ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ଜନଜାତି ଶିକ୍ଷାର ସୁଦୃଢ଼ୀକରଣ ଦିଗରେ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମ ଓ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଜନଜାତୀୟ ଗୌରବ ପକ୍ଷ ପାଳନ ଅବସରରେ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟିକୁ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ କରକମଳରୁ OMTES ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀନା ପୁରସ୍କାର ଗ୍ରହଣ କରିଛନ୍ତି। ଏଥିସହ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ରାଙ୍କି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କରଞ୍ଜିଆ ଏବଂ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଉଲ୍ଲେଖନୀୟ ଅବଦାନ ଓ ନିଷ୍ଠାପର ପ୍ରୟାସକୁ ମଧ୍ୟ ବିଶେଷ ପ୍ରଶଂସା କରାଯାଇଛି ।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES) ରାଜ୍ୟରେ ଜନଜାତି ଶିକ୍ଷାର ବିକାଶ, ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ଗୁଡ଼ିକର ସୁପରିଚାଳନା ଓ ସମ୍ପ୍ରସାରଣରେ OMTES ଉଲ୍ଲେଖନୀୟ ଅବଦାନ ରଖିଛି । ଏହି ପ୍ରୟାସ ଫଳରେ ବର୍ତ୍ତମାନ ରାଜ୍ୟରେ ମୋଟ ୭୧ଟି EMRS କାର୍ଯ୍ୟକ୍ଷମ ହୋଇଛି ।