ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଚାଲିଛି ଗୁପ୍ତ ଟେଣ୍ଡର କେଳଙ୍କାରୀ

ଦୀର୍ଘବର୍ଷ ଧରି ଜଣେ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ହେଉଛି ଟେଣ୍ଡର

ଧାମନଗର(ସାକ୍‌ସୀ ନ୍ୟୁଜ୍‌): ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ, ଚାନ୍ଦବାଲି ଅଧୀନରେ ଏକ ବଡ଼ ଧରଣର ଗୁପ୍ତ ଟେଣ୍ଡର କେଳଙ୍କାରୀ ସାମ୍ନାକୁ ଆସିଛି। ବିଭିନ୍ନ ପ୍ରକଳ୍ପ ତଥା ଟେଣ୍ଡରରେ ଅନିୟମିତତା, ମିଥ୍ୟା ଭାଉଚ୍ଚର, ସ୍ୱଳ୍ପ କାମରେ ଅତ୍ୟଧିକ ବିଲ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇ ଥିବା ନେଇ ଆର ଟି ଆଇ କାଗଜପତ୍ରରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ କି ଏହି କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ପ୍ରକଳ୍ପର କାର୍ଯ୍ୟ ନେଇ ଆର୍ଥିକ ବର୍ଷ ୨୦୨୫-୨୬ ରେ ଟେଣ୍ଡର ଆହ୍ୱାନ ହୋଇଥିଲା। ତନ୍ମଧ୍ୟରୁ ବମ୍ବୁ ଗବିଅନ (ଟ୍ରି ଗାର୍ଡ)ପ୍ରକଳ୍ପ ଏବଂ ମୁଖ୍ୟ କାର୍ଯ୍ୟାଳୟ ଓ ବିଭିନ୍ନ ରେଞ୍ଜ ଅଫିସରେ ଲାଗିଥିବା ପ୍ରାଇଭେଟ୍ ଗାଡ଼ି ନେଇ ଟେଣ୍ଡର ହୋଇଥିଲା। ହେଲେ ଜଣେ ବ୍ୟକ୍ତି ଏବଂ ଉକ୍ତ ବ୍ୟକ୍ତି ମାଲିକାନାରେ ଥିବା ଏକ ଏଜେନ୍ସି ନାମରେ ଏକାଧିକ ଗାଡ଼ି ଟେଣ୍ଡର ପାଇବା ସହ ବିଗତ ବହୁ ବର୍ଷ ଧରି ଟ୍ରି ଗାର୍ଡ ପ୍ରକଳ୍ପ ଓ ଏକାଧିକ ଗାଡ଼ି ଯୋଗାଇଦେବା ନେଇ ଟେଣ୍ଡର ପାଇବା କଥା ତଥ୍ୟରୁ ଜଣାପଡିଛି। କେତେକ ତଥ୍ୟ ସ୍ପଷ୍ଟ ଓ ସମ୍ପୂର୍ଣ୍ଣ ଭାବେ ମିଳିନଥିବା ବେଳେ, ଗୋଟେ ତଥ୍ୟର ଏକାଧିକ କପି ଦିଆଯାଇଥିବାରୁ ତଥ୍ୟର ସ୍ପଷ୍ଟତା ନେଇ ନାନାଦି ପ୍ରଶ୍ନ ସୃଷ୍ଟି ହେବା ସହ ସନ୍ଦେହ ଘନୀଭୂତ ହୋଇଛି।
ତେବେ ତଥ୍ୟ ଅନୁଯାୟୀ ଓଡ଼ିଶା ସରକାର ଙ୍କ ଅର୍ଥ ବିଭାଗ ର ମେମୋରେଣ୍ଡମ ନଂ ୧୫୮୩୬/ଏଫ/ ୨୭/୫/୨୫ ଅନୁଯାୟୀ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ, ଚାନ୍ଦବାଲି ପକ୍ଷରୁ ଆର୍ଥିକ ବର୍ଷ ୨୫-୨୬ ଚିଠି ନଂ ୫୬୬୫-ଆଇଏଫ୍ – ୪୨୭/୨୦୨୫, ତା ୧୭/୧୦/୨୫ ରେ ମୋଟ ୬ ଟି ପ୍ରାଇଭେଟ ଭଡ଼ା ଗାଡ଼ି ନେଇ ଟେଣ୍ଡର ହୋଇଥିଲା ଏନେଇ ବିଭିନ୍ନ ବ୍ୟକ୍ତି ବା ଏଜେନ୍ସି ମାନେ ତା ୧୮/୧୦/୨୫ ରୁ ୨୮/୧୦/୨୫ ମଧ୍ୟରେ ଆବେଦନ ସହ ଅନ୍ୟାନ୍ୟ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। କୌଣସି କାରଣ ଯୋଗୁଁ ତା ୨୮/୧୦/୨୫ ରେ ଟେଣ୍ଡର କାର୍ଯ୍ୟକୁ ସ୍ଥଗିତ ରଖିବା ସହ ପୁନର୍ବାର ଟେଣ୍ଡର ଆବେଦନ ପାଇଁ ୩୧/୧୦/୨୫ ରୁ ୧/୧୧/୨୫ ତାରିଖ ଧାର୍ଯ୍ୟ ଥିବା ବେଳେ ତା ୩ /୧୧/ ୨୫ ଟେଣ୍ଡର ପ୍ରକ୍ରିୟା ସାରିବାକୁ ମୁଖ୍ୟ କାର୍ଯ୍ୟାଳୟ(କୋରିଜେଣ୍ଡମ ଆଇ ଆଇ)ରେ ଚିଠି ହୋଇଥିଲ। ପୁନଶ୍ଚ ଟେଣ୍ଡର ଅବଧି ନେଇ ଦ୍ୱିତୀୟ ଘୋଷଣା ରେ ସମୟ ପୁରିନଥିବା ବେଳେ ବିଶେଷ କାରଣରୁ ୧/୧୧/୨୫ ରେ ଟେଣ୍ଡର ଓପନିଙ୍ଗ ହେବାକୁ ଥିବାବେଳେ ତା ୩/୧୧/୨୫ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କାର୍ଯ୍ୟାଳୟ ତା ୩୧/ ୧୦/୨୫(କୋରିଜେଣ୍ଡମ ଆଇଆଇଆଇ)ରେ ଚିଠି ହୋଇଥିଲା ।

ତେବେ ଟେଣ୍ଡର ଅବଧି ନେଇ ତା ୨୮/୧୦/୨୫ କୋରିଜେଣ୍ଡମ (ଆଇ ଆଇ) ରେ ଯେଉଁ ନିର୍ଦ୍ଦେଶ ରହିଥିଲା ତାହା ପୁଣି ତା ୩୧/୧୧/୨୫ କୋରିଜେଣ୍ଡମ (ଆଇ ଆଇ ଆଇ) ସମାନ ଚିଠି ପ୍ରକାଶ ହେବା ଟେଣ୍ଡର ପ୍ରକ୍ରିୟା ସ୍ୱଚ୍ଛତା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ପ୍ରକାଶ ଥାଉକି ଭଡ଼ା ଗାଡ଼ି ନେଇ ମୋଟ ୯ ଜଣ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ। ସେଥିରୁ ୩ ଟି ଗାଡ଼ିର ଟେକ୍ନିକାଲ ସମସ୍ୟା ନେଇ କମିଟି ପକ୍ଷରୁ ରଦ୍ଦ କରାଯାଇଥିବା ବେଳେ ବାକି ୬ ଟି ଗାଡ଼ି ମହାବୀର ଏଜେନ୍ସୀ /ମହେନ୍ଦ୍ର କୁମାର ମଲ୍ଲିକଙ୍କ (୩ ଟି), ରମେଶ ନାୟକଙ୍କ(୧ ଟି), ମିଲନ କୁମାର ମହାନ୍ତିଙ୍କ(୧ଟି) ଓ ଜୟନ୍ତ ମହାକୁଡ଼ଙ୍କ (୧ ଟି) ନାମରେ ଚୟନ କରାଯାଇଥିଲା। ମୁଖ୍ୟ ପ୍ରସଙ୍ଗ ଯାହାକି, ମହାବୀର ଏଜେନ୍ସୀ ନାମରେ ୨ ଟି ମହିନ୍ଦ୍ରା ବୋଲେରୋ (ଓଡ଼ି ୨୨ ଏ ସି ୭୭୪୫), (ଓଡ଼ି ୨୨ ଏ ସି ୭୭୩୨) ଗାଡିର ରେଜିଷ୍ଟ୍ରେସନ ତାରିଖ ୩୦/୧୦/୨୫ ଥିବା ବେଳେ ମହେନ୍ଦ୍ର କୁମାର ମଲ୍ଲିକ ନାମରେ (ଓଡ଼ି ୨୨ ଏଡି ୫୪୪୫) ଗାଡ଼ିର ରେଜିଷ୍ଟ୍ରେସନ ତାରିଖ ୧୬/୮/୨୫ ରହିଛି। ଯାହାକି ପ୍ରଥମ ଟେଣ୍ଡର ଶେଷ ତାରିଖ ୨୮/୧୦/୨୫ ପରେ ମହାବୀର ଏଜେନ୍ସୀଙ୍କ ଦ୍ଵାରା ଏକ ସାଙ୍ଗେ କମ୍ପାନୀ ଠାରୁ ଗାଡ଼ି କିଣା ଯାଇଥିଲା। ବାକି ଅନ୍ୟ ଯେତକ ସବୁ ଗାଡ଼ି ଟେଣ୍ଡର ଘୋଷଣା ପୂର୍ବରୁ କିଣା ଯାଇଥିଲା ବୋଲି ସୂଚନା ତଥ୍ୟ ଆଇନ ଆଧାରରେ ଜଣାପଡିଛି। ଅନ୍ୟପକ୍ଷେ ଦେଖିବାକୁ ଗଲେ ମନରେଗା ଯୋଜନାରେ ବିଭିନ୍ନ ପ୍ଲାଣ୍ଟେସନ ର ସୁରକ୍ଷା ବାଡ଼ ବା ଟ୍ରୀ ଗାର୍ଡ଼ କାର୍ଯ୍ୟ ନେଇ କେବଳ ମହାବୀର ଏଜେନ୍ସୀ ଓ ଏହାର ପ୍ରୋପାଇଟର ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ବର୍ଷ ବର୍ଷ ବିଶେଷ ଭାବେ ଆର୍ଥିକ ବର୍ଷ (୨୦୨୧-୨୨),(୨୦୨୨-୨୩),(୨୦୨୩-୨୪) ଏବଂ (୨୦୨୪-୨୫) ବାରମ୍ବାର ଗୋଟିଏ ଲୋକ ବିଭିନ୍ନ ନାମ ପରିବର୍ତ୍ତନ କରି ଟେଣ୍ଡର ପାଉଥିବା ବେଳେ ଅନ୍ୟମାନେ କିପରି ଭାବେ ପାଉ ନାହାନ୍ତି, ଯାହାକି ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ନିୟୋଜିତ ବୋଟ ଏବଂ ବିଭିନ୍ନ ଭଡ଼ା ଗାଡ଼ିକୁ ବ୍ୟବହାର ନେଇ ବିନା ସରକାରୀ କର୍ମଚାରୀ ଓ ଡ୍ରାଇଭର ବିନା ଦସ୍ତଖତରେ ତେଲ ବିଲ କରାଯାଇଛି ବୋଲି ଗାଡ଼ିର ଲଗ ବୁକ୍ ତଥ୍ୟ ରୁ ଜଣାପଡିଛି। ଏଥିସହ କାର୍ଯ୍ୟାଳୟ ପକ୍ଷରୁ ଗୋଟେ ସ୍ପିଡ୍ ବୋଟ ଓ ଅନ୍ୟଟି ସହାୟକ ବୋଟ ନିୟୋଜିତ ରହିଥିବା ସ୍ଥଳେ କେବଳ ସ୍ପିଡ ବୋଟ ସ୍ୱଳ୍ପ ବ୍ୟବହାର କରି ଅଧିକ ବିଲ ପୈଠ କରିବା ଏବଂ ସହାୟକ ବୋଟକୁ ବ୍ୟବହାର ନକରି ଏହାର ତେଲ ଭାଉଚର ରେ ଜାଲିଆତି ବିଲ ପୈଠ କରି ଅର୍ଥ ହଡ଼ପ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନା ଆଇନ ଆଧାରରେ ୪ ବର୍ଷର ସୂଚନା ତଥ୍ୟ ଦେବା ବଦଳରେ ଏକ ବର୍ଷର ତଥ୍ୟକୁ ୪ ଟି ନକଲ ତଥ୍ୟ ପ୍ରଦାନ, ବାରମ୍ବାର ଗୋଟିଏ ଲୋକ ନାମରେ ବହୁ ବର୍ଷ ଧରି ବିଭିନ୍ନ ପ୍ରକଳ୍ପ ରେ ଟେଣ୍ଡର ହେବା, ଟେଣ୍ଡର ତାରିଖ ବାରମ୍ବାର ଘୁଞ୍ଚାଇ ଗାଡ଼ି ମାଲିକଙ୍କୁ ଭଡ଼ା ଦେବାକୁ ସହଯୋଗ କରିବା ଆଦି ବେଆଇନ୍ କାର୍ଯ୍ୟ ବା ଟେଣ୍ଡର ଫିକ୍ସିଙ୍ଗ ହେବା ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ କିଛି ସରକାରୀ ଅଧିକାରୀଙ୍କ ସାମିଲ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ଉପରିସ୍ଥ ଅଧିକାରୀ କିମ୍ବା ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏସଂପର୍କରେ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅରୁଣ କୁମାର ବିଶ୍ୱାଳଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରି ନାହିଁ। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।