ବିଶ୍ୱ ନେତୃତ୍ୱକୁ ଶକ୍ତି ଯୋଗାଇବ ଏନ୍‌ଇପି

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏକ ରୂପାନ୍ତରଣକାରୀ …

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏକ ରୂପାନ୍ତରଣକାରୀ ସଂସ୍କାର। ଯାହା ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ରୂପାୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ଏବଂ ଉଚ୍ଚଶିକ୍ଷା ସଂସ୍କାର’ ସମ୍ପର୍କିତ ଜାତୀୟସ୍ତରୀୟ କର୍ମଶାଳାର ରବିବାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଏହା କହିଛନ୍ତି। ରାଜ୍ୟପାଳ କହିଥିଲେ ଯେ, ଏନଇପି ୨୦୨୦ ଭାରତର ଜନସଂଖ୍ୟାକୁ ଉପଯୋଗ କରି ଏକ ଶକ୍ତିଶାଳୀ, ଅନ୍ତର୍ଭୂକ୍ତିମୂଳକ ଏବଂ ଭବିଷ୍ୟତ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥା ଗଢ଼ିବାର ଏକ ସ୍ପଷ୍ଟ ମାର୍ଗଦର୍ଶକ। ଏହା ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ବିଶ୍ୱ ନେତୃତ୍ୱ ପାଇଁ ଶକ୍ତି ପ୍ରଦାନ କରିବ। ଏହି କର୍ମଶାଳା ଏକ ସମୟୋପଯୋଗୀ ଏବଂ ଦୂରଦର୍ଶୀ ଉଦ୍ୟମ।

ଏହା ଜାତୀୟ ପ୍ରଗତି ଏବଂ ମାନବିକ ବିକାଶର ଆଧାର ଭାବେ ଶିକ୍ଷାକୁ ସୁଦୃଢ଼ କରିବାରେ ସମଷ୍ଟିଗତ ପ୍ରତିବଦ୍ଧତାର ପ୍ରତିଫଳନ। ଭାରତ ଐତିହାସିକ ଭାବେ ସମଗ୍ର ବିଶ୍ୱରେ ଜ୍ଞାନ, ପ୍ରଜ୍ଞା ଏବଂ ବୌଦ୍ଧିକ ନେତୃତ୍ୱର କେନ୍ଦ୍ର ଥିଲା। ଗଣିତ, ଜ୍ୟୋତିର୍ବିଜ୍ଞାନ, ଚିକିତ୍ସା ଓ ସାହିତ୍ୟ କ୍ଷେତ୍ରରେ ପ୍ରଭୂତ ଅବଦାନ ରଖିଛି। ରାଜ୍ୟପାଳ କହିଥିଲେ ଯେ ଜ୍ଞାନ ଅର୍ଥନୀତି ବର୍ତମାନ ଆଲୋଚନାତ୍ମକ ଚିନ୍ତାଧାରା, ସୃଜନଶୀଳତା, ଗ୍ରହଣୀୟତା ଏବଂ ଆନ୍ତଃବିଷୟିକ ଶିକ୍ଷାର ଆବଶ୍ୟକତା କରେ। ରାଜ୍ୟପାଳ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆବଶ୍ୟକତା ସହିତ ସମନ୍ୱିତ ଭାବରେ ପାରମ୍ପରିକ ଶିକ୍ଷା ପଦ୍ଧତିରୁ ଅଭିଜ୍ଞତାମୂଳକ ଶିକ୍ଷା, ସାମଗ୍ରିକ ବିକାଶ ଏବଂ ବହୁବିଧ ଶିକ୍ଷା ଆଡ଼କୁ ଏକ ନିର୍ଣ୍ଣାୟକ ପରିବର୍ତନର ସଂକେତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ବିସ୍ତୃତ ଏବଂ ଭବିଷ୍ୟତମୁଖୀ ଶିକ୍ଷା ନୀତି ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ। ୨୦୨୪ ଅଗଷ୍ଟ ମାସରୁ ରାଜ୍ୟରେ ସକ୍ରିୟ ଭାବେ ଏନଇପି ୨୦୨୦ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟପାଳ କହିଥିଲେ ଯେ ପାଠ୍ୟକ୍ରମ ପୁନର୍ଗଠନ, ଦକ୍ଷତା ଭିତିକ ଶିକ୍ଷାକୁ ପ୍ରୋତ୍ସାହନ ଏବଂ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ମାଧ୍ୟମରେ ଓଡ଼ିଶା ଉଚ୍ଚଶିକ୍ଷାରେ ପ୍ରମୁଖ ସଂସ୍କାର ଆଣିଛି। ଉଚ୍ଚଶିକ୍ଷାରେ ସମାନତାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ଆଇନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଜ୍ୟପାଳ କହିଛନ୍ତି।