ଆଜିଠାରୁ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ଆରମ୍ଭ …..
ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧା ଦାମୋଦର ବେଶ ଲାଗି ହୁଏ !
କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି ! କାର୍ତ୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସାରି ତାପରେ ରାଧା ଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି !
ରାଧା ଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧା ଦାମୋଦରଙ୍କୁ ପୂଜା କରୁଥିଲେ !
ଏହି ବେଶରେ ଲାଗିହେଉଥିବା ସୁବର୍ଣ୍ଣ ଅଳଙ୍କାରମାନ ହେଲା – ସୁବର୍ଣ୍ଣ ଘାଗଡା-ତିନି, କଟି ଓଡିଆଣି-ତିନି, ଚନ୍ଦ୍ରସୁର୍ଯ୍ୟ ମସ୍ତକରେ ତିନି, ଚନ୍ଦ୍ରିକା ତ୍ରିମୁଣ୍ତି ଚୂଳର ଅଗ୍ରଭାଗରେ -ଦୁଇ, ତିଳକ ଦୁଇ, ନଳୀଭୂଜ ହସ୍ତରେ-ଚାରି, କୁଣ୍ତଳ-ଚାରି, ତଡଗି-ଦୁଇ, !
ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଲାଗେ ! ଫୁଲଠାରୁ ସୁବର୍ଣ୍ଣ ଅଳଙ୍କାର ଅଧିକ ଲାଗେ ! ହସ୍ତରେ ନଳୀଭୂଜ ଲଗାଇ ଦିଆଯାଏ ! ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ ! ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ ! କର୍ଣ୍ଣଦେଶରେ କୁଣ୍ତଳ , କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି, ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର , ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ ! ଏହି ସମୟରେ ଏକ ଅଧିକ ଭୋଗ ବାଳଭୋଗ ହୁଏ !
କାର୍ତ୍ତିକ ପଞ୍ଚୁକ ସମୟରେ ରାଧା ଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୁଏ ! ଯଥା :- ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଓ ରାଜରାଜେଶ୍ଵର ବେଶ !
ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି ।
ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋସ୍ଥ ଶ୍ରୀନୀଳମାଧବଙ୍କର ମଧ୍ୟ ଏକମାସ ଏହି ବେଶ ହୋଇଥାଏ ।
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୁଖ କଳା ହେତୁ ସେ କୃଷ୍ଣ ଓ ତଳ ଭାଗଟି ଧଳା ହେତୁ ତାହା ରାଧା ଭାବରେ ଚିହ୍ନିତ ହୁଅନ୍ତି ! ଏଣୁ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହେଉଛି ! ରାଧା ଦାମୋଦର ବେଶ କେବେଠାରୁ ଅନୁଷ୍ଠିତ ହେଲା ତାହା କହିବା କଷ୍ଟକର !
ରାଇ ଦାମୋଦର ବେଶର ଏକାଧିକ ପୌରାଣିକ ଭିତ୍ତି ରହିଛି।
ଶ୍ରୀଜଗନ୍ନାଥ ବା ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ଏହାର ସଂପର୍କ ରହିଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହିତ। କାରଣ ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। କୁବେରଙ୍କ ପୁତ୍ର ନଳକୁବେର ଓ ମଣିଗ୍ରୀବ ଧନଗର୍ବରେ ଅନ୍ଧ ଓ ମଦମତ୍ତ ହୋଇ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ଭୁଲିଯାଇଥିବାରୁ ନାରଦ ସେମାନଙ୍କୁ ଅଭିଶାପ ଦେଇଥିଲେ। ତାହା ଫଳରେ ଦୁହେଁ ଦୁଇଟି ଅର୍ଜୁନ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜାତ ହେଲେ ।
ଯଶୋଦା ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ। ସେହି ଯାଆଁଳା ଅର୍ଜୁନ ବୃକ୍ଷର ମଝିରେ ଶ୍ରୀକୃଷ୍ଣ ଗଳି ଚାଲିଯିବା ପରେ, ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇଥିଲା। ସେ ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟିକୁ ଜୋର୍ରେ ଟାଣିଦେବା ଫଳରେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା। ଅଣ୍ଟା ବା ‘ଉଦର’ରେ ଦଉଡ଼ି ବା ‘ଦାମ’ ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ହେଲେ ଦାମୋଦର। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ, ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭୂଷିତ ହୁଅନ୍ତି।
କିନ୍ତୁ ଏହାର ନାମ ‘ରାଧା-ଦାମୋଦର ବେଶ’ କାହିଁକି ? ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟ କେତେକ କାବ୍ୟରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିବାର ବର୍ଣ୍ଣନା ଅଛି। ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ‘ରାଧା-ଦାମୋଦର ବେଶ’ ହୋଇଛି। ଏହି ମାସରେ ମହିଳାମାନେ କରୁଥିବା ‘ରାଈ-ଦାମୋଦର ବ୍ରତ’ରେ ‘ଦାମୋଦର’ଙ୍କ ସହିତ ‘ରାଧା’ ବା ‘ରାଈ’ଙ୍କୁ ଏକତ୍ର ପୂଜା କରାଯାଇଥାଏ। ବେଶ ଓଲାଗି ପରେ ବିଗ୍ରହଙ୍କଠାରୁ କଢ଼ାଯାଇଥିବା ପୁଷ୍ପ ଅଳଙ୍କାର ରାଜା ରାଣୀଙ୍କୁ ଦେବାର ବିଧି ଅଛି । କୁହାଯାଏ ଥରେ ତଳୁଚ୍ଛ ସେବକ ନାରାୟଣ ମହାପାତ୍ର ଫୁଲଗୁଣା ଟିକୁ ଦେବଦାସୀ ଲାବଣ୍ୟବତୀଙ୍କ ଗଭାରେ ଗୁଞ୍ଜି ଦେଇଥିଲେ । ପରେ ରାଜା ଏହି ଗୁଣାଟିକୁ ରାଣୀଙ୍କୁ ଦେବା ସମୟରେ ଏକ କେଶ ଲାଗିଥିବା ଦେଖି କ୍ରୋଧିତ ହୋଇ ପ୍ରଭୁଙ୍କ କେଶ ଥିବା ନ ଦେଖାଇଲେ ଦଣ୍ଡିତ ହେବେ ବୋଲି ସେବକ ନାରାୟଣ ମହାପାତ୍ରଙ୍କୁ ଆଦେଶ ଦେଲେ । ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁ କେଶ ଧାରଣ କଲେ, ପରଦିନ ରାଜା କେଶକୁ ଦେଖି ଏହାକୁ ଟାଣିବାରୁ ଏଥିରୁ ରକ୍ତସ୍ରାବ ହେଲା । ସେହିଦିନଠାରୁ ପ୍ରଭୁଙ୍କର ଏହି ରାଧା ଦାମୋଦର ବେଶ ହେଉଅଛି ।
ଅନ୍ୟ ଏକ କିମ୍ବଦନ୍ତୀ ଅନେକ ଦିନ ତଳର କଥା…!!
