ଗଣତନ୍ତ୍ର ପାଇଁ ସମ୍ବିଧାନ ବଞ୍ଚିଛି- ମନ୍ତ୍ରୀ ସୂର୍ଯ୍ୟବଂଶୀ

ଭଦ୍ରକ(ସାକ୍‌ସୀ ନ୍ୟୁଜ୍‌): ଧାମନଗର ବିଜେପି ପକ୍ଷରୁ ଆନନ୍ଦ ବଜାରସ୍ଥିତ ଓଁ ଶାନ୍ତି କଲ୍ୟାଣ ମଣ୍ଡପରେ “ଅରାଜକତା ହଠାଓ ଗଣତନ୍ତ୍ର ବଞ୍ଚାଓ”ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବବ୍ୟାପାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାଧୀନତା ପରବର୍ତ୍ତୀ ଭାରତର ଗଣତନ୍ତ୍ର ସମ୍ବିଧାନ ଏବଂ ରାଜନୈତିକ ଘଟଣା ଉପରେ ଆଲୋକପାତ କରିଥିଲେ।ମନ୍ତ୍ରୀ ଶ୍ରୀ ସୂରଜ କହିଲେ,ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଆସିବ ଏବଂ ଯିବ।ଏହା ଏକ ସୁସ୍ଥ ସାମ୍ବିଧାନିକ ପ୍ରକ୍ରିୟା।ଆଜିର ସମୟରେ କିଛି ରାଜନୈତିକ ଦଳ କ୍ଷମତା ଲିପ୍ସୁ ମନୋଭାବ ଏବଂ ବିଦେଶୀ ଶକ୍ତିର ସହାୟତାରେ ଦେଶରେ ଅରାଜକତା ସୃଷ୍ଟି ଭଳି ହୀନ ଉଦ୍ୟମ କରୁଛନ୍ତି।ଯାହା ଗ୍ରହଣୀୟ ନୁହେଁ।ସେମାନେ ଭୂଲି ଯିବା ଉଚିତ ନୁହେଁ କି ଭିଡ଼ତନ୍ତ୍ରରେ ସରକାର ବଦଳି ଯିବ ନାହିଁ।ସାମ୍ବିଧାନିକ ବ୍ୟବସ୍ଥା ଓ ବିଶ୍ୱାସ ହିଁ ସରକାର ଗଠନ କରାଏ।ଦେଶକୁ ଲମ୍ବା ସମୟ ଶାସନ କରିଥିବା କଂଗ୍ରେସ କ୍ଷମତା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା ।

ଏହି ସମୟର କଳା ଇତିହାସକୁ ଲୋକମାନେ ମନେ ରଖିଛନ୍ତି।ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦଳି ମକଚି ଦେବାକୁ ଯେଉଁ କଂଗ୍ରେସ ଉଦ୍ୟମ କରିଥିଲା ଆଜି ସେହି ଦଳ ଗଣତନ୍ତ୍ର ସମ୍ବିଧାନକୁ ନେଇ ନାଟକବାଜି କରିବା ହାସ୍ୟାସ୍ପଦ।ଭୋଟ ଚୋରି ପ୍ରସଙ୍ଗରେ ମତ ରଖି ସେ କହିଲେ ଯେ ଯେଉଁଠି ବିଜେପି ଜିତୁଛି ସେଠି ଭୋଟ ଚୋରି ହେଉଛି କିନ୍ତୁ କଂଗ୍ରେସ ଜିତିଲେ ଚୋରି ହେଉନାହିଁ ।ସମାନ ଇଭିଏମ୍ ରେ ଏହା କିପରି ସମ୍ଭବ ପ୍ରଶ୍ନ କରି ଏସଆଇଆର କିଏ ଆରମ୍ଭ କରିଥିଲା ଏବଂ ପଶ୍ଚିମବଙ୍ଗରେ ଏହି ପ୍ରକ୍ରିୟାରେ ବାଦ ପଡିଥିବା ଭୋଟରଙ୍କ ମଧ୍ୟରୁ ୬୩ ପ୍ରତିଶତ ହିନ୍ଦୁ ବୋଲି ମତଦେଇ ସେ ବିରୋଧୀଙ୍କ ଅଭିଯୋଗ ଆଧାର ହୀନ କହିଥିଲେ ।

ଗତ ୧୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶର ଶୀର୍ଷକୁ ଉଠୁଥିବା ବେଳେ ଆମ ଦେଶ ଏବେ ଆର୍ଥିକ ସାମାଜିକ ପ୍ରତିରକ୍ଷା ସୂଚନା ପ୍ରଯୁକ୍ତି ବିଦ୍ୟା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଶ୍ୱର ଚତୁର୍ଥ ବୃହତ୍ତ ଅର୍ଥନୀତି ହେବା ଏକ ବଡ଼ ଉପଲବ୍ଧି ବୋଲି ମତଦେଇ ବୁଦ୍ଧିଜୀବୀ ସମାଜ କାଲିର ଓ ଆଜିର ଭାରତକୁ ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ।ଭଦ୍ରକ ଜିଲ୍ଲା ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଧାମନଗର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ସାହୁ,ବରିଷ୍ଠ ନେତା ଅଶୋକ ପୁହାଣ,କୈଳାସ ମହାପାତ୍ର,ରଘୁନାଥ ଲେଙ୍କା,ଜିଲ୍ଲା ଉପସଭାପତି ଚତୃଭୂଜ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ପ୍ରାରମ୍ଭରେ ଅଧ୍ୟାପକ ମିଳନ ପଣ୍ଡା ବେଦ ପାଠ କରିଥିଲେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଅରବିନ୍ଦ ପତି ଧନ୍ୟବାଦ ଦେଇଥିଲେ।ଏଥିରେ ୪ ଶହରୁ ଅଧିକ ବରିଷ୍ଠ ନାଗରିକ ଶିକ୍ଷାବିତ କବି କଳାକାର ସାହିତ୍ୟିକ ଯୋଗ ଦେଇଥିଲେ ।