ଆସିକା: ଉଠା ଜଳସେଚନ ବିଭାଗ ହେଉଛି ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଶେଷ କରି କୃଷି ଓ କୃଷକ ସଶକ୍ତିକରଣ ପାଇଁ ଏହି ବିଭାଗ ର ଭୂମିକା ଅନସ୍ୱୀକାର୍ଯ୍ୟ । କିନ୍ତୁ ଦିନକୁ ଦିନ ରୁଗ୍ଣ ହୋଇ ବିକଳାଙ୍ଗ ସ୍ଥିତିକୁ ଆସିଗଲାଣି ଏହି ବିଭାଗ । କାର୍ଯ୍ୟଳୟ, ନା କର୍ମଚାରୀ, ନା ପ୍ରକଳ୍ପ ସବୁକିଛି ଏବେ କୋମା ସ୍ଥିତିରେ ପହଞ୍ଚିଛି । ଭାତ ହାଣ୍ଡିରୁ ଗୋଟିଏ ଉଦାହରଣ ଭଳି ଗୋଟିଏ ହେଉଛି ଧରାକୋଟ ଉଠା ଜଳସେଚନ ବିଭାଗ ସେକ୍ସନ କାର୍ଯ୍ୟଳୟ ।
ଜାତୀୟ ରାଜପଥ 59 ରୁ ଧରାକୋଟ କୁ ଛୁଇଁଥିବା ମୁଖ୍ୟ ରାସ୍ତା କଡ଼ରେ ପଞ୍ଚାୟତ ସମିତି କାର୍ଯ୍ୟଳୟ ଓ ବିଜୁ ପଟ୍ଟନାୟକ ପାର୍କ କୁ ଲାଗି ରହିଛି ଏହି କାର୍ଯ୍ୟଳୟ । ବର୍ତ୍ତମାନ ସମୟରେ ଏହା ଅନାବନା ଲଟା ବୁଦା ଏବଂ ଗଛ ଆଢୁଆଳରେ ଲୁଚିଯାଇ ଏକ ଭୂତ କୋଠି ଭଳି ମନେ ହେଉଛି। ଦିନେ ବିଭାଗୀୟ ଅଧିକାରୀ, କର୍ମଚାରୀ ଙ୍କ ଚଳ ପ୍ରଚଳ ରେ ସତେଜ ଲାଗୁଥିବା ଏହି ସରକାରୀ କାର୍ଯ୍ୟାଳୟ ଏବେ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବେଆଇନ ଓ ଅନୈତିକ କାର୍ଯ୍ୟର ଏହା ଏବେ ନିରାପଦ ଠିକଣା । ଧରାକୋଟ ଉଠା ଜଳସେଚନ ବିଭାଗ ସେକ୍ସନ ଅଧୀନରେ ରହିଥିଲା ପ୍ରାୟ ଅସିଏ ଗୋଟି ପଏଣ୍ଟ। ସବୁ ପଏଣ୍ଟ ପାଇଁ ନିଯୁକ୍ତି ପାଇଥିଲେ ଡ୍ରାଇଭର ଓ ହେଲ୍ପର। ଧରାକୋଟ ବ୍ଲକରେ ପ୍ରବାହିତ ଋଷିକୁଲ୍ୟା, ଆଗୁଳ ନାଳ,ନନ୍ଦିନୀ ନାଳ ପାର୍ଶ୍ୱସ୍ଥ ଗାଁ ସିଙ୍ଗିପୁର, ଭରତ ପଲି, ବରଡାବିଲି, କୁଶପଡା,କହିରା ପଲି, ଜାନବିଲି , ନନ୍ଦିଗୋର, ପୁଟୁ, ଜଗମୋହନ,ଧରାକୋଟ, ମୁଣ୍ଡମରାଇ,ସିନ୍ଦୁରାପଲି,ସୁନାପଲି, ଲକ୍ଷ୍ମିପୁର, ଡାକିବଜା, ରୁଗୁମୁ, ବାଖରକଟା, ମଛାକୋଟ, ବାଦପୁର, ସାବା, ମଙ୍ଗଳ ପୁର ଆଦି ଗାଁରେ ସ୍ଥାପନ ହୋଇଥିଲା ଉଠା ଜଳସେଚନ ପ୍ରକଳ୍ପ ବା ପଏଣ୍ଟ ।
ଏହିସବୁ ପ୍ରକଳ୍ପ ରୁ ଶହ ଶହ ଏକର ଜମିକୁ ଜଳଯୋଗାଣ ହେଉଥିଲା । ଚାଷୀମାନେ ଅଧିକାଂଶ ଅଞ୍ଚଳରେ ରବି ଓ ଖରିଫ ଧାନ ଚାଷ ସହ ବିଭିନ୍ନ ପନି ପରିବା ଚାଷ କରି ବେଶ ରୋଜଗାର କରୁଥିଲେ । କର୍ମଚାରୀ ଓ ଚାଷୀ ମାନଙ୍କ ସହ ଭାଗିତା ରେ ପ୍ରକଳ୍ପ ଗୁଡ଼ିକ ସବୁ କାର୍ଯ୍ୟକ୍ଷମ ହୋଇ ରହିଥିଲା । ଧରାକୋଟ ସେକ୍ସନ କାର୍ଯ୍ୟଳୟ ରେ ଜଣେ କନିଷ୍ଠ ଯନ୍ତ୍ରୀ,ଦୁଇ ଜଣ କିରାଣୀ, ପିଅନ ସାଙ୍ଗକୁ ପ୍ରାୟ ପଚାଶ ଜଣ ଡ୍ରାଇଭର ଓ ହେଲ୍ପର କାର୍ଯ୍ୟରତ ଥିଲେ। ସରକାରଙ୍କ ଅପାରଗତା ଯୋଗୁଁ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବା ବନ୍ଦ କରି ଧୀରେ ଧୀରେ ଛଟେଇ କରାଯାଇଥିଲା । ଯାହା ଫଳରେ କର୍ମଚାରୀ ମରୁଡିରୁ କାର୍ଯ୍ୟଳୟ ବନ୍ଦ ହେଲା । ପ୍ରକଳ୍ପ ମରାମତି ସହ ବିଭିନ୍ନ ଅଭିଯୋଗ ପାଇଁ ଆସୁଥିବା ଚାଷୀ ନିରାଶ ହୋଇ ଏଠାରୁ ଫେରିଲେ । ଧୀରେ ଧୀରେ ଖରାପ ହେଉଥିବା ପ୍ରକଳ୍ପ ନସଜଡାଯିବାରୁ ତାହା ଅବ୍ୟବହୃତ ହୋଇ ବନ୍ଦ ରହିବା ଯୋଗୁଁ ଯନ୍ତ୍ରପାତି ସବୁ ଚୋରି ହୋଇଗଲା । କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ଦରମା ନମିଳିବା ଏପରିକି ଅବସର ଗ୍ରହଣ କରିଥିବା କର୍ମଚାରୀ ମନଙ୍କୁ ମଧ୍ୟ ପେନସନ ନମିଳିବାରୁ ସେମାନେ ବିମୁଖ ହୋଇ ପଡ଼ିଲେ । ସ୍ଥିତି ଏପରି ହେଲାଯେ କାର୍ଯ୍ୟଳୟ କୋଠା ମଧ୍ୟ ନଷ୍ଟ ହୋଇଗଲା । ବାରମ୍ବାର ଅଭିଯୋଗ ପରେ ସରକାର ପୁନର୍ବାର କାର୍ଯ୍ୟଳୟ ନବୀକରଣ କରିଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁଁ ଅବସ୍ଥା ଯଥା ପୂର୍ଵଂ ତଥା ପରମ ହୋଇ ରହିଛି ।
ବର୍ତ୍ତମାନ ଅସିଏ ଗୋଟି ପଏଣ୍ଟ ରୁ ପନ୍ଦର ଗୋଟି ପଏଣ୍ଟ ପ୍ରାୟ କାର୍ଯ୍ୟକ୍ଷମ ରହିଛି । କେହି ସରକାରୀ ପଦାଧିକାରୀ ଙ୍କ ଦେଖା ମିଳୁନଥିବାରୁ ଚାଷୀମାନେ କାହାକୁ ଗୁହାରି କରିବେ ବୁଝି ପାରୁ ନାହାନ୍ତି। ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଭିଯୋଗ ବେଳେ ପ୍ରତିଶ୍ରୁତି ମିଳୁଛି ଖୁବ ଶୀଘ୍ର ପଦକ୍ଷେପ ନିଆଯିବ,ହେଲେ ତାପରେ ପଦାଧିକାରୀ ମାନେ ଏହି ଅଭିଯୋଗର ଠିକଣା ଭୁଲି ଯାଉଛନ୍ତି । ବିଚରା କର୍ମଚାରୀ ମାନେ ମଧ୍ୟ ନିଜ ନିଜର ପ୍ରାପ୍ୟ ଟଙ୍କା ପାଇବା ପାଇଁ ବ୍ରହ୍ମପୁର, ଭୁବନେଶ୍ୱର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କର୍ମଚାରୀ ଓ ଚାଷୀ ମାନଙ୍କ କଥା ବୁଝିବାକୁ କେହି ନାହିଁ ।
ପୁରୁଣା ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ସରକାର ସେଗୁଡ଼ିକ ପୁନରୁଦ୍ଧାର ନକରି ନୂଆଁ ପ୍ରକଳ୍ପ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସଂପ୍ରତି ପାଗର ପରିବର୍ତ୍ତନ ଯୋଗୁଁ ବର୍ଷା ଏକରକମ ଉଭାନ ହୋଇଯାଇଥିବା ବେଳେ ନିଜ ନିଜର କ୍ଷେତ ପାଇଁ ପାଣି ସମସ୍ୟାକୁ ନେଇ ଚାଷୀ ସନ୍ତୁଳିତ ଅବସ୍ଥାରେ ଥିବାବେଳେ ଉଠା ଜଳସେଚନ କାମରେ ଆସୁନି । ଚାଷୀମାନେ ଏହି ସମସ୍ୟାର ସମାଧାନ ପାଇଁ ଦାବୀ କରିଥିବା ବେଳେ ଏହି ସେକ୍ସନ ଅଧୀନରେ କାର୍ଯ୍ୟକରୀ ଅବସର ଗ୍ରହଣ କରିଥିବା କର୍ମଚାରୀ ସୁରେନ୍ଦ୍ର ବେହେରା,ରାମଚନ୍ଦ୍ର ସାହୁ, ଲଖଣ ପାତ୍ର, ପ୍ରଫୁଲ ଗୌଡ଼,ଉଦିତ ନାରାୟଣ ପାତ୍ର ପ୍ରମୁଖ ନିଜ ନିଜର ବଳକା ଅର୍ଥ ସହ ଅବସର କାଳୀନ ପେନସନ ପାଇଁ ଦାବି କରିଛନ୍ତି । ରିପୋର୍ଟ ପାଟଣା ରୁ ସମ୍ବାଦ ଦାତା ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ।