ରାୟଗଡ଼ା/ଗୁଣପୁର(ସାକ୍ସୀ ନ୍ୟୁଜ୍): ରାୟଗଡ଼ ଜିଲ୍ଲାର ଜିଲ୍ଲାସ୍ତରୀୟ ସର୍ଗିଫୁଲ୍ ଗୁଣପୁର ଆଇଟିଡିଏ ଜୋନ୍ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗତ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ପ୍ରଶାସକ, ଗୁଣପୁର ଶ୍ରୀ ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ଗିଫୁଲ୍ କାର୍ଯ୍ୟକ୍ରମ ଅଧୀନରେ ଗଠିତ ସମସ୍ତ ୧୭ଟି କମିଟିର କାର୍ଯ୍ୟ ବିଷୟରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଛି। ସର୍ଗିଫୁଲ୍ ହେଉଛି ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏହାକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକର କାର୍ଯ୍ୟ ଠିକ୍ ଭାବେ ହେଉଛି କି ନାହିଁ, କେଉଁଠି ଅଟକି ରହିଛି ଏବଂ ଆଗକୁ କିପରି ଆହୁରି ତ୍ୱରାନ୍ୱିତ କରାଯିବ, ସେ ନେଇ ବୈଠକରେ ଗଭୀର ଆଲୋଚନା ହୋଇଥିଲା ।
ବୈଠକରେ ଅଧ୍ୟକ୍ଷତା କରି ପ୍ରକଳ୍ପ ପ୍ରଶାସକ ଶ୍ରୀ ପ୍ରଧାନ ସମସ୍ତ କମିଟିର ସଦସ୍ୟଙ୍କ ସହ ଗୋଟିଏ ପରେ ଗୋଟିଏ କାର୍ଯ୍ୟର ସମୀକ୍ଷା କରିଥିଲେ। ସମସ୍ତ କାମକୁ ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥି ସହ ପ୍ରତ୍ୟେକ କମିଟି ନିଜ ନିଜର ଦାୟିତ୍ୱକୁ ଠିକ୍ ଭାବେ ଓ ନିର୍ଭୁଲ୍ ଭାବେ ତୁଲାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। କୌଣସି କାର୍ଯ୍ୟରେ ଅବହେଳା କରାଗଲେ ହିତାଧିକାରୀମାନେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ବୋଲି ସେ ସଚେତନ କରାଇଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଗୁଣପୁର ଏବଂ ପଦ୍ମପୁରର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଯୋଗ ଦେଇ ନିଜ ନିଜ ଅଞ୍ଚଳର କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସମସ୍ତ କମିଟି ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।