ରାହାସ ପୂର୍ଣ୍ଣିମା ଉଦଯାପିତ

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ସିଲିଦା ଗ୍ରାମ ମୁଣ୍ଡା ସାହି ଛକ ନିକଟରେ ରାଧାକୃଷ୍ଣ ଯୁବକ ସଂଘ ପକ୍ଷରୁ ଆୟୋଜିତ ୧୫ତମ ରାହାସ ପୂର୍ଣ୍ଣିମା ଉତ୍ସବ ଅବସରରେ ଝୁମ୍‌ ତାନା ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ରଙ୍ଗିନ ଆଲୋକମାଳା ଓ ସଙ୍ଗୀତର ତାଳେ ତାଳେ ପ୍ରତିଯୋଗୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିବା ବେଳେ ଦର୍ଶକମାନେ ଏହାକୁ ଭରପୂର ଉପଭୋଗ କରିଥିଲେ। ନୃତ୍ୟ ପ୍ରତିଯୋଗିତାରେ ବାଲେଶ୍ୱର ଓ କେନ୍ଦୁଝର ଅଞ୍ଚଳରୁ ଆସିଥିବା ୪ ଜଣ ବିଚାରକ ଯୋଗଦେଇ ପ୍ରତିଯୋଗୀଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମରେ କଳାକାର କାକା ଓ କାକି ଅତିଥି ଭାବେ ମଞ୍ଚରେ ଯୋଗଦେଇ ନିଜର ମନୋରଞ୍ଜନଭରା ପ୍ରଦର୍ଶନରେ ଦର୍ଶକଙ୍କୁ ମତୁଆଲା କରିଥିଲେ ।

ଏହି ଅବସରରେ ପାଟଣା ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚରେ ଉପସ୍ଥିତ ଅତିଥି, ଶିକ୍ଷକ, ସମାଜସେବୀ ଓ ସାମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ନୃତ୍ୟ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଦର୍ଶକଙ୍କ ସମାଗମ ହୋଇଥିଲା। ଧାର୍ମିକ ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ଲୋକାଭିମୁଖୀ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟାରେ ରାହାସ ପୂର୍ଣ୍ଣିମା ଉତ୍ସବର ଭସାଣି କାର୍ଯ୍ୟ କ୍ରମ ରେ ଅଞ୍ଚଳବାସି ସହଯୋଗ କରିଥିଲେ ।