ଟ୍ରାନ୍ସଫର୍ମର ଚୋରିରେ ସଂପୃକ୍ତ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଗିରଫ

ମୋରଡା ଥାନା ପୋଲିସ ହାତରେ ଲାଗିଛି ସଫଳତା…

ମୟୂରଭଞ୍ଜ(ସାକ୍‌ସୀ ନ୍ୟୁଜ୍‌): ବାରିପଦା ମୋରଡା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଆସୁଥିଲେ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗର ଗିରଫ ସଦସ୍ୟ ମାନେ। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏଇ କିଛିଦିନ ହେବ ବାରମ୍ବାର ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଘଟଣା ସାମ୍ନାକୁ ଆସିଥିଲା। ଯାହାକୁନେଇ ଅଞ୍ଚଳବାସୀ ଅତିଷ୍ଠ ହେବା ସହିତ ପୋଲିସ ପାଇଁ ଚିନ୍ତା ବଢ଼ାଇବା ସାଂଗକୁ ଏନେଇ ବାରମ୍ବାର ଖବର ପ୍ରସାରଣ ମଧ୍ୟ ହୋଇଛି। ତେବେ ଏ ଘଟଣା ଉପରୁ ପରଦା ହଟାଇ ଅପରାଧୀଙ୍କ ନିକଟରେ ପହଁଚିବା ପାଇଁ ନୀରବରେ ଜାଲ ବିଛେଇ ଥିଲା। ଆଉ ମୋରଡା ଥାନା ପୋଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ ଆରମ୍ଭ କରି ଘଟଣାର ଛାନଭିନ ଜାରି ରଖିଥିଲା ।

ଆଜି 0୬.୧୧.୨୬ ଭୋର ସକାଳ ୩.୧୫ ସମୟରେ ଚିତ୍ରଡାର ଶିର୍ଷାପାଳ ଠାରେ ନାକାବନ୍ଦୀ ସମୟରେ ଦୁଇଟି ଚାରି ଚକିଆ ଯାନ ଯଥା ବେରିଙ୍ଗ ନମ୍ବର OD02BV9248 ମହିନ୍ଦ୍ରା xuv 500 ଏବଂ ବେରିଙ୍ଗ ନମ୍ବର JH05AR2666 ରାସଗବିନ୍ଦପୁର ପଟୁ ଶିର୍ଷାପାଳ ଅଭିମୁଖେ ଆସୁଥିବା ବେଳେ ସବ ଇନ୍ସପେକ୍ଟର ଚନ୍ଦନ କୁମାର ନାୟକଙ୍କୁ ସନ୍ଦେହ ହେବାରୁ ଗାଡିର ଖାନ ତଲାସୀ କରିଥିଲେ। ତେବେ ସେହି ସମୟରେ ଉକ୍ତ ଦୁଇ କାର ଭିତରୁ ବିଦ୍ୟୁତ ଟ୍ରାନ୍ସଫର୍ମର କର୍ସ ସମେତ କପର କଏଲ, ତାର କାଟିବା ଯନ୍ତ୍ର, ରେଞ୍ଚ, ତତ ସହିତ ଚୋରି କାର୍ଯ୍ୟରେ ବ୍ୟବହାର କରିବା ପାଇଁ ସେପ୍ଟି ବୁଟ ଚପଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ମୋଟ ଛଅଜଣ ରୁ ତିନିଜଣକୁ ପୋଲିସ କାବୁ କରିଥିବା ବେଳେ ରାତି ଅନ୍ଧାରର ସୁଯୋଗ ନେଇ ବାକି ତିନିଜଣ ପୋଲିସ ହାତରୁ ଖସିଯିବାରେ ସଫଳ ହୋଇଥିଲେ। ତେବେ ଏନେଇ ମୋରଡା ଥାନାରେ 0୬.୧୧.୨୦୨୬/କେସ ନମ୍ବର 427ରେ ବିଭିନ୍ନ ମାମଲା ରୁଜୁ କରି ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଅନୁସନ୍ଧାନରେ ବର୍ତ୍ତମାନ ସୁଦ୍ଧା ୯ଟି ଥାନାରେ ମୋଟ ୨୦ଟି ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କ ନାମରେ କେସ ରୁଜୁ ଥିବା ପୋଲିସ ଜାଣିବାକୁ ପାଇଛି ।

ତିନିଜଣ ଆନ୍ତରାଜ୍ୟ ଚୋରିରେ ସାମିଲ ଥିବା ଅଭିଯୁକ୍ତ ମାନେ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଦୁନ୍ଦୁ ଅଞ୍ଚଳର ବୋଲି ଜଣା ପଡିଛି। ତେବେ ଆଜିର ପୋଲିସ ପ୍ରେସମିଟରେ ଏସ ଡି ପି ଓ ମିନତୀ ବିଶ୍ୱାଳ ଅଭିଯୁକ୍ତ ସେକ ନୁରାନି, ସେକ ରିଜୱାନ ଓ ସେକ ମୋକବୁଲଙ୍କୁ ପୋଲିସ ଗିରଫ କରିବା ସହ ଚୋରିରେ ବ୍ୟବହୃତ ହୋଇଥିବା ଦୁଇଟି କାର, ୨୫କେଭି ଟ୍ରାନ୍ସଫର୍ମର ଓ ୧୬ କେଭି ଟ୍ରାନ୍ସଫର୍ମର ସହିତ ଚୋରିରେ ବ୍ୟବହୃତ ହୋଇଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହିତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ନେଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚୋରି ଘଟଣାରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ପୋଲିସ ସନ୍ଦେହ କରିବା ସହ ଆଗକୁ ତଦନ୍ତ ଜାରି ରଖିଛି। ତେବେ ଟ୍ରାନ୍ସଫରମାର ଚୋରି ଘଟଣାରେ ସଂପୃକ୍ତ ଆନ୍ତରାଜ୍ୟ ଚୋର ଗୋଷ୍ଠୀର ସଦସ୍ୟଙ୍କୁ ଗିରଫ କରିବାରେ ମୋରଡ଼ା ଥାନା ପୋଲିସର ସଫଳତା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାବାସୀ ଆଶ୍ବସ୍ତ ହେବା ସହିତ ମୋରଡ଼ା ଥାନା ପୋଲିସ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଧନ୍ୟବାଦ ଦେଉଥିବା ଲକ୍ଷ୍ୟ କରାଯାଉଛି ।

ଅନ୍ୟପଟେ ଆଗକୁ ଅନ୍ୟ ସଂପୃକ୍ତଙ୍କୁ ଧରିବାରେ ମୋରଡ଼ା ଥାନା ପୋଲିସ କେତେ ସଫଳ ହେଉଛି ତା ଉପରେ ସମସ୍ତଙ୍କ ନଜର। ସେହିପରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସମ୍ମାନ ସହ ମୋରଡ଼ା ଥାନାର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାରେ ପୋଲିସ କେତେ ସଫଳ ହେଉଛି ତାଉପରେ ସମସ୍ତଙ୍କ ନଜର ।