ଗଞ୍ଜାମ ଜିଲ୍ଲା କୋମାରେ ଧରାକୋଟ ବ୍ଲକ

ବି ଡି ଓ ପରେ ଏ ବି ଡି ଓ ପଦଵୀ ଖାଲି

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ଧରାକୋଟ ବ୍ଲକରେ ଏବେ ବି ଡି ଓ ସମେତ ଏ ବି ଡି ଓ ପଦ ଖାଲି ପଡିଛି। ସଂପ୍ରତି ବ୍ଲକ କାର୍ଯ୍ୟ ଅଚଳ ହୋଇପଡ଼ିବା ସହ ଏକ ରକମ କୋମା ସ୍ଥିତିରେ ପହଞ୍ଚିଛି। ଆଶ୍ଚର୍ଯ୍ୟର କଥା ପଞ୍ଚାୟତ ରାଜ ବିଧି ଵ୍ୟଵସ୍ଥାରେ ପଞ୍ଚାୟତ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଦୀର୍ଘ ପାଞ୍ଚ ମାସ ହେଲା ବି ଡି ଓ ପଦବୀ ଖାଲି ପଡିଥିବାରୁ ଉନ୍ନୟନ କାର୍ଯ୍ୟ ରସାତଳ ଗାମୀ ହେଲାଣି। ପ୍ରଶାସନର ଦାୟିତ୍ୱ ହୀନତା ସହ ବିଭିନ୍ନ ଦଳର ରାଜନେତା ମାନଙ୍କ ସ୍ଥାଣୁତା ସମସ୍ୟାକୁ ଦ୍ୱିଗୁଣିତ କରିଛି। ଗତ ଏପ୍ରିଲ 30 ତାରିଖ ଦିନ ଏଠାରେ କାର୍ଯ୍ୟରତ ଥିବା ବି ଡି ଓ ଅବସର ଗ୍ରହଣ କରିଥିଲେ ।

ଧରାକୋଟ ରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ଭଳି ଦୁଇଜଣ ଓ ଏ ଏସ ପଦାଧିକାରୀ ରହିଥିଲେ ମଧ୍ୟ ଏଠାରୁ 20 କିମି ଦୂରରେ ଥିବା ଶେରଗଡ ବି ଡି ଓ ଙ୍କୁ ଧରାକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱ କାହିଁକି ଏବଂ କାହା ସ୍ୱାର୍ଥରେ ଦିଆଯାଇଛି ତାହାର ଉତ୍ତର କାହା ପାଖରେ ନାହିଁ। ସମସ୍ତ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବି ଡି ଓ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିଜ ବ୍ଲକ ଶେରଗଡ ର କାର୍ଯ୍ୟ ତଦାରଖ କରିବାରେ ସମୟ ଦେଉଥିବାରୁ ଧରାକୋଟ ବ୍ଲକ ବି ଡି ଓ ଙ୍କ ପାଇଁ ସାବତ ପୁଅ ଭଳି ହୋଇଛି। ଏଣୁ ଫାଇଲ ସବୁ ଶେରଗଡ ବୁହା ହେଉଛି। ଉନ୍ନୟନ କାର୍ଯ୍ୟର ବିଲ ପୈଠ ପାଇଁ ମାସ ମାସ ସମୟ ଲାଗୁଥିବା ବେଳେ ଦୀର୍ଘ ତିନିମାସ ପୂର୍ବରୁ ମଞ୍ଜୁରୀ ପାଇଥିବା ବୃଦ୍ଧ ବୃଦ୍ଧା ମାନଙ୍କ ଭତ୍ତା କାର୍ଡ ମଧ୍ୟ ଦସ୍ତଖତ ନହୋଇ ପଡ଼ିରହିଛି ଯେଉଁଥି ପାଇଁ ଅଡିଟ ପ୍ରତିବାଦ କରିବାର ସମ୍ଭାବନା ରହିଛି ।

ଜରୁରୀ ଭି ସି ପାଇଁ ମଧ୍ୟ ଧରାକୋଟ ରୁ କର୍ମଚାରୀ ମାନେ ଶେରଗଡ ଯାଉଛନ୍ତି। କିଛି ବଦାନ୍ୟ ବ୍ୟକ୍ତି ବି ଡି ଓ ଙ୍କୁ ରାସ୍ତା ନିର୍ମାଣ ସକାଶେ ଜମି ଦାନ କରିବା ପାଇଁ ଦସ୍ତାବିଜ ପ୍ରସ୍ତୁତ କରି ରଖିଥିଲେ ମଧ୍ୟ ମାସ ମାସ ଧରି ବି ଡି ଓ ଙ୍କ ଟେବୁଲ ରେ ପଡି ରହିଛି। କେବଳ ଜରୁରୀ କାର୍ଯ୍ୟ କିମ୍ବା ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀ ଆସିବା ଦିନ ବି ଡି ଓ ଙ୍କ ଧରାକୋଟ ରେ ଦେଖା ମିଳୁଛି। ସାଧାରଣ ଜନତା ନିଜ ନିଜର ଦାବୀ ଉପସ୍ଥାପନ ରୁ ବଞ୍ଚିତ ହେଉଥିବା ବେଳେ କିଛି ଲୋକ ଖର୍ଚ୍ଚାନ୍ତ ହୋଇ ଅନିଚ୍ଛା ସତ୍ୱେ ଶେରଗଡ ଦୌଡୁଛନ୍ତି ।

ଏହା ମଧ୍ୟରେ ସେପ୍ଟେମ୍ବର 30 ତାରିଖ ଦିନ ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ ଙ୍କ ଭି ଆର ଏସ ମଞ୍ଜୁର ହେବାରୁ ସେ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି। ସଂପ୍ରତି ଏ ବି ଡି ଓ ଦାୟିତ୍ୱରେ ଅତିରିକ୍ତ ଭାର ସମ୍ଭାଳୁ ଥିବା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରହିଛନ୍ତି। ଉଭୟ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବାରୁ ବ୍ଲକ କାର୍ଯ୍ୟଳୟ କୁ କର୍ମଚାରୀ ମାନେ କିଏ କେତେବେଳେ ଆସନ୍ତି କିଏ କେତେବେଳେ ଯାଆନ୍ତି ତାର ହିସାବ ନାହିଁ। ବ୍ଲକରେ 4 ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ, 3 ଟି ଏ ଡି ଇ ଓ,4 ଟି କନିଷ୍ଠ ଯନ୍ତ୍ରୀ, ଜି ପି ଡି ଓ ଏବଂ କନିଷ୍ଠ ରାଜସ୍ୱ ସହାୟକ,4 ଟି ପିଅନ ପଦବୀ ଖାଲି ପଡିଛି।ନାହିଁ ନାହିଁରେ ଚାଲିଛି ଧରାକୋଟ ବ୍ଲକ ,ଏଣୁ ଲୋକେ ଏହା ଉପରୁ ଆସ୍ଥା ହରାଇଲେଣି। ଗଞ୍ଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।