ବୟସାଧିକ କାରଣରୁ ବଡ଼ପଣ୍ଡା ଆଉ ପାଳି ଖଟିବାକୁ ଯାଇ ପାରିଲେ ନାହିଁ। ମନରେ ବହୁତ କଷ୍ଟ ହେଲା ପ୍ରଭୁଙ୍କୁ ସେବା ଆଉ କରିପାରିବେ ନାହିଁ ବୋଲି। ଦିନେ ରତ୍ନସିଂହାସନ ତଳେ ଠିଆ ହୋଇ କହିଲେ.. ପ୍ରଭୁ ଯଦି ମୋ ସେବାରେ କେବେ କୌଣସି ତୃଟି ରହିଥାଏ, ହେ କୃପାସିନ୍ଧୁ.. ମୋତେ କ୍ଷମା କରିବେ। ଏତିକି କହି ପଣ୍ଡାଏ ନିଜ ଘରକୁ ଫେରିଲେ। ଏକଥା ଶୁଣି ହଠାତ୍ ଜଗନ୍ନାଥଙ୍କର କ’ଣ ହେଲା କେଜାଣି ପ୍ରଭୁ ଜଗନ୍ନାଥ ବଡପଣ୍ଡାଙ୍କୁ ଦେଖାଦେଇ କହିଲେ ମୁଁ ଜାଣେ ତୁମକୁ ଵହୁତ କଷ୍ଟ ହେଉଛି ଆଉ କାଲିଠାରୁ ମୋ ଶ୍ରୀମନ୍ଦିରକୁ ଆସିବ ନାହିଁ ବୋଲି । ଏତେ ଦିନଧରି ମୋର ମନଜାଣି ସେବା କଲ, ତୁମ ସେବାରେ ମୁଁ ଅତ୍ଯନ୍ତ ଖୁସି । ଏହି ଖୁସିରେ ତୁମେ ଯେଉଁ ବର ମାଗିବ ଦେବି, ମାଗ କି ବର ଦରକାର । ଜଗନ୍ନାଥଙ୍କଠାରୁ ଏକଥା ଶୁଣି ବଡପଣ୍ଡା କହିଲେ ପ୍ରଭୁ ମୁଁ ତ ଆପଣଙ୍କୁ ମନଭରି ପ୍ରତିଦିନ ଦର୍ଶନ କଲି , ଏହାଠାରୁ ଆଉ କ’ଣ ଅଧିକ ଅଛି ଯେ ମୁଁ ଆପଣଙ୍କୁ ମାଗିବି ପ୍ରଭୁ କିଛି ସମୟପରେ ବଡପଣ୍ଡା ଜଗନ୍ନାଥଙ୍କୁ କହିଲେ ମୋର ଗୋଟାଏ ଝିଅ ଅଛି ତା’ର ନାମ “ରାଈ” । ପିଲାଦିନରୁ ସେ ଶ୍ରୀକୃଷ୍ଣଙ୍କ ଫଟୋଟିଏ ଧରି ସେବାପୂଜା କରିବା ସଙ୍ଗେ ସଙ୍ଗେ ତାଙ୍କରି ନାମ ହିଁ ଜପୁଛି । ଆପଣ ଥରେ ହେଲେ ଦର୍ଶନ ଦିଅନ୍ତେ ନି ! ଏକଥା ଶୁଣି ଜଗନ୍ନାଥ ବଡପଣ୍ଡାଙ୍କୁ କହିଲେ ହେଉ ଠିକ୍ ଅଛି କାଲି ତୁମ ଝିଅ ରାଈକୁ ମୁଁ ଦର୍ଶନ ଦେବି । ବଡପଣ୍ଡା(ବାପା)ଙ୍କ ଠାରୁ ଏକଥା ଶୁଣି ଝିଅ(ରାଈ) ଆନନ୍ଦରେ ନାଚି ଉଠିଲା । ତହିଁପର ସକାଳେ ରାଈ ନିଜର ନିତ୍ଯକର୍ମସାରି ଠାକୁର ଘରକୁ ଯାଇ ଠାକୁରଙ୍କ ନିତ୍ଯକର୍ମ ସାରି ଶ୍ରୀକୃଷ୍ଣଙ୍କ ଫଟୋକୁ ସଫାସୁତୁରା କରି ଧୂପଦୀପ ଦେଇ ପୂଜା କରିବା ସହିତ ନ ଖାଇ ନ ପିଇ ପ୍ରଭୁ ନାମ ଜପିବାକୁ ଲାଗିଲା । ମନରେ ଥିଲା ପ୍ରଭୁ ଦର୍ଶନ ର ପ୍ରବଳ ଇଛା ।
ଅର୍ଦ୍ଧରାତ୍ରରେ ଜଗନ୍ନାଥ ରାଈକୁ ଦେଖାଦେଇ କହିଲେ କି ବର ମାଗିବୁ ମାଗ ମୁଁ ଦେବି । ରାଈ କହିଲା ମୋର ବର ଦରକାର ତାହା କେବଳ ଆପଣଙ୍କ ସାନିଧ୍ୟ ଅର୍ଥାତ୍ ଆପଣଙ୍କୁ ସ୍ବାମୀ ରୂପେ ପାଇବା । “ରାଈ” କହିଲା ପ୍ରଭୁ ଆପଣ ମୋତେ ଏହି ବର ଦିଅନ୍ତୁ, ମୁଁ ଆପଣଙ୍କୁ ବିବାହ କରିବି । ଆପଣ ସବୁଦିନ ପାଇଁ ମୋର ସ୍ବାମୀ ହୋଇ ରହିବେ । ଜଗନ୍ନାଥ କହିଲେ ଏହା କିପରି ସମ୍ଭବ ହେବ ! ମୁଁ ଜଣେ ବିବାହିତ, ମୋର ସ୍ତ୍ରୀ ଅଛି । ତାଙ୍କର ନାମ ଲକ୍ଷ୍ମୀ । ଲକ୍ଷ୍ମୀଙ୍କ ସହିତ ମୁଁ ଶ୍ରୀମନ୍ଦିରରେ ରହୁଛି । ଏକଥା ଶୁଣି “ରାଈ” କହିଲା – ମୁଁ ଆପଣଙ୍କର କିଛି କଥା ଶୁଣିବି ନାହିଁ, ପ୍ରଭୁ ! ଆପଣ ମୋତେ ଦେଖା ଦେଲେ, ତେଣୁ ଆପଣଙ୍କୁ ମୁଁ ବିବାହ କରିବି ନଚେତ୍ ଆତ୍ମହତ୍ୟା କରିବି । ‘ରାଈ’ର ଏପରି ଜିଦ୍ ଆଗରେ ନିଜେ ଜଗନ୍ନାଥ ହାରମାନି ଗୋଟିଏ ସର୍ତ୍ତରେ ବିବାହ ପାଇଁ ରାଜି ହେଲେ । ସର୍ତ୍ତଟି ଥିଲା ତୁମେ ବିବାହ କଲା ପରେ ଶ୍ରୀମନ୍ଦିରକୁ ଯିବ ନାହିଁ କାରଣ , ଲକ୍ଷ୍ମୀ ତୁମକୁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ରାଜି ହେବେ ନାହିଁ । ଜଗନ୍ନାଥଙ୍କ ସର୍ତ୍ତରେ ରାଈ ରାଜିହେବାରୁ ସେହି ରାତ୍ରରେ ବିବାହ କାର୍ଯ୍ୟ ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଯିବାବେଳେ ଲକ୍ଷ୍ମୀଙ୍କ ହାବୁଡ଼ରେ ପଡିଗଲେ । ମା’ ଲକ୍ଷ୍ମୀ ଜଗନ୍ନାଥଙ୍କୁ ପଚାରିଲେ ରାତ୍ରରେ କେଉଁ ଆଡେ ଯାଇଥିଲ । ପୁଣି ଗୋଡରେ ତୁମର ଅଳତା, ଦେହରେ ହଳଦି, ଅଗୁରୁ ଓ ଚନ୍ଦନର ମହମହ ବାସନା । ହଠାତ୍ ଲକ୍ଷ୍ମୀଙ୍କ କଥାରେ ହଡ଼ବଡ଼ ହୋଇ କହିଲେ ସ୍ବର୍ଗପୁରରେ ଇନ୍ଦ୍ର ଓ ସଚ୍ଚିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲାତ ମୁଁ ସେଠାକୁ ମାର୍କୋଣ୍ଡି ହୋଇ ଯାଇଥିଲି । ମହାଲକ୍ଷ୍ମୀଙ୍କୁ ଏହା କହି ସିଂହାସନରେ ବିଜେ ହେଲେ ଜଗନ୍ନାଥ ।
ଶ୍ରୀଜଗନ୍ନାଥଙ୍କ କଥା ଅନୁସାରେ ବିବାହ ପରେ ରାଈ ବାପ ଘରେ ରହୁଥାଏ । ଏହିପରି କିଛି ଦିନ ଗଲାପରେ ଦିନେ ମହର୍ଷି ନାରଦ ବଡପଣ୍ଡାର ଝିଅ ରାଈକୁ