ମା’କୁ ମାରି ପୁଅ ସିମେଣ୍ଟରେ ପ୍ଲାଷ୍ଟର କରିଥିଲା;୭ ଦିନ ପରେ ମିଳିଛି ମା ର ପରିଚୟ
ଅଭିଯୁକ୍ତ ପୁଅ ମଦନ ଗିରଫ ଭୟରେ ଏବେ ବି ଫେରାର ଅଛି…
ପୁରୀ(ସାକ୍ସୀ ନ୍ୟୁଜ୍): କୁମ୍ଭାରପଡ଼ା ଥାନା ଅଞ୍ଚଳରେ ବହୁଚର୍ଚ୍ଚିତ ମା’କୁ ମାରି ପୁଅ ସିମେଣ୍ଟରେ ପ୍ଲାଷ୍ଟର କରିଦେଇଥିଲା । ୭ ଦିନ ପରେ ମିଳିଛି ମା ର ପରିଚୟ ।ମୃତ ମହିଳା ଜଣକ ହେଉଛନ୍ତି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖରଡ଼ ଗ୍ରାମର ଅନ୍ନପୂର୍ଣ୍ଣା ଦଳାଇ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅନ୍ନପୂର୍ଣ୍ଣା ପ୍ରାୟ ୪୦ ବର୍ଷ ପୂର୍ବରୁ ନିଜ ଗାଁ ଛାଡ଼ି ପଳାଇ ଆସିଥିଲେ ଏବଂ ସେବେଠାରୁ ଗ୍ରାମବାସୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ।
କୁମ୍ଭାରପଡ଼ା ଅଞ୍ଚଳର ଏକ ଭଡ଼ାଘରେ ୪୭ ବର୍ଷୀୟ ମଦନ ଦଳାଇ ତାଙ୍କ ମା’ଙ୍କ ସହ ରହୁଥିଲେ । କିଛି ଦିନ ହେବ ମଦନ ହଠାତ୍ ଫେରାର ହୋଇଯିବା ଏବଂ ମା’ଙ୍କର କୌଣସି ପତ୍ତା ନମିଳିବାରୁ ଘର ମାଲିକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ବିଶେଷ କରି ରୋଷେଇ ଘର ଭିତରୁ ଏକ ଅସ୍ୱାଭାବିକ ଦୁର୍ଗନ୍ଧ ଆସିବାରୁ ଘର ମାଲିକ ପୁଲିସକୁ ଖବର ଦେଇଥିଲେ ।
ଅନ୍ୟପଟେ ଅନ୍ନପୂର୍ଣ୍ଣାଙ୍କ ପରିଚୟ ସ୍ପଷ୍ଟ ହେବା ପରେ ଖରଡ଼ ଗ୍ରାମରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ୪୦ ବର୍ଷ ହେଲା ସେ ଗାଁରୁ ଅନୁପସ୍ଥିତ ଥିବାରୁ ତାଙ୍କ ବିଷୟରେ କାହା ପାଖରେ ବିଶେଷ ଖବର ନଥିଲା । ଏପରିକି ତାଙ୍କ ପରିବାର କାହା ସହିତ ନିୟମିତ ଯୋଗାଯୋଗରେ ମଧ୍ୟ ନଥିଲେ । ପୁରୀରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଏବଂ ଅନ୍ନପୂର୍ଣ୍ଣାଙ୍କ ପରିଚୟ ପ୍ରକାଶ ପାଇବା ପରେ ହିଁ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବାକୁ ପାଇଥିବା କହିଛନ୍ତି । ମଦନ ଗିରଫ ଭୟରେ ଏବେ ବି ଫେରାର ଅଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତ ପୁଅ ମଦନକୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି ।