ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମ୍ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ By Pujarani Biswal Last updated Oct 29, 2026 ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲରେ ଆମେ ସଫଳ ହୋଇଛୁ । ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନୀର ସୂଚନା ନାହିଁ । ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ କଣ୍ଟୋଲ୍ ରୁମ୍ରେ ବାତ୍ୟା ‘ଅର୍ଣ୍ଣବ’ ପରିଚାଳନାର ସମୀକ୍ଷା କରିବା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ତାଙ୍କ ସହ ଅନେକ ଥର ଫୋନରେ କଥା ହୋଇ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସରକାର ମଧ୍ୟ ଆନ୍ଧ୍ର ସରକାରଙ୍କ ସହିତ ଯୋଗାଯୋଗରେ ଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ SRCଙ୍କ କଣ୍ଟ୍ରୋଲ୍ ରୁମ୍ରେ ବାତ୍ୟା ଅର୍ଣ୍ଣବ’ର ସ୍ଥିତି ଓ ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । SRC, ଶ୍ରୀ ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବାତ୍ୟା ପରିଚାଳନା ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ବିଭିନ୍ନ ଜିଲ୍ଲାରେ ତଦାରଖ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ସହିତ ସେଠାକାର ପରିସ୍ଥିତି ଓ ପରିଚାଳନା ବିଷୟରେ ପଚାରି ବୁଝିଥିଲେ। କୋରାପୁଟ ତଦାରଖ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଗଜପତିରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମାଲକାନଗିରିରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ବର୍ଷା ସ୍ଥିତି, କ୍ଷୟକ୍ଷତି, ନଦୀ ଜଳସ୍ତର, ଆଶ୍ରୟସ୍ଥଳୀର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସମୀକ୍ଷା ପରେ ଗଣମାଧ୍ୟମ ଆଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୧୭ଟି ବ୍ଲକ୍ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଓ ଗଜପତିର ମୋହନାରେ ୧୮୨.୪ ମିଲିମିଟର ବର୍ଷା ହୋଇଛି । ତେବେ ଜିଲ୍ଲା ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ଆମର ଯଥେଷ୍ଟ ଦକ୍ଷତା ରହିଛି ଏବଂ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିଲା । ତେଣୁ ପରିସ୍ଥିତିର ମୁକାବିଲାରେ ଆମେ ସଫଳ ହୋଇଥିଲୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ବାତ୍ୟାର ମୁକାବିଲା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ୬ ଜଣ ମନ୍ତ୍ରୀ ଏବଂ ୭ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଥିଲା । ଆହୁରି ପଢ଼ନ୍ତୁ... ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଧାନ… Oct 29, 2026 ବାତ୍ୟା ‘ଅର୍ଣ୍ଣବ’… Oct 29, 2026 ସହରାଞ୍ଚଳରେ ପ୍ରାକୃତିକ ଜଳ… Oct 29, 2026 ଷଷ୍ଠ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ… Oct 29, 2026 ବାତ୍ୟା ମୁକାବିଲା ପାଇଁ ସମୁଦାୟ ୩୧୩ଟି ରେସ୍ପନ୍ସ ଟିମ୍ ନିୟୋଜିତ ରହିଛି ଏଥିରେ ୬୦ଟି ଓଡ୍ରାଫ୍, ୯ଟି ଏନ୍.ଡି.ଆର୍.ଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ୮ଟି ଜିଲ୍ଲାର ୬୩୪ଟି ଆଶ୍ରୟ ସ୍ଥଳୀରେ ୪୩, ୮୨୭ ଲୋକଙ୍କୁ ସୁରକ୍ଷିତ ରଖାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା- ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ନୂଆପଡା। ରିଲିଫ କ୍ୟାମ୍ପ ଗୁଡ଼ିକରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ପାନୀୟ ଜଳ, ଔଷଧ ଓ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି । ଏହି ସମୟରେ ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ଏବଂ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ତଟରୁ ମତ୍ସ୍ୟଜୀବୀ ମାନେ ୧୯, ୧୪୩ଟି ବୋଟ୍ରେ ସମୁଦ୍ରକୁ ଯାଇଥିଲେ, ସେମାନେ ସମସ୍ତେ କୂଳକୁ ଆସିଛନ୍ତି। ସେମାନଙ୍କୁ ଫେରାଇ ଆଣିବାରେ ଆମେ ଶତ-ପ୍ରତିଶତ ସଫଳ ହୋଇଛୁ ବୋଲି ସେ କହିଥିଲେ । ବର୍ତ୍ତମାନ ମଧ୍ୟ ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ତଳିଆ ଅଞ୍ଚଳରେ ପାଣିଘେର ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି । ସେଥିପାଇଁ ବ୍ୟାପକ ପମ୍ପ୍ ବନ୍ଦୋବସ୍ତ କରି ଜଳ ନିଷ୍କାସନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହି ସମୀକ୍ଷାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ SRCଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । Continue Reading ArnabCM Mohan MajhiCycloneshaksinews Share