କେନ୍ଦୁଝର(କେନ୍ଦୁଝର): ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମରେ ଆଗାମୀ ଶାରଦୀୟ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ।ଏହି ଅବସରରେ ଗ୍ରାମବାସୀ, ଶ୍ରଦ୍ଧାଳୁ ତଥା ପୂଜା କମିଟିର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନି ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ନିକଟସ୍ଥ ଐତିହାସିକ ‘ଆହାର ବନ୍ଧ’ ନିକଟକୁ ଯାଇଥିଲେ। ସେଠାରେ ପୂଜକଙ୍କ ବେଦମନ୍ତ୍ର ଉଚ୍ଚାରଣ ସହ ଜଳାଶୟ ତଟରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା ।
ପୂଜାର୍ଚ୍ଚନା ପରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ମୃଣ୍ମୟୀ ପ୍ରତିମା ନିର୍ମାଣ ଲାଗି ପବିତ୍ର ଶୁଭ ମାଟି ସଂଗ୍ରହ କରାଯାଇଥିଲା। ମାଟି ସଂଗ୍ରହ ପରେ ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ତାଳେ ତାଳେ ଗ୍ରାମ ପରିକ୍ରମା କରି ମୁଖ୍ୟ ପୂଜା ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଗ୍ରାମର ମହିଳାମାନେ ଝୋଟି, ଦୀପ ଓ ଚନ୍ଦନ ଦେଇ ପାରମ୍ପରିକ ରୀତିରେ ବନ୍ଦାପନା କରି ଶୁଭ ମାଟିକୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।