ବରିଷ୍ଠ ସମାଜସେବୀ ହେମେନ୍ଦ୍ର ସାହୁଙ୍କ ପରଲୋକ

ଅସୁରାଳି ଓ ଭଦ୍ରକ ମାଟିରେ ଶୋକର ଛାୟା, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅପୂରଣୀୟ କ୍ଷତି

ଅସୁରାଳି(ସାକ୍‌ସୀ ନ୍ୟୁଜ୍‌): ଅସୁରାଳି ତଥା ଭଦ୍ରକ ଜିଲ୍ଲାର ଜଣେ ବରିଷ୍ଠ ସମାଜସେବୀ, ଶିକ୍ଷାପ୍ରେମୀ ଓ ଦରଦୀ ମଣିଷ ହେମେନ୍ଦ୍ର ସାହୁଙ୍କ ପରଲୋକ ଘଟିଛି। ସୋମବାର ସନ୍ଧ୍ୟା ୬ଟା ସମୟରେ ଅସୁରାଳିସ୍ଥିତ ନିଜ ବାସଭବନରେ ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଅସୁରାଳି ସମେତ ସମଗ୍ର ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଅସୁରାଳି ଅଞ୍ଚଳରେ ଶିକ୍ଷାର ପ୍ରସାର ଓ ଉନ୍ନତି କ୍ଷେତ୍ରରେ ହେମେନ୍ଦ୍ର ସାହୁଙ୍କ ଅବଦାନ ଅବିସ୍ମରଣୀୟ। ଅଞ୍ଚଳରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ଅସୁରାଳି ଆଇଟିଆଇ କଲେଜ ପ୍ରତିଷ୍ଠା ସେ କରିଥିବାବେଳେ ଅସୁରାଳି ମହିଳା ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ପଛରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ପ୍ରଚେଷ୍ଟା ରହିଥିଲା ।

ଶିକ୍ଷାର ଆଲୋକ ଗାଁ ଗାଁରେ ପହଞ୍ଚାଇବା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। କେବଳ ଶିକ୍ଷା କ୍ଷେତ୍ର ନୁହେଁ, ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଥିଲା ଅତୁଳନୀୟ। ସାଧାରଣ ଲୋକଙ୍କ ଦୁଃଖ ଓ ଅସୁବିଧାରେ ସେ ସବୁବେଳେ ସହଯୋଗର ହାତ ବଢ଼ାଉଥିଲେ। ଚିକିତ୍ସା ପାଇଁ ଆର୍ଥିକ ସହାୟତା ହେଉ ଅବା ଅସହାୟ ପରିବାରର ଝିଅ ବିବାହ, ଅନେକ ଲୋକଙ୍କ ପାଇଁ ସେ ଥିଲେ ଏକ ଭରସାର ନାମ। ନିଜ ସାଧ୍ୟମତେ ଅସହାୟ ଓ ଅଭାବୀ ଲୋକଙ୍କ ପାଖରେ ଠିଆ ହେବା ତାଙ୍କ ଜୀବନର ଏକ ଅଭିନ୍ନ ଅଂଶ ଥିଲା ।

ଜଣେ ମଣିଷ ଭାବେ ସେ କେବଳ ନିଜ ପାଇଁ ନୁହେଁ, ସମାଜ ପାଇଁ ବଞ୍ଚିବାର ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ଦ୍ୱାରା ଗଢ଼ା ଶିକ୍ଷାନୁଷ୍ଠାନ ଓ ତାଙ୍କ ସେବାରେ ଉପକୃତ ହୋଇଥିବା ଅସଂଖ୍ୟ ଲୋକଙ୍କ ହୃଦୟରେ ସେ ସବୁଦିନ ପାଇଁ ଜୀବିତ ରହିବେ। ତାଙ୍କ ବିୟୋଗ ଅସୁରାଳି ଅଞ୍ଚଳର ଶିକ୍ଷା, ସାମାଜିକ ଓ ଜନସେବା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ମହାନ ଜୀବନ ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣା ହୋଇ ରହିବ ।