କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ କରି ଧୋକା ଦେବା ଅଭିଯୋଗରେ କେନ୍ଦୁଝର ଟାଉନ୍ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କଣ୍ଡରାପସି ଗ୍ରାମର ସୁଧୀର ବିଶ୍ୱକର୍ମାଙ୍କ ୨୫ ବର୍ଷୀୟ ପୁଅ ଜଗନ୍ନାଥ ବିଶ୍ୱକର୍ମା ଓରଫ ପପୁ।
ମିଳିଥିବା ସୂଚନା ଅନୁଯାୟୀ, ୦୨.୦୯.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୨:୦୬ ସମୟରେ ପୀଡ଼ିତା ଟାଉନ୍ ପୋଲିସ ଷ୍ଟେସନରେ ହାଜର ହୋଇ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତା ର ଧାରା ୬୯ ଏବଂ ୮୧ ଅନୁଯାୟୀ ମାମଲା ନମ୍ବର ୮୭୨ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।ତଦନ୍ତରୁ ପ୍ରକାଶ ଯେ, ଅଭିଯୁକ୍ତ ଜଗନ୍ନାଥ ବିଶ୍ୱକର୍ମା ଗତ ୭ ବର୍ଷ ଧରି ପୀଡ଼ିତାଙ୍କ ସହ ପ୍ରେମ ସମ୍ପର୍କ ରଖିଆସୁଥିଲେ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁହେଁ କେନ୍ଦୁଝର ଟାଉନ୍ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଏକ ଭଡ଼ା ଘରେ ଏକାଠି ରହୁଥିଲେ।
ଏହି ସମୟ ମଧ୍ୟରେ ସେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପୀଡ଼ିତା ବର୍ତ୍ତମାନ ୬ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଜଗନ୍ନାଥ ତାଙ୍କୁ ପ୍ରାୟ ୩ ମାସ ପୂର୍ବରୁ ଛାଡ଼ି ପଳାଇଥିଲେ।ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଡିଏଫଏସଏଲ ର ବୈଜ୍ଞାନିକ ଅଧିକାରୀଙ୍କ ଉପସ୍ଥିତିରେ ଘଟଣାସ୍ଥଳ ପରିଦର୍ଶନ କରାଯାଇଥିଲା।ଭାରତୀୟ ନ୍ୟାୟ ସଂହିତା ର ଧାରା ୧୮୦ ଅନୁଯାୟୀ ଅଡିଓ-ଭିଡିଓ ମାଧ୍ୟମରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଅନ୍ୟାନ୍ୟ ସାକ୍ଷୀମାନଙ୍କୁ ପଚରାଉଚୁରା କରାଯାଇଛି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଜୈବିକ ନମୁନା ଓ ପୋଷାକ ଜବତ କରାଯାଇଛି।
ସମସ୍ତ ଆଇନଗତ ପ୍ରକ୍ରିୟା ପୂରଣ କରିବା ପରେ ୦୨.୦୯.୨୦୨୬ ରାତି ୯:୩୦ ସମୟରେ ଅଭିଯୁକ୍ତ ଜଗନ୍ନାଥଙ୍କୁ ଗିରଫ କରାଯାଇଥିଲା। ତାଙ୍କର
ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ୦୩.୦୯.୨୦୨୬ ରେ ଏସଡିଜିଏମ କୋର୍ଟ, କେନ୍ଦୁଝରକୁ ନ୍ୟାୟିକ ରିମାଣ୍ଡ ପାଇଁ ପଠାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ଏବଂ ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ ସୂଚନା ଦେଇଛି। କେନ୍ଦୁଝରରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।