ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ବୈଠକ
ବିବାଦମୁକ୍ତ ରହିବ ସ୍ନାନଯାତ୍ରାଠାରୁ ନିଳାଦ୍ରି ବିଜେ
ଏମିତି ଗତବର୍ଷ ରଥଯାତ୍ରାକୁ ଅଭୂତପୂର୍ବ କରିବେ ବୋଲି ….
ଭୁବନେଶ୍ୱର: ଏମିତି ଗତବର୍ଷ ରଥଯାତ୍ରାକୁ ଅଭୂତପୂର୍ବ କରିବେ ବୋଲି କହିଥିଲେ ହରିଚନ୍ଦନ ମହୋଦୟ। ମାତ୍ର ଗୁଣ୍ଡିଚା ମନ୍ଦିର ନିକଟ ଦଳାଚକଟା ପରଠାରୁ ବେଶ କିଛିଦିନ ଗଣମାଧ୍ୟମକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରିଲେନି। ହରିଚନ୍ଦନ ବାବୁଙ୍କର ଗର୍ବ ଅହଂକାରକୁ ପ୍ରଭୁ ସହିଲେନି। ଏଥର ସେମିତି ରଥଯାତ୍ରା ବୈଠକରେ ସବୁକିଛି ଠିକ ସମୟରେ ସଂପନ୍ନ କରାଯିବ ବୋଲି କହିଛନ୍ତି। ଦେଖାଯାଉ।
ଶୁକ୍ରବାର ରଥଯାତ୍ରା ବୈଠକ ପରେ କିଛି ସେବାୟତ ଏମିତି ମନ୍ତବ୍ୟ କରିଛନ୍ତି। ସମସ୍ତେ ଜାଣନ୍ତି; ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ଯାନିଯାତ୍ରା ଓ ଉତ୍ସବ ପ୍ରତ୍ୟେକ ଓଡିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡିତ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡପ ମଣ୍ଡପ ବିଜେ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ। ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଦଇତାପତି ନିଯୋଗଠାରୁ ଆରମ୍ଭ କରି ସମସ୍ତ ସେବାୟତ, ନିଯୋଗ ଏବଂ ରାଜ୍ୟବାସୀଙ୍କ ଏକାନ୍ତ ସହଯୋଗର ଆବଶ୍ୟକତା ରହିଛି। ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି।
ଆଜି ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚଳିତ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୋଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଂଟ ନେଇ ଆଗୁଆ ସୂଚନା, ଭିଡ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡିଂ ବ୍ୟବସ୍ଥା, ସେବାୟତ, ନିଯୋଗ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା।
ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯେପରି ରଥକାଠ ଆୟୋଜନ, ରଥ ଦଉଡି, ରଥ କପଡା ସହ ନୀତିକାନ୍ତି ପାଇଁ ଆବଶ୍ୟକ ଝୁଣା, ଚନ୍ଦନକାଠ ଆଦି ସାମଗ୍ରୀ ଇତ୍ୟାଦିର ମହଜୁଦ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ, ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ଆଇନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଦଇତାପତି ନିଯୋଗର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।