ଧୂଷୁରୀ(ସାକ୍ସୀ ନ୍ୟୁଜ୍): ଆରଡ଼ି ଛକଠାରୁ ଆଖଣ୍ଡଳମଣି ପୀଠ ପର୍ଯ୍ୟନ୍ତ ୩୫ ନଂ ଜାତୀୟ ରାଜପଥରେ ବୁଲା ଗୋରୁ, ଗାଈ ଓ ଷଣ୍ଢଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ଫଳରେ ଯାତ୍ରୀ ଓ ଯାନବାହନ ଚାଳକଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଛି। ରାସ୍ତା ଉପରେ ଗୋରୁଗାଈ ଶୋଇ ରହିବା ସହ ଏଣେତେଣେ ବୁଲୁଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଆଶଙ୍କା ବଢ଼ିବାରେ ଲାଗିଛି। ବିଶେଷକରି ଅସୁରାଳି, କୋଠାର, ଧୂଷୁରୀ ଓ ବେତାଳିଗାଁ ବଜାର ନିକଟରେ ରାସ୍ତା ଉପରେ ଗୋରୁଗାଈଙ୍କ ଭିଡ଼ ଅଧିକ ଦେଖିବାକୁ ମିଳୁଛି। ଏହି ସମସ୍ୟାର ଅନ୍ୟତମ କାରଣ ଭାବେ ପାରମ୍ପରିକ କୃଷି ବ୍ୟବସ୍ଥାରେ ଆସିଥିବା ପରିବର୍ତ୍ତନକୁ ଦାୟୀ କରାଯାଉଛି ।
ପୂର୍ବରୁ ଚାଷ କାର୍ଯ୍ୟରେ ହଳଲଙ୍ଗଳ ପାଇଁ ବଳଦ ର ଆବଶ୍ୟକତା ରହୁଥିଲା। ତେଣୁ ଗୋରୁ ମାଲିକମାନେ ସେମାନଙ୍କୁ ଯତ୍ନର ସହ ପାଳନ କରୁଥିଲେ। ମାତ୍ର ବର୍ତ୍ତମାନ ଚାଷ କାର୍ଯ୍ୟରେ ଟ୍ରାକ୍ଟରର ବ୍ୟବହାର ବୃଦ୍ଧି ପାଇବାରୁ ବଳଦ ଆବଶ୍ୟକତା ହ୍ରାସ ପାଇଛି। ଫଳରେ କେତେକ ଗୋରୁ ମାଲିକ କ୍ଷୀର ଛାଡ଼ିବା ପରେ ଅଣ୍ଡିରା ବାଛୁରୀଙ୍କୁ ପାଳନ ନକରି ରାସ୍ତାଘାଟରେ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଏହି ଗୋରୁଗୁଡ଼ିକ ପରବର୍ତ୍ତୀ ସମୟରେ ରାଜପଥରେ ବୁଲିବା ସହ ଯାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟୁଛନ୍ତି।ବିଶେଷକରି ରାତି ସମୟରେ ରାସ୍ତା ଉପରେ ଅଚାନକ ଗୋରୁ ଓ ଷଣ୍ଢ ଚାଲି ଆସୁଥିବାରୁ ବାଇକ୍ ଚାଳକମାନେ ହଠାତ୍ ବ୍ରେକ୍ ମାରି ଭାରସାମ୍ୟ ହରାଉଛନ୍ତି। ଏହାଦ୍ୱାରା ଦୁର୍ଘଟଣାର ଆଶଙ୍କା ରହୁଥିବାବେଳେ ଯାତ୍ରୀମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏଭଳି ସ୍ଥିତିରେ ଆରଡ଼ି ଛକଠାରୁ ଆଖଣ୍ଡଳମଣି ପୀଠ ପର୍ଯ୍ୟନ୍ତ ପ୍ରାୟ ୩୭ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ୱରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଗୋଶାଳା ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ଏଥିସହ ରାସ୍ତାରେ ବୁଲୁଥିବା ଗୋରୁ, ଗାଈ ଓ ଷଣ୍ଢଙ୍କୁ ସୁରକ୍ଷିତ ଭାବେ ଥଇଥାନ କରିବା ସହ ଗୋରୁ ମାଲିକମାନେ ନିଜ ପାଳିତ ପଶୁଙ୍କୁ ରାସ୍ତାରେ ଛାଡ଼ି ନଦେବାକୁ ସଚେତନ କରାଯିବା ଆବଶ୍ୟକ। ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ବୁଲା ଗୋରୁଙ୍କ ଥଇଥାନ, ଗୋଶାଳା ନିର୍ମାଣ ଓ ଗୋରୁ ମାଲିକଙ୍କୁ ସଚେତନ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ଏହି ସମସ୍ୟା ଯୋଗୁଁ ବଡ଼ଧରଣର ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ରହିଛି ।
ଏନେଇ ଅସୁରାଳି ସରପଞ୍ଚ ମିନତୀ ସାହୁ କହିଛନ୍ତି, ଆମ ଉଦ୍ୟମରେ ପଞ୍ଚାୟତରେ ଏକ ଗୋଶାଳା ନିର୍ମାଣ ହୋଇଛି। ସେହିପରି ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଶାଳା ନିର୍ମାଣ ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ବେତାଳିଗାଁର ବରିଷ୍ଠ ବ୍ୟବସାୟୀ ତୁଷାରକାନ୍ତ ସାହୁ କହିଛନ୍ତି, ସରକାର ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ପ୍ରତିଦିନ ବିଭିନ୍ନ ଛକରେ ବୁଲା ଗୋରୁଙ୍କ ପାଇଁ ଗାଡ଼ି ଜାମ୍ ହେଉଥିବାରୁ ବ୍ୟାବସାଇ ମାନେ ହଇରାଣ ହେଉଛନ୍ତି ।
ସେହିପରି ଗୋବିନ୍ଦପୁରର ପୂର୍ବତନ ସମିତି ସଭ୍ୟ ଦୋଳଗୋବିନ୍ଦ ନାୟକ କହିଛନ୍ତି, ଗୋମାତା ହିନ୍ଦୁ ଧର୍ମର ଏକ ପବିତ୍ର ପ୍ରତୀକ। ତାଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ସରକାର ନିଶ୍ଚିତ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ରହିଛି।ଧୂଷୁରୀ ସମବାୟ ସମିତିର ସଭାପତି ସନ୍ଦୀପ ସ୍ୱାଇଁ କହିଛନ୍ତି, ରାସ୍ତାଘାଟ କୁ ବୁଲା ଗୋରୁଗାଈଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଏ ଦିଗରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଆବଶ୍ୟକ। ଗୋରୁଗାଈଙ୍କୁ ମାଲିକମାନେ ଯେପରି ରାସ୍ତାଘାଟକୁ ଛାଡ଼ି ନଦେବେ, ସେଥିପାଇଁ କଡ଼ା ନିୟମ ଲାଗୁ କରିବା ସହ ପ୍ରତ୍ୟେକ ଅଞ୍ଚଳରେ ଉପଯୁକ୍ତ ଗୋଶାଳା ନିର୍ମାଣ ଓ ତାହାର ସୁଚାରୁ ପରିଚାଳନା ବ୍ୟବସ୍ଥା କରାଯିବା ଜରୁରୀ ।