ରାୟଗଡ଼ା(ସାକ୍ସୀ ନ୍ୟୁଜ୍): ରାମନାଗୁଡା ବ୍ଲକ ଅନ୍ତର୍ଗତ ଲିମାପଦର ଗ୍ରାମସ୍ଥିତ ସୀତାରାମ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପି ଅନୁଷ୍ଠିତ ପବିତ୍ର ଭାଗବତ ପାରାୟଣ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ସ୍ୱତନ୍ତ୍ରତା ତଥା ମୁଖ୍ୟ ଆକର୍ଷଣ ଥିଲା ପବିତ୍ର ବଡ଼ ଏକାଦଶୀ ତିଥିରେ ଅନୁଷ୍ଠିତ ‘ସପ୍ତ ଦୀପ ଧାରଣ’ ନୀତି। ସପ୍ତଋଷିଙ୍କ ଉଦ୍ଦେଶ୍ୟରେ ତଥା ସମଗ୍ର ବିଶ୍ୱର ମଙ୍ଗଳ ଓ କଲ୍ୟାଣ କାମନା କରି ମାନସିକଧାରୀମାନେ ଏହି ସପ୍ତ ଦୀପ ଧାରଣ କରିଥିଲେ ।

ଓଡ଼ିଶାରେ କ୍ୱଚିତ୍ ଦେଖିବାକୁ ମିଳୁଥିବା ଏହି ବିରଳ ଓ ପାରମ୍ପରିକ ଧାର୍ମିକ ବିଧିକୁ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସଦାଶିବ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସପ୍ତାହ ବ୍ୟାପି ପାରାୟଣ କାର୍ଯ୍ୟକ୍ରମ ରେ ସୁବାସ ପଣ୍ଡା, ହୃଷିକେଶ ପଣ୍ଡା, ପ୍ରମୋଦ ତ୍ରିପାଠୀ, ଅଶ୍ୱିନୀ ତ୍ରିପାଠୀ, ଦୈତାରୀ ପଣ୍ଡା ଏବଂ ଋଷିକେଶ ତ୍ରିପାଠୀ ପ୍ରମୁଖ ସାତ ଦିନ ଧରି ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ଶ୍ରୀମଦ୍ ଭାଗବତ ପୁରାଣ ପଠନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ଚକ୍ରପାଣି ତ୍ରିପାଠୀ, ପ୍ରତାପ ପଣ୍ଡା, ଚିନ୍ମୟ ପଣ୍ଡାଙ୍କ ସମେତ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ ।