ଚାପ ଖେଳିଲେନି ମଦନ ମୋହନ

ସେବାୟତଙ୍କ ଦାଦାଗିରି ଶ୍ରୀମନ୍ଦିର ପ୍ରଶାସନ….

ପୁରୀ: ସେବାୟତଙ୍କ ଦାଦାଗିରି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କଠାରୁ ଅଧିକ ପ୍ରଭାବଶାଳୀ ମନେହୁଏ। ସେମାନେ ଚାହିଁଲେ ମହାପ୍ରଭୁ ଚାପ ଖେଳିବେ। ନଚାହିଁଲେ ଠାକୁରଙ୍କୁ ରାସ୍ତାକଡ଼ରେ ବସାଇ ଭିକ ମାଗିବାକୁ ବାଧ୍ୟ କରିବେ। କାଳିଆ ସାଆନ୍ତଙ୍କ ଚାପ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ସଂତୃପ୍ତ ନୟନରେ ଅନାଇ ବସିଥିଲେ। ମାତ୍ର ସେବାୟତଙ୍କ ମନରେ ଠାକୁରଙ୍କ ପ୍ରତି ଶରଧା ଥିଲେ ତ?

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ। ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ ଶ୍ରୀଦେବୀଙ୍କ ସମେତ ରାମକୃଷ୍ଣ ଓ ଶ୍ରୀକ୍ଷେତ୍ରର ପଂଚ ମହାଦେବ। ଭକ୍ତ ନିରାଶ। ସିଂହାରୀ ଓ ଶୁଦ୍ଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ ହେଲା ମହାପ୍ରଭୁଙ୍କ ଚାପ କ୍ରୀଡ଼ା।
ଠାକୁରଙ୍କ ପ୍ରତି ସାମାନ୍ୟ ଭୟ କି ସମ୍ମାନ ଥିଲେ ଏତେବଡ଼ ବିଭ୍ରାଟ ହୋଇ ନଥାନ୍ତା। ସେବାୟତଙ୍କ କଳି ଭିତରେ ଠାକୁରଙ୍କ ନୀତି ବିଭ୍ରାଟ ହେଲା, ଏଥିପାଇଁ କାହାକୁ ଦାୟୀ କରାଯିବ? ଶ୍ରୀମନ୍ଦିର ପ୍ରଶାସନକୁ, ପୁରୀ ଜିଲ୍ଲାପାଳଙ୍କୁ, ସେବାୟତ ଗୋଷ୍ଠୀକୁ ନା ରାଜ୍ୟ ସରକାରଙ୍କୁ?

ଚାପରେ କେତେ ସଂଖ୍ୟକ ସେବକ ରହିବେ, ତାକୁ ନେଇ ହୋଇଥିଲା ବିବାଦ। ପ୍ରାୟ ସାଢେ ୩ ଘଂଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର। ମଙ୍ଗଳବାର କାଳବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା। ତେବେ ରାତ୍ରୀ ଚାପ ପାଇଁ ରାତି ୯ଟା ରୁ ପ୍ରସ୍ତୁତି ସାରିଥିଲେ ହେଁ ରାତି ୧୨ଟା ୩୦ ଯାଏଁ ବିବାଦ ତୁଟି ନଥିଲା। ପରେ ପବନ ବେଗ ଓ ବର୍ଷାକୁ ନଜରରେ ରଖି ଚାପ ନ ଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଦିଅଁ। ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟକୁ କଡ଼ା ନିନ୍ଦା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ ସାହୁ। ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେବକଙ୍କ ଭିତରେ ଅନେକ ଶୃଙ୍ଖଳିତ ସେବକ ରହିଛନ୍ତି। କିଛି ବିଶୃଙ୍ଖଳିତ ସେବକ ଦାଉ ସାଧୁଛନ୍ତି। ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସେବକ କଲ୍ୟାଣ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟିର ସଦସ୍ୟ ଓ ବିଭିନ୍ନ ସେବକ ପ୍ରତିନିଧି ଉପସ୍ଥିତ ଥିଲେ। ଠାକୁର ଚାପ ଖେଳିବେ କି ଗମ୍ଭୀରାରେ ପଡ଼ି ରହିବେ; ସେ ନିଷ୍ପତି ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି।