(ସାକ୍ସୀ ନ୍ୟୁଜ୍): ଅତୀତର ସେଇ ସ୍ୱର୍ଣ୍ଣିମ ଦିନମାନଙ୍କରେ, ବୋଇତର ପାଲ ଟାଣି ଉତ୍କଳର ସାଧବ ପୁଅମାନେ ଉତ୍ତାଳ ଜଳରାଶିକୁ ପାର ହୋଇ ବାଲି ଦ୍ୱୀପର ତଟରେ କଳିଙ୍ଗର କଳା, ସଂସ୍କୃତି ଓ ସମୃଦ୍ଧିର ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ। ଆଜି କାଳର ପ୍ରବାହରେ ସେହି ଐତିହାସିକ ପରମ୍ପରା ଏକ ନୂତନ ରୂପ ନେଇଛି; ଯେଉଁଠି ଓଡ଼ିଶାର ମାଟିର ମହକକୁ ସାଥିରେ ନେଇ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନେ ଆଧୁନିକ ଯୁଗର ସାଧବ ବୋହୂ ସାଜି ଦରିଆ ପାର ହେଉଛନ୍ତି। ସେମାନେ ଆଜି କେବଳ ସାଂସ୍କୃତିକ ଦୂତ ହୋଇ ରହିନାହାନ୍ତି, ବରଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଜଣେ ଜଣେ ସଫଳ ଉଦ୍ୟୋଗୀ ଏବଂ ନୂତନ ଓଡ଼ିଶାର ଅର୍ଥନୈତିକ ଜାଗରଣର ସାରଥୀ ପାଲଟିଛନ୍ତି। ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ଇଣ୍ଡୋନେସିଆର ମନୋରମ ବାଲି ଦ୍ୱୀପରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ପରବ’ରେ ରାଜ୍ୟର ତିନୋଟି ଭିନ୍ନ ପ୍ରାନ୍ତରୁ ଆସିଥିବା ତିନିଜଣ ଅସାଧାରଣ ନାରୀ ପ୍ରତିଭା ଏକତ୍ରିତ ହୋଇ, ଗ୍ରାମୀଣ ନାରୀଶକ୍ତି କିପରି ବିଶ୍ୱ ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରେ, ତାହାର ଏକ ସ୍ୱର୍ଣ୍ଣିମ ଇତିହାସ ରଚନା କରିବାକୁ ଯାଉଛନ୍ତି ।
ପୁରୀ ଜିଲ୍ଲା ସଦର ବ୍ଲକ ମାଳତୀପାଟପୁର ପଞ୍ଚାୟତ ଅନ୍ତର୍ଗତ ଐତିହ୍ୟ ଗ୍ରାମ ରଘୁରାଜପୁରର ଶ୍ରୀମତୀ ସଞ୍ଜୁ ସ୍ୱାଇଁ ପାରମ୍ପରିକ ପଟ୍ଟଚିତ୍ର କଳାକୁ ଡିଜିଟାଲ ଯୁଗର ଉଦ୍ୟୋଗରେ ପରିଣତ କରିଛନ୍ତି। ୨୦୧୦ ମସିହାରେ ୧୦ ଜଣ ସଦସ୍ୟାଙ୍କୁ ନେଇ ଗଠିତ ‘ଓମ୍ ସ୍ୱୟଂ ସହାୟକ ଗୋଷ୍ଠୀ’ର ସଭାନେତ୍ରୀ ଭାବରେ ସେ ୬ଟି ପର୍ଯ୍ୟାୟରେ ଋଣ ସହାୟତା ପାଇଛନ୍ତି, ଯେଉଁଥିରେ ୨୦୨୬-୨୭ ଆର୍ଥିକ ବର୍ଷର ୧୦ ଲକ୍ଷ ଟଙ୍କାର ଋଣ ଅନ୍ତର୍ଭୁକ୍ତ। ରିଲାଏନ୍ସ, ବେଙ୍ଗାଲୁରୁର କଳା ସମ୍ପତ୍ତି ଏବଂ ମିମେରାକି (MeMeraki) ଭଳି ସଂସ୍ଥା ସହ ବଜାର ସଂଯୋଗ ସ୍ଥାପନ କରି ତଥା ଅନଲାଇନ୍ ପ୍ଲାଟଫର୍ମକୁ ଆପଣାଇ ସେ ଗ୍ରାମୀଣ କାରିଗରମାନଙ୍କୁ ସିଧାସଳଖ ବିଶ୍ୱ ବଜାର ସହ ଯୋଡ଼ିବାରେ ସଫଳ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନୂଆଗାଁର ‘ମା ତାରା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ’ର ସଦସ୍ୟା କେ. କୋମଲ କୁମାରୀ ଏକ ୫୦୦ ପକ୍ଷୀ ବିଶିଷ୍ଟ ବ୍ରଏଲର ଫାର୍ମରୁ ନିଜର ଯାତ୍ରା ଆରମ୍ଭ କରି ଆଜି ଛତୁ ଚାଷ, ଧୂପକାଠି, ନାବାର୍ଡ ସହାୟତାରେ ସାନିଟାରୀ ପ୍ୟାଡ୍, କଳା ହଳଦୀ ଏବଂ ବିଶ୍ୱପ୍ରସିଦ୍ଧ କୋଟପାଡ଼ ହସ୍ତତନ୍ତ ବ୍ୟବସାୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜଣେ ସାଧାରଣ ଗୃହିଣୀରୁ ‘ଲକ୍ଷ ପତି ଦିଦି’ ହୋଇଥିବା କୋମଲ ଦିଲ୍ଲୀ, ବିଜୟୱାଡ଼ା, ରାଜସ୍ଥାନ, ରାଞ୍ଚି ଓ ମାଙ୍ଗାଲୋରର ଜାତୀୟ ସ୍ତରୀୟ ମେଳାରେ ସମ୍ମାନିତ ହେବା ପରେ ଏବେ ବାଲି ଦ୍ୱୀପରେ କୋଟପାଡ଼ ହସ୍ତତନ୍ତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ।
ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ ଫାନିଆ ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରିସୋଲ ଗ୍ରାମର ୪୬ ବର୍ଷୀୟା ସୁମିତ୍ରା ବାରିକ ନିଜ ଅଞ୍ଚଳରେ ପ୍ରଚୁର ପରିମାଣରେ ମିଳୁଥିବା ସବାଇ ଘାସକୁ ଏକ ଅନ୍ତର୍ଜାତୀୟ ଲାଇଫଷ୍ଟାଇଲ ବ୍ରାଣ୍ଡରେ ପରିଣତ କରିଛନ୍ତି। ‘ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ’ ଏବଂ ୨୦୧୪ ମସିହାରେ ୧୧ଟି ଗୋଷ୍ଠୀର ୮୦ ଜଣ ସଦସ୍ୟାଙ୍କୁ ନେଇ ଗଠିତ ‘ଅନ୍ଧାରିବୁଢ଼ୀ ସବାଇ ଉତ୍ପାଦକ ଗୋଷ୍ଠୀ’ର ସଦସ୍ୟା ଭାବରେ ସେ ଓରମାସ (ORMAS) ଠାରୁ ତାଲିମ ନେଇ କେବଳ ଦଉଡ଼ି ତିଆରିରେ ସୀମିତ ନରହି ସୋଫା ସେଟ୍, ଡାଇନିଂ ଟେବୁଲ, ବୁକକେସ୍, ପ୍ଲାଣ୍ଟର, କଣ୍ଢେଇ ଓ ଅଳଙ୍କାର ଭଳି ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ବର୍ଷର ୩୬୫ ଦିନ କାମ କରୁଥିବା ସୁମିତ୍ରା ବାର୍ଷିକ ୧୫ରୁ ୨୦ ଲକ୍ଷ ଟଙ୍କାର ବିକ୍ରୟ କରି ୫ରୁ ୬ ଲକ୍ଷ ଟଙ୍କା ଲାଭ ପାଉଛନ୍ତି, ଯାହା ତାଙ୍କ ପିଲାଙ୍କ ପାଠପଢ଼ା ଓ ନୂଆ ଘର ତିଆରିରେ ସହାୟକ ହୋଇଛି। ସ୍ଥାନୀୟ ଓ ଜାତୀୟ ମେଳାରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ଏବେ ବିଦେଶ ମାଟିରେ ପହଞ୍ଚିଛି ।
ସଞ୍ଜୁ, କୋମଲ ଏବଂ ସୁମିତ୍ରା ଯେତେବେଳେ ବାଲି ଦ୍ୱୀପର ‘ଓଡ଼ିଶା ପରବ’ରେ ପୁରୀର ସୂକ୍ଷ୍ମ ପଟ୍ଟଚିତ୍ର, କୋରାପୁଟର ମାଟିର ବାସ୍ନା ଭରା କୋଟପାଡ଼ ହସ୍ତତନ୍ତ ଏବଂ ମୟୂରଭଞ୍ଜର ପରିବେଶ ଅନୁକୂଳ ସବାଇ କଳା ପ୍ରଦର୍ଶନ କରିବେ, ସେତେବେଳେ ସେମାନେ ସମଗ୍ର ଓଡ଼ିଶାର ଲକ୍ଷ ଲକ୍ଷ ଗ୍ରାମୀଣ ମହିଳାଙ୍କ ପ୍ରତିନିଧିତ୍ୱ କରିବେ। ଯେଉଁ ହାତ ଦିନେ ଗାଁର ଚାରିକାନ୍ଥ ଭିତରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିଥିଲା, ସେହି ହାତ ଆଜି ଅନ୍ତର୍ଜାତୀୟ ମଞ୍ଚରେ ବ୍ୟବସାୟିକ ସୁଯୋଗ ସୃଷ୍ଟି କରୁଛି। ମିଶନ ଶକ୍ତି ଓ ଓରମାସର ସହଯୋଗ, ବ୍ୟାଙ୍କ ଋଣ ଏବଂ ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଏହି ମହିଳାମାନେ ସ୍ଥାନୀୟ ଐତିହ୍ୟକୁ ବିଶ୍ୱସ୍ତରୀୟ ଜୀବିକାରେ ପରିଣତ କରି ପ୍ରମାଣିତ କରିଦେଇଛନ୍ତି ଯେ ନାରୀ ଶକ୍ତି ଏକଜୁଟ ହେଲେ କୌଣସି ସମୁଦ୍ର ବି ଅଲଂଘ୍ୟ ନୁହେଁ ।