ଭୁବନେଶ୍ୱର : ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୨୦ ଜିଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରାୟତଃ ସବୁ ଜିଲାରେ ବର୍ଷା ହୋଇପାରେ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ସକାଳ ୮.୩୦ ସୁଦ୍ଧା ଢେଙ୍କାନାଳରେ ସର୍ବାଧିକ ୯୩ମିମି ବର୍ଷା ହୋଇଥିଲା ବେଳେ ସୋନପୁରରେ ୩୫ମିମି, ଭଦ୍ରକରେ ୧୭ମିମି, ପାରାଦ୍ବୀପରେ ୧୩ ମିମି, ନୟାଗଡ଼ରେ ୧୧.୨ ମିମି, ଭୁବେନଶ୍ବରରେ ୮.୨ ମିମି, ବାରିପଦାରେ ୬.୮ ମିମି, ବଲାଙ୍ଗିରରେ ୪.୫ ମିମି ବର୍ଷା ରେକର୍ଡ କରାଯାଇଛି।
ସୋମବାର ସକାଳ ୮.୩୦ରୁ ସଂଧ୍ୟା ୫.୩୦ ମଧ୍ୟରେ କେନ୍ଦୁଝରରେ ୩୦.୪ମିମି, ପାରାଦ୍ବୀପରେ ୨୫.୪ ମିମି, ଢେଙ୍କାନାଳରେ ୨୫ ମିମି, ଟିଟିଲାଗଡ଼ରେ ୧୭ ମିମି, ଛତ୍ରପୁରରେ୧୩ ମିିମି ବର୍ଷା ହୋଇଛି। ମଙ୍ଗଳବାର କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼ରେ ପବନ ସହିତ ବର୍ଷା ହୋଇପାରେ। ୨୪ ତାରିଖ ଯାଏ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ଅଛି।