ବାତ୍ୟା ଭୟ, ଫସଲ ନଷ୍ଟ ଆଶଙ୍କା

ଖୋଲିନି ମଣ୍ଡି, କମ୍ ଦରରେ ବିକ୍ରି ହେଉଛି କପା

ଗୁଣୁପୁର(ସାକ୍‌ସୀ ନ୍ୟୁଜ୍‌): ଦକ୍ଷିଣ ଓଡ଼ିଶାର ଧଳା ସୁନା କୁହାଯାଉଥିବା କପା ଚାଷ ଉପରେ ଘୋଟିଛି ବାତ୍ୟାର କଳା ବାଦଲ। ମାସକ ମଧ୍ୟରେ ଦୁଇ ଦୁଇଟି ବାତ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ ନଷ୍ଟ ଭୟରେ ଅପରିପକ୍ୱ କପା ତୋଳିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ମଣ୍ଡି ଖୋଲିନଥିବାରୁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପିଛା ୭ ହଜାର ୨୦୦ ଟଙ୍କା ଥିବା ବେଳେ ୬ ରୁ ୭ ହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଚଳିତ ବର୍ଷ ଗୁଣୁପୁର କୃଷି ଜିଲ୍ଲାରେ ପ୍ରାୟ ୨୪ ହଜାର ୧୯୪ ହେକ୍ଟର ଜମିରେ କପା ଚାଷ ହୋଇଛି। ଗୁଡ଼ାରୀ ବ୍ଲକରେ ୪ ହଜାର ୫୩୫, ଗୁଣୁପୁର ବ୍ଲକରେ ୬ ହଜାର ୧୬୪, ପଦ୍ମପୁର ବ୍ଲକରେ ୩ ହଜାର ୩୮୦ ଏବଂ ରାମନାଗୁଡ଼ା ବ୍ଲକରେ ୧୦ ହଜାର ୪୦୫ ହେକ୍ଟର ଜମିରେ ଏହି ଚାଷ ହୋଇଛି। ଭଲ ଅମଳ ସହ ଦୁଇ ପଇସା ରୋଜଗାର ଆଶାରେ ଚାଷୀ କପା ଚାଷ କରିଥିଲେ। ଅମଳ ସମୟରେ ବାତ୍ୟା ସେମାନଙ୍କ ଆଶାକୁ ଧୋଇ ଦେଇଛି। ପୂର୍ବ ବାତ୍ୟାରେ ବର୍ଷା ଓ ପବନ ଯୋଗୁଁ କପା ଫୁଲ ଝଡ଼ିବା ସହ ଅପରିପକ୍ୱ କପା ଅମଳ କରିବାକୁ ପଡ଼ିଥିଲା। ଯଦ୍ୱାରା ଉତ୍ପାଦନ ଓ ଆୟ ଉଭୟ ପ୍ରଭାବିତ ହୋଇଥିଲା ।

ସେଥିରୁ ମୁକୁଳି ନଥିବା ବେଳେ ପୁଣି ଏକ ବାତ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଗଛରେ ସବୁ ଫଳ ପାକଳ ହୋଇନଥିବା ସତ୍ତ୍ୱେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କାରେ ଚାଷୀ ବାଧ୍ୟ ହୋଇ ଅମଳ କରୁଛନ୍ତି। ଯଦ୍ୱାରା କପାର ଗୁଣବତ୍ତା ଓ ବଜାର ମୂଲ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି। ମଣ୍ଡି ଖୋଲିବାରେ ବିଳମ୍ବ ଚାଷୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି। ରାଜ୍ୟ ବାହାରର ବ୍ୟବସାୟୀ ଏବଂ ଦଲାଲ ସକ୍ରିୟ ହୋଇ ପଡ଼ିଛନ୍ତି। ସରକାରୀ ଧାର୍ଯ୍ୟ ଦରଠାରୁ କମ୍ ମୂଲ୍ୟରେ କପା କିଣୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ କହିଛନ୍ତି, ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କପା ମଣ୍ଡି ପାଇଁ ପଞ୍ଜୀକରଣ ଜାରି ରହିବ। ଡିସେମ୍ବର ୧୦ ତାରିଖରୁ ମଣ୍ଡି ଖୋଲାଯିବ। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାଷୀଙ୍କ ଅମଳ କପାକୁ ଗଚ୍ଛିତ ରଖିବା ପାଇଁ ନିୟନ୍ତ୍ରିତ ବଜାର କମିଟି ଗୁଣୁପୁରଠାରେ ବ୍ୟବସ୍ଥା କରିଛି ।