ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ସଂକ୍ରାନ୍ତରେ ରାଜସ୍ୱ ସଚିବଙ୍କ ସମୀକ୍ଷା
ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ ଉପରେ ରାଜସ୍ୱ ସଚିବଙ୍କ ଗୁରୁତ୍ୱ…
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି, ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ ରହିଥିବା ପ୍ରମୁଖ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରକଳ୍ପଟିର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ଅବଶିଷ୍ଟ ଜମି ଅଧିଗ୍ରହଣ ଓ ବାଧାମୁକ୍ତ ଜମି ହସ୍ତାନ୍ତର ସୁବ୍ୟବସ୍ଥିତ କରିବା ନିମନ୍ତେ ରାଜସ୍ୱ ସଚିବ ଡ. ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୪୯.୭୮ କି.ମି. ଦୀର୍ଘ ଏହି ରେଳପଥ ପ୍ରକଳ୍ପ ୨୦୦୩-୦୪ ମସିହାରେ ଅନୁମୋଦିତ ହୋଇଥିଲା। ପ୍ରକଳ୍ପର ମୋଟ ଜମି ଆବଶ୍ୟକତା ୨,୧୪୪.୦୨୮ ଏକର ଥିବାବେଳେ ଏପର୍ଯ୍ୟନ୍ତ ୧,୮୬୮.୩୫୭ ଏକର ଜମି ଅଧିଗ୍ରହଣ ହୋଇଛି ଏବଂ ୨୭୫.୬୭୧ ଏକର ଜମି ଅବଶିଷ୍ଟ ରହିଛି। ଏଥିରେ ବ୍ୟକ୍ତିଗତ ଜମି ୨୦୨.୧୫ ଏକର, ଜଙ୍ଗଲ ଜମି ୧୩.୭ ଏକର ଏବଂ ସରକାରୀ ଜମି ୫୯.୮୨୧ ଏକର ଅନ୍ତର୍ଭୁକ୍ତ। ଜଙ୍ଗଲ ଜମି ପାଇଁ Stage-I Forest Clearance ପ୍ରକ୍ରିୟା ଚାଲିଥିବାବେଳେ ସରକାରୀ ଜମିର ଅନୁମୋଦନ/Alienation ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଛି ।
ସମୀକ୍ଷାରେ ରେଳପଥ ଅବଶିଷ୍ଟ ଜମି ଅଧିଗ୍ରହଣ, କ୍ଷତିପୂରଣ, ଅଦାଲତରେ ବିଚାରାଧୀନ ମାମଲା ଏବଂ ଅଧିଗ୍ରହଣ କରାଯାଇଥିବା ଜମିର ସମୁଚିତ ହସ୍ତାନ୍ତର ଆଦି ବିଷୟଗୁଡ଼ିକ ଉପରେ ସୁବିସ୍ତୃତ ଆଲୋଚନା କରାଯାଇଛି ।
ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପଟି ରାଜ୍ୟର ଆର୍ଥିକ ଭାବେ ପଛୁଆ ଅଞ୍ଚଳଗୁଡ଼ିକୁ ରେଳ ସଂଯୋଗ ପ୍ରଦାନ କରିବା ସହ ରେଳ ପରିବହନକୁ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସୁତରାଂ ପ୍ରକଳ୍ପର ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଉଚିତ୍ ପ୍ରକ୍ରିୟାରେ ଜମି ହସ୍ତାନ୍ତର ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ବୈଠକରେ ରେଳ ସମନ୍ଵୟ କମିଶନର୍ ଶ୍ରୀ କୌସ୍ତୁଭ ଦୀପ୍ତ ପାଣି, ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ, ପ୍ରିଜାଇଡିଂ ଅଫିସର୍ ଅଭିଜିତ୍ ପଲେଇ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।