ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ କାରଣରୁ ସାରା ବିଶ୍ୱରେ ଏବେ ତୈଳ ସଙ୍କଟ ଦେଖା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଖର୍ଚ୍ଚ କାଟ କରିବା କଥା କହିଥିଲେ। ପ୍ରଧାନମନ୍ତ୍ରୀ ତୈଳ ବଂଚାଇବା କଥା କହିଥିଲେ। ଏହି କ୍ରମରେ ମୋଦୀ ନିଜେ ତାଙ୍କ କାର୍କେଡର ଗାଡି ସଂଖ୍ୟା କମାଇଥିଲେ। ମୋଦୀଙ୍କ ଉଦ୍ବୋଧନ ପରେ ସୁପ୍ରିମକୋର୍ଟରେ ମଧ୍ୟ ୨ ଦିନ ଅନ୍ଲାଇନ୍ ଶୁଣାଣି କରାଯାଉଛି।
ଆଜି ଏହି କ୍ରମରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଦେଶରେ ସମସ୍ତ ହାଇକୋର୍ଟଙ୍କୁ ଅନ୍ଲାଇନ୍ ଶୁଣାଣି କରିବାକୁ କୁହାଯାଇଛି ଏବଂ ଏଥି ମଧ୍ୟରୁ ଅଧିକାଂଶ ଏହା କାର୍ଯ୍ୟକାରୀ କରି ସାରିଛନ୍ତି। ଦିଲ୍ଲୀର ସମସ୍ତ କୋର୍ଟରେ ଅନ୍ଲାଇନ୍ ଶୁଣାଣି କରିବା ପାଇଁ ଦାବି କରି ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଏବଂ ମାମଲାର ଜରୁରୀ ଶୁଣାଣି ଚାହିଁଥିଲେ।
ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଏହି ଆବେଦନକୁ ମେନସନ୍ କରା ଯାଇଥିବା ବେଳେ ପ୍ରଧାନ ବିଚାରପତି କହିଥିଲେ ମୁଁ ଏ ନେଇ ସବୁ ହାଇକୋର୍ଟ ବିଚାରପତିଙ୍କୁ ଅନୁରୋଧ କରି ସାରିଛି ଏବଂ ଅଧିକାଂଶ ଏହାକୁ କାର୍ଯ୍ୟକାରୀ କରି ସାରିଛନ୍ତି। ଆଇନଜୀବୀ ତାଙ୍କ ଆବେଦନରେ କହିଥିଲେ ଯେ ଦେଶର ସ୍ୱାର୍ଥ ପାଇଁ ସେ ଆଗାମୀ ୩ ମାସ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା କୋର୍ଟ ଗୁଡିକରେ ଅନ୍ଲାଇନ୍ ଶୁଣାଣି ହେବାକୁ ଚାହାନ୍ତି। ସିଜେଆଇ ଏହାପରେ କହିଥିଲେ, ଜିଲ୍ଲା କୋର୍ଟଗୁଡିକ ହାଇକୋର୍ଟଙ୍କ ପ୍ରଶାସନିକ ଡୋମେନ୍ରେ ରହୁଛନ୍ତି। ଜିଲ୍ଲା କୋର୍ଟ ପାଇଁ ମଧ୍ୟ ମୁଁ ଏହି ସମାନ ଅନୁରୋଧ କରିଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ସପ୍ତାହରେ ୨ ଦିନ ଭର୍ଚୁଆଲ ଶୁଣାଣି ପାଇଁ ନିଷ୍ପତି ନେଇଥିଲେ।