ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଦୁନିଆରେ ଇତିହାସ: ଦକ୍ଷିଣ ଆଫ୍ରିକାକୁ ୩୪୨ ରନ୍ ବ୍ୟବଧାନରେ ହରାଇଲା ଇଂଲଣ୍ଡ
ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଦୁନିଆରେ ଦକ୍ଷିଣ ଆଫ୍ରିକାକୁ ୩୪୨ ରନ୍ ବ୍ୟବଧାନରେ ହରାଇ ଇତିହାସ ରଚିଛି ଇଂଲଣ୍ଡ ।
ଇଂଲଣ୍ଡ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍ ହାରିଯିବା ପରେ ତୃତୀୟ ଓ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଲଜ୍ଜାକର ସ୍ଥିତିରେ ଠିଆ କରି ଦେଇଛି ।
ତୃତୀୟ ମୁକାବିଲାରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର ଖେଳି ୫ ୱିକେଟ୍ ବିନିମୟରେ ୪୧୪ ରନ୍ କରିଥିଲା । ବ୍ୟାଟ୍ସ ମ୍ୟାନ୍ ଜାକବ ବେଥେଲଙ୍କ ଚମକପ୍ରଦ ୧୧୦ ରନ୍ ଓ ଜୋଏ ରୁଟ୍ ଙ୍କ ଦମଦାର ଶତକ ରନ୍ ବଳରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ସାମ୍ନାରେ ବିରାଟ ରନ୍ ପାହାଡ଼ ତିଆରି କରିଥିଲା ।
ଦକ୍ଷିଣ ଆଫ୍ରିକା ମଧ୍ୟ ଜବରଦସ୍ତ ଜୋସ୍ ରଖି ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ଇଂଲଣ୍ଡ ବୋଲର୍ ଜୋଫ୍ରା ଆର୍ଚେରଙ୍କ ଶକ୍ତିଶାଳୀ ବୋଲିଂରେ ଧରାଶାୟୀ ହୋଇଗଲା ।
ଆର୍ଚେର ୧୮ ରନ୍ ବିନିମୟରେ ୪ଟି ୱିକେଟ୍ ହାସଲ କରିଥିଲେ । ଆଦିଲ ରଶିଦ ଓ ବ୍ରାଡନ୍ କାର୍ସେ ଯଥାକ୍ରମେ ତିନିଟି ଓ ଦୁଇଟି ୱିକେଟ୍ ନେଇଥିଲେ ।
ସାଉଥ୍ ଆମ୍ପଟନ୍ ମଇଦାନରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୨୧ ଓଭର ଖେଳିବାକୁ ମଉକା ମିଳିଥିଲା । ବିଜୟ ପାଇଁ ୪୧୫ ରନ୍ ଆବଶ୍ୟକତା ଥିଲାବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୭୨ ରନ୍ ଭିତରେ ସବୁ ୱିକେଟ୍ ହରାଇଥିଲା ।
ୟା’ ପୂର୍ବରୁ ୨୦୨୩ ମସିହାରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ୍ ବ୍ୟବଧାନରେ ହରାଇଥିଲା ।