ରାୟଗଡ଼ା/ଗୁଣପୁର(ସାକ୍ସୀ ନ୍ୟୁଜ୍): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁବିଧା ପାଇଁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ) ରେ ନୂତନ ରାସ୍ତା ନିର୍ମାଣ କରାଯିବ। ଏଥିଲାଗି ଆଜି ସାଂସଦ ସପ୍ତଗିରି ଶଙ୍କର ଉଲ୍କା ବିଭିନ୍ନ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାମନାଗୁଡ଼ା ବ୍ଲକ୍ ପାରିଖୂର୍ତ୍ତି ପଞ୍ଚାୟତ ଆର୍ଡି ରାସ୍ତାଠାରୁ ଗୁମାଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉକାମ୍ବାଗୁଡ଼ାଠାରୁ ସାନକୁଜେନ୍ଦ୍ରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭାରମ୍ଭ କରିଛନ୍ତି ସାଂସଦ ।
ଦୀର୍ଘଦିନ ଧରି ଏହି ଅଞ୍ଚଳବାସୀ ରାସ୍ତା ସମସ୍ୟା ନେଇ ଅଭିଯୋଗ କରି ଆସୁଥିବା ବେଳେ ପକ୍କା ରାସ୍ତା ନିର୍ମାଣ ଖବର ସ୍ଥାନୀୟ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ସେହିପରି ଗୁଣପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ଲବାଗୁଡ଼ା, ଜଳତାର ପଞ୍ଚାୟତର ନୂଆଗାଁ, ପୁଟାସିଂ ପଞ୍ଚାୟତର ରେଞ୍ଜିତାଲ ନିକଟ ଡରଗିସିଂ ଏବଂ ଡମ୍ବସରା ପଞ୍ଚାୟତର ଦଶମନ୍ତପୁରକୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପଦ୍ମପୁର ବ୍ଲକର ଲିକିଟିପଦର ଓ ଗୁଲୁଗୁଡ଼ା ପଞ୍ଚାୟତର ୨ଟି ଦୁର୍ଗମ ଅଞ୍ଚଳରେ ମଧ୍ୟ ନୂତନ ସଡ଼କ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି ।
କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ରାଜ୍ୟ ଉପସଭାପତି ଦୁର୍ଗାପ୍ରସାଦ ପଣ୍ଡା, ବ୍ଲକ୍ ସଭାପତି ବାଞ୍ଛାନିଧି ବେହେରା, ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ, ଜିଲ୍ଲା ସମ୍ପାଦକ ରମାକାନ୍ତ ମାଝୀ, ସତ୍ୟ ଚୌଧୁରୀ, ବ୍ଲକ୍ କଂଗ୍ରେସ ଯୁବ ସଭାପତି ପିଙ୍କୁ ଲାବାଲା, ଏସ୍ଟି ସେଲ୍ ସଭାପତି ଭାସ୍କର ବିଡ଼ିକା, ଅଭିମନ୍ୟୁ ତାଇକା, ସୁଦର୍ଶନ କୁମ୍ଭିରିକା, ଜିଲ୍ଲା ସମ୍ପାଦକ ପ୍ରକାଶ କଣ୍ଡାଗରୀ, ଗୁଣପୁର ନଗର କଂଗ୍ରେସ ସଭାପତି ରାଧାକୃଷ୍ଣ ପ୍ରଧାନ ଓ ଯୁବନେତା କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସମେତ ବିଜେପି ଓ କଂଗ୍ରେସର କେତେକ କର୍ମୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।