ଲଟାବୁଦାରେ ଭର୍ତ୍ତି ହୋଇ ଭୂତକୋଠି ପାଲଟିଛି ନୂତନ ନିର୍ମାଣ କୃଷି ପରାମର୍ଶ କେନ୍ଦ୍ର : ସରକାରୀ ଅର୍ଥର ବିନିଯୋଗକୁ ନେଇ ପ୍ରଶ୍ନ

ବାରିପଦା(ସାକ୍‌ସୀ ନ୍ୟୁଜ୍‌): କେନ୍ଦ୍ର ହେଉକି ରାଜ୍ୟ ସରକାର ବଜେଟରେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ହେଲେ ସରକାରଙ୍କ ଦ୍ଵାରା ପାରିତ ଯୋଜନା କୃଷି ଓ କୃଷକଙ୍କ ପାଇଁ କେତେ ଉପଯୋଗୀ ହେଉଛି କି ନା ତାର ବାସ୍ତବ ସମୀକ୍ଷା ହେବା ବଦଳରେ ରେକର୍ଡ ଅନୁଯାୟୀ ହେଉଥିବାରୁ ଚାଷ ଏବଂ ଚାଷୀ ଅବହେଳିତ ହେଉଥିବା ଅଭିଯୋଗ ହେଉଛି। ମାତ୍ର ଏଥିପ୍ରତି କାହାର ନିଘା ନାହିଁ। ଯୋଉଥିପାଇଁ ଚାଷ ଏବଂ ଚାଷୀ ଅବହେଳିତ ବୋଲି ଅଭିଯୋଗ ହେଉଛି । କିନ୍ତୁ ଏହାର ସୁଧାର ଦିଗରେ ଆନ୍ତରିକତା ଦେଖାଇବା ବଦଳରେ ଭାଷଣରେ କୃଷକ ଓ କୃଷିକ୍ଷେତ୍ରର ବିକାଶ ସୀମିତ ହୋଇ ରହି ଯାଉଥିବା ନେଇ କ୍ଷୋଭର ସହ ଅଭିଯୋଗ କରି କହନ୍ତି ଚାଷୀମାନେ ।

ଉଲ୍ଲେଖଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର କେନ୍ଦ୍ରସ୍ଥଳ ମୋରଡ଼ା ଠାରେ ରହିଛି ସର୍ବପୁରାତନ କୃଷି କାର୍ଯ୍ୟାଳୟ। ସମୟ ଥିଲା ଏଠାରୁ ପରିଚାଳିତ ହେଉଥିଲା ସରକାରୀ କୃଷି କାର୍ଯ୍ୟକ୍ରମ ସାଂଗକୁ ଏଠାରେ ରହିଛି କୃଷି ବିଭାଗର ଗୋଦାମ। ହେଲେ ସମୟ ଆଗକୁ ବଢିବା ସହିତ ଏବେ ଅବହେଳିତ, ଉପେକ୍ଷିତ, ଭଗ୍ନ,ଜରାଜୀର୍ଣ୍ଣ ଅବସ୍ଥାରେ ଲୋଟାବୁଦା ଭିତରେ ଭୂତକୋଠୀ ହୋଇ ରହିଯାଇଛି । ତେବେ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ପରାମର୍ଶ ଓ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଏଠାରେ ନିର୍ମାଣ ହୋଇଥିଲା କୃଷକ ପରାମର୍ଶ କେନ୍ଦ୍ର। ମାତ୍ର ନିର୍ମାଣର ପାଞ୍ଚବର୍ଷ ବିତିଯାଇଥିଲେ ମଧ୍ୟ ଏହା ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ନୂତନ କୋଠାଟି ଏବେ ଭୂତକୋଠି ପାଲଟିବା ସହ ଚାରିପାଖ ଲଟାବୁଦାରେ ଭର୍ତ୍ତି ହୋଇ ରହିଛି। ସୂଚନା ଅନୁଯାୟୀ, ମୋରଡା କୃଷି ବିଭାଗ ଅଧୀନରେ ଚାଷୀଙ୍କ ସୁବିଧା ପାଇଁ ପ୍ରାୟ ପାଞ୍ଚବର୍ଷ ତଳେ ଏକ ନୂତନ କୃଷକ ପରାମର୍ଶ କେନ୍ଦ୍ର କୋଠା ନିର୍ମାଣ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହି କୋଠାଟି ମୋରଡା କୃଷି ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଆହୁରି ଆଶ୍ଚର୍ଯ୍ୟର ବିଷୟ, ଏହି କୋଠାଟି କେଉଁ ବିଭାଗ ଦ୍ୱାରା ନିର୍ମାଣ ହୋଇଛି, ସେ ସମ୍ପର୍କରେ ମଧ୍ୟ କୃଷି ଅଧିକାରୀଙ୍କ ପାଖରେ ସ୍ପଷ୍ଟ ସୂଚନା ନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ି ରହିଥିବାରୁ କୋଠାର ଚାରିପାଖରେ ଲଟାବୁଦା ମାଡ଼ି ଯାଇଛି ।

ଏପରିକି କେନ୍ଦ୍ରର ଅବସ୍ଥା ଦେଖିଲେ ଏହା ଚାଷୀଙ୍କ ସେବା ପାଇଁ ନିର୍ମାଣ ହୋଇଛି ବୋଲି ସହଜରେ ବିଶ୍ୱାସ ହେଉନାହିଁ। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ଏକ ଗୁରୁତ୍ୱପୂର୍ଣ୍ଣ କୋଠା ପାଞ୍ଚବର୍ଷ ଧରି ବ୍ୟବହାର ନହୋଇ ପଡ଼ି ରହିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କୋଠା ନିର୍ମାଣର ଉଦ୍ଦେଶ୍ୟ ଯଦି ଚାଷୀଙ୍କୁ ସେବା ଯୋଗାଇବା, ତେବେ ଏହା ଏଯାଏଁ ହସ୍ତାନ୍ତର ନହେବାର କାରଣ କ’ଣ ? କେଉଁ ବିଭାଗ ଏହାର ନିର୍ମାଣ କରିଥିଲା ଏବଂ ଏହାର ଦାୟିତ୍ୱ କାହା ଉପରେ ରହିଛି ? ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି କୋଠା ନିର୍ମାଣ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବା ସହ ତୁରନ୍ତ କୃଷି ବିଭାଗକୁ ହସ୍ତାନ୍ତର କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ସେହିପରି କୃଷକଙ୍କ ପାଇଁ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଲୋଟାବୁଦା ମଧ୍ୟରେ ଏହି କେନ୍ଦ୍ର ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସ୍ଥାନୀୟ ସମାଜସେବୀ ଘାସିରାମ ବେହେରା । ସେହିପରି କେବଳ କୃଷି ପରାମର୍ଶ କେନ୍ଦ୍ର ନୁହେଁ, କୃଷି ବିଭାଗ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଚେରି ମଧ୍ୟ କରାଯାଇଛି । ତାହା ମଧ୍ୟ ଲଟାବୁଦା ମଧ୍ୟରେ ଲୁଚି ଯାଇଛି । ଏହାର ପୁନରୁଦ୍ଧାର କରି ଉକ୍ତ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ମୋରଡା ନାଗରିକ ସୁରକ୍ଷା ସେନା ସଭାପତି ସୁଧିର କୁମାର ରାଜ ।

ସୂଚନାଯୋଗ୍ୟଯେ, ମୋରଡା ବ୍ଲକ କାର୍ଯ୍ୟାଳୟ ସହିତ ବ୍ଲକ କୃଷି କାର୍ଯ୍ୟାଳୟ ପୂର୍ବରୁ ମୋରଡାର ଏହି ସ୍ଥାନରେ ରହି କାର୍ଯ୍ୟ କରୁଥିବା ବେଳେ ଏଠାରେ ରହିଛି କୃଷି ବିଭାଗର ନିଜସ୍ଵ ପଟାଭୁକ୍ତ ଘରବାରି ଯୋଗ୍ୟ ଜମି। ଏହାସତ୍ତ୍ୱେ ପରବର୍ତ୍ତୀ ସମୟରେ ଏହା ଚିତ୍ରଡାକୁ ସ୍ଥାୟୀ ଭାବେ ଉଠି ଆସିବା ସହିତ ବ୍ଲକ କୃଷି କାର୍ଯ୍ୟାଳୟ ମଧ୍ୟ ଉଠି ଆସିଛି। ଫଳରେ ଏହି ସ୍ଥାନରେ ଥିବା ପୂର୍ବର ବ୍ଲକ କୃଷି କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସହ ବର୍ତ୍ତମାନ ଭୂତକୋଠୀରେ ପରିଣତ ହୋଇଛି। ଅପରପକ୍ଷରେ ବ୍ଲକର ମୋଟ ତିନୋଟି କୃଷି ପରାମର୍ଶ କେନ୍ଦ୍ର ଅଛି। ଚଢେଇଗାଁ ଓ ସୁରେଇଡ଼ିହି ପଞ୍ଚାୟତରେ ଉକ୍ତ କେନ୍ଦ୍ର ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୋରଡ଼ା କୃଷି ପରାମର୍ଶ କେନ୍ଦ୍ର କାର୍ଯ୍ୟକ୍ଷମ ନହେବାକୁନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଏନେଇ ବ୍ଲକ କୃଷି ଅଧିକାରୀ ସ୍ନେହାଶିଷ ସାହୁଙ୍କୁ ପଚାରିବାରୁ ଯେହେତୁ ସେ ଯୋଗଦେବା ପୂର୍ବରୁ ମୋରଡାରେ ଉକ୍ତ ବିଲଡିଂ ନିର୍ମାଣ ହୋଇଥିଲା ଏହାର ଫାଇଲ ତଦାରଖ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ତେବେ ପୂର୍ବରୁ ଥିବା ବ୍ଲକ କୃଷି କାର୍ଯ୍ୟାଳୟ ହେଉ କି କୃଷକ ପରାମର୍ଶ କେନ୍ଦ୍ରର ପୁନାର୍ଦ୍ଧାର କେବେ କରାଯାଇଛି ଦେଖିବାକୁ ବାକି ରହିଲା । ଅନ୍ୟପଟେ ଏ ପ୍ରସଙ୍ଗ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଲେ ନିଶ୍ଚିତ ଭାବେ ଏହା କାର୍ଯ୍ୟକ୍ଷମ ହେବା ସହିତ କୃଷକଙ୍କୁ ଅଧିକ ପ୍ରଭାବଶାଳୀ ବୈଷୟିକ ପରାମର୍ଶ ଉପଲବ୍ଧ କରାଇବା ପାଇଁ ହସ୍ତକ୍ଷେପ କରି ବିଜ୍ଞାନଭିତ୍ତିକ ବୈଷୟିକ ପରାମର୍ଶ କେନ୍ଦ୍ର ନିର୍ମାଣ ପାଇଁ ଆନ୍ତରିକତାର ସହ ତାଙ୍କର ଦାୟିତ୍ବନିର୍ବାହ କରିବେ ବୋଲି ସ୍ଥାନୀୟ ଚାଷୀମାନେ ଆଶାବାଦୀ ।