ।

ଜିତୁ ମୁଣ୍ଡାଙ୍କ କାହାଣୀ ନଗଡ଼ା ନିବାସୀ ଦାନ ମାଝିଙ୍କ ସଂଘର୍ଷଭରା ଜୀବନ ସହିତ ମିଶିଯାଉଛି। ୨୦୧୬ରେ ଦାନ ମାଝୀ, ୨୦୨୬ରେ ଜିତୁ ମୁଣ୍ଡା। ଚିତ୍ର ସମାନ ହେଲେ ଘଟଣା ଭିନ୍ନ। ୧୦ ବର୍ଷ ପରେ କାହିଁକି ହେଲା ପୁନରାବୃତି। ସେତେବେଳେ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି ମିଳିଲାନି ବୋଲି ପତ୍ନୀର ଶବ ବୋହିଥିଲେ ଦାନ ମାଝୀ। ଆଉ ଏବେ ମୃତ ଭଉଣୀର ବ୍ୟାଙ୍କରେ ଥିବା ଜମା ରାଶିକୁ ଉଠାଇବା ପାଇଁ ଶବକୁ ବୋହି ଆଣି ବ୍ୟାଙ୍କ ବାରଣ୍ଡାରେ ବସିଲେ ଜିତୁ ମୁଣ୍ଡା। ବ୍ୟାଙ୍କଠୁ ପ୍ରଶାସନ ସବୁଠି ତାଙ୍କୁ କରାଯାଇଛି ଉପହାସ। ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଚୁପ୍‌ ବସିଲା, ଆଉ ଘଟଣା ଘଟି ସାରିବା ପରେ ସାରା ସମାଜ ପ୍ରତିକ୍ରିୟାଶୀଳ ହେବାରୁ ତତ୍ପରତା ଦେଖାଇ ୨୦ ହଜାର ଟଙ୍କା ବଢାଇଦେଲା।

କେବେ ଲିଭିବ ଏ ଅଭିଶପ୍ତ ଚିତ୍ର ? ଏଭଳି ସମ୍ବେନଶୀଳ ଘଟଣା ପାଇଁ କିଏ ଦାୟୀ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନା ଅର୍ଥ ବିଭାଗର ସଚିବ? ସଭ୍ୟ ପାଠୁଆବାବୁମାନଙ୍କ ନିକଟରେ ଗରିବ ଗାଉଁଲି ଲୋକଟିର ସ୍ୱାଭିମାନ ବୋଲି କିଛି ନାହିଁ? ବାରମ୍ବାର ଦୌଡ଼ାଇବା ଅବା ନିରାଶ କରିବା ବ୍ୟାଙ୍କ ଅଧିକାରୀଙ୍କ କୋଉ ପ୍ରକାର ମାନସିକତାକୁ ବୁଝାଉଛି? ଏବେ ପ୍ରଶ୍ନ ଉଠୁଛି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ସହାୟତା ଆଳରେ ଦୋଷ ଘୋଡାଇ ଦିଆଯିବ।