କେନ୍ଦୁଝର/ପାଟଣା(ସାକ୍ସୀ ନ୍ୟୁଜ୍): କେନ୍ଦୁଝର ଜିଲ୍ଲାପାଟଣା ବ୍ଲକ ଡୁମୁରିଆ ଗ୍ରାମ ପଂଚାୟତ ବାଲିଯୋଡି ନିକଟ ବାଘଧରା ହୁଡ଼ି ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ହୋଇଛି। ପାଞ୍ଚମାସ ତଳେ ନିଖୋଜ ବିବାହିତା କୁନି ମହାନ୍ତ ବୋଲି ଚିହ୍ନଟ କରାଯାଇଛି। ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ; ସାଇଣ୍ଟିଫିକ୍ ଟିମ୍ର ଛାନ୍ଭିନ୍, ସ୍ୱାମୀ ଥାନାରେ ଅଟକ ଘଟଗାଁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡ଼ି ନିକଟସ୍ଥ ବାଘଧରା ହୁଡ଼ି ସଂରକ୍ଷିତ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉଦ୍ଧାର ହୋଇଥିବା କଙ୍କାଳଟି ଗତ ପ୍ରାୟ ୫ ମାସ ଧରି ନିଖୋଜ ଥିବା ସ୍ଥାନୀୟ ବିବାହିତା ମହିଳା କୁନି ମହାନ୍ତଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି। ଅନ୍ୟପକ୍ଷରେ, ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦିଆଯାଇଥିବା ନେଇ ବାପଘର ପକ୍ଷରୁ ସଙ୍ଗିନ ଅଭିଯୋଗ ଅଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ କିଛି ଛେଳି ଚରାଳି ବାଘଧରା ହୁଡ଼ି ଜଙ୍ଗଲ ମଧ୍ୟକୁ ଯାଇଥିବା ବେଳେ ସେଠାରେ ଏକ ମଣିଷ ଖପୁରୀ, ହାଡ଼, ହାତ ଚୁଡ଼ି, ବେକ ମାଳି ଏବଂ ଗଛରେ ଏକ ଶାଢ଼ୀ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଗାଁ ଥାନା ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସାମଗ୍ରୀଗୁଡ଼ିକୁ ଜବତ କରିବା ସହ ଘଟଣାସ୍ଥଳକୁ ସିଲ୍ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।
ଆଜି ସକାଳେ କେନ୍ଦୁଝରରୁ ଏକ ସାଇଣ୍ଟିଫିକ୍ (ଫରେନସିକ୍) ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ଓ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରିଛି। ପୋଲିସ ପକ୍ଷରୁ କୁନିଙ୍କ ବାପଘର ଲୋକଙ୍କୁ ଡକାଯାଇଥିବା ବେଳେ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଗଛରେ ଲାଗିଥିବା ଶାଢ଼ୀ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସାମଗ୍ରୀ ଦେଖି ଏହା ନିଜ ଝିଅର ବୋଲି ଚିହ୍ନଟ କରିଥିଲେ। ମୃତ ମହିଳା ଜଣକ ଘାଟବାଲିଯୋଡ଼ି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ବୋଲି ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୫ ମାସ ପୂର୍ବେ କୁନି ନିଖୋଜ ହୋଇଯାଇଥିଲେ। ତେବେ ଶାଶୂଘରଠାରୁ ମାତ୍ର ପ୍ରାୟ ଏକ କିଲୋମିଟର ଦୂର ସଂରକ୍ଷିତ ଜଙ୍ଗଲରୁ ଏପରି ଭାବେ କଙ୍କାଳ ଉଦ୍ଧାର ହେବା ଘଟଣା ବହୁ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ଶବ ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। ଏହି ଘଟଣାରେ ଘଟଗାଁ ଥାନାରେ କେସ୍ ନଂ ୫୪୦/୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଧିକ ତଥ୍ୟ ହାସଲ ତଥା ନିରପେକ୍ଷ ତଦନ୍ତ ପାଇଁ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତଙ୍କୁ ଥାନାରେ ଅଟକ ରଖି ଘନ ଘନ ପଚରାଉଚରା ଜାରି ରଖିଛି। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।