ଆସିଲାଣି ପାର୍ବଣ: ଚୋରା ମଦରେ ଉବୁଟୁବୁ ଧାମନଗର ଅଞ୍ଚଳ

ଧାମନଗର(ସାକ୍‌ସୀ ନ୍ୟୁଜ୍‌): ଆସୁଛି ପବିତ୍ର ପାର୍ବଣ ଋତୁ ଚାରିଆଡ଼େ ଆନନ୍ଦ ଓ ଉଲ୍ଲାସର ପରିବେଶ ରହିବା କଥା। କିନ୍ତୁ ଧାମନଗର ବ୍ଲକ୍ ଅଧୀନ ବେତାଳିଗାଁ, ଅସୁରାଳି ଏବଂ ସହିଦ୍ ନଗର, କୋଠାର, ନଦୀଗାଁ, ଶ୍ରୀରାମପୁର, କଣ୍ଟିକା ଅଞ୍ଚଳରେ ବେଧଡ଼କ ଭାବେ ବଢ଼ିଚାଲିଛି ଚୋରା ନିଶା ଓ ମଦ କାରବାର। ଅବକାରୀ ବିଭାଗର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଓ ଦାୟିତ୍ବହୀନତାର ସୁଯୋଗ ନେଇ କିଛି ଅସାଧୁ ବେପାରୀ ନିଜର ବ୍ୟବସାୟ ବଢ଼ାଇ ଚାଲିଛନ୍ତି। ମଙ୍ଗଳପୁର, କଲ୍ୟାଣୀ, ମାଙ୍କିଡ଼ିଆ, ନନ୍ଦ ବଜାର, କୋରୁଆ, ଗୋବିନ୍ଦପୁର, ମଙ୍ଗଳପୁର ଛକ ପାୟାସାହି ଅଞ୍ଚଳରେ ଖୋଲାଖୋଲି ଭାବେ ବ୍ରାଉନସୁଗର, ଭାଙ୍ଗ ଓ ଦେଶୀ ମଦ ବିକ୍ରି ହେଉଥ‌ିବା ଅଭିଯୋଗ ହୋଇଛି ।

ଯୁବପିଢ଼ିଙ୍କୁ ଟାର୍ଗେଟ୍ କରି ଏହି କାରବାର ଚାଲିଥିବାବେଳେ ଏହାର ପ୍ରଭାବରେ ଅଞ୍ଚଳର ଶିକ୍ଷିତ ଯୁବକ, ଦିନମଜୁରିଆ ଏପରିକି ବହୁ ନାବାଳକ ମଧ୍ଯ ଏହି ନିଶାର କବଳରେ ପଡ଼ି ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି। ଅଧିକ ମାତ୍ରାରେ ନିଶା ସେବନ କରି ଅନେକ ଯୁବକ ଘରକୁ ମଧ୍ଯ ଫେରିପାରୁନାହାନ୍ତି। ଯାହାଫଳରେ ପ୍ରତିଦିନ ପାରିବାରିକ ଅଶାନ୍ତି ଓ ବିବାଦ ମୁଣ୍ଡ ଟେକୁଛି। ଦୋକାନ ବଜାରଠାରୁ ଆରମ୍ଭ କରି ପବିତ୍ର ମନ୍ଦିର ପରିସର ପର୍ଯ୍ୟନ୍ତ ଏହି ନିଶାଡ଼ିମାନେ ନିର୍ଭୟରେ ଉତ୍ପାତ ଚଳାଇଛନ୍ତି। ମନ୍ଦିରର ହବନ, ପୂଜା ସାମଗ୍ରୀ ଓ ଠାକୁରଙ୍କ ଗହଣା ଆଦି ଚୋରି ହେବା ସହ ହାଟ-ବଜାରରେ ସାଧାରଣ ଲୋକଙ୍କ ମୋବାଇଲ୍ ଓ ପର୍ସ ଛିନ୍‌ତାଇ ଭଳି ଅଘଟଣ ବୃଦ୍ଧି ପାଉଛି। ମନ୍ଦିର ନିକଟରେ ଏପରି ଅସାମାଜିକ କାର୍ଯ୍ୟକଳାପ ଦେଖ୍ ସାଧାରଣ ରଣ ଜନତ ତା ଏବଂ ମନ୍ଦିର କମିଟି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

ଏତେ ସବୁ ବଡ଼ ବଡ଼ ଅପରାଧ ଏବଂ ବିନା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲାଖୋଲି ଚାଲିଥିଲେ ମଧ୍ୟ ଅବକାରୀ ଏବଂ ପୁଲିସ ପ୍ରଶାସନର ଏହା ଉପରେ କୌଣସି ନଜର ନାହିଁ। କେବଳ କିଛି ସ୍ଥାନୀୟ ଛୋଟ ମଦ ବେପାରୀଙ୍କୁ ନାମକୁ ମାତ୍ର ଧରି ଦେଖାଇ ହେଉଥିବାବେଳେ ପ୍ରକୃତ ମାଷ୍ଟରମାଇଣ୍ଡମାନେ ସୁରକ୍ଷିତ ରହୁଛନ୍ତି। ପାର୍ବଣ ଋତୁ ଆସିଥିବାରୁ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖୁବା ପାଇଁ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ତୁରନ୍ତ ଏହି ଚୋରା ମଦ କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ହେଉଛି ।