ରାଜନଗରରେ ଶେଷ ପର୍ଯ୍ୟାୟରେ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ରଥ ନିର୍ମାଣ, ରଥଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ବାର୍ଷିକ ରଥଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ …

ପାଟଣା: କେନ୍ଦୁଝର ଜିଲ୍ଲାର ରାଜନଗରସ୍ଥିତ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ବାର୍ଷିକ ରଥଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ରଥ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କାରିଗରମାନେ ଦିନରାତି ପରିଶ୍ରମ କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାରେ ବ୍ୟସ୍ତ ରହିଛନ୍ତି। ରଥର ଚକ, କାଠ କାରୁକାର୍ଯ୍ୟ, ଅଳଙ୍କାର ଓ ଅନ୍ୟାନ୍ୟ ଶେଷ କାମ ଦ୍ରୁତ ଗତିରେ ଚାଲିଛି। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥର ସଜ୍ଜା କାର୍ଯ୍ୟ ସମ୍ପନ୍ନ କରାଯିବ।

ରଥଯାତ୍ରାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ସୁବିଧା ପାଇଁ ବଡ଼ଦାଣ୍ଡର ମରାମତି କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ ବଡ଼ଦାଣ୍ଡରେ ମୋରମ ପକାଇ ରାସ୍ତାକୁ ସମତଳ ଓ ଚଳାଚଳଯୋଗ୍ୟ କରାଯାଇଛି, ଯାହା ରଥ ଟାଣିବା ସହିତ ହଜାର ହଜାର ଭକ୍ତଙ୍କ ଯାତାୟାତକୁ ସୁଗମ କରିବ। ଏପଟେ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସଫେଇ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ବ୍ୟବସ୍ଥା, ସୁରକ୍ଷା ବଳ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ ଓ ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରଥଯାତ୍ରା ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜନଗରର ପ୍ରସିଦ୍ଧ ଏହି ରଥଯାତ୍ରାରେ ପ୍ରତିବର୍ଷ କେନ୍ଦୁଝର ସମେତ ପଡ଼ୋଶୀ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ମଧ୍ୟ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସେବାୟତ ଓ ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେଇଛନ୍ତି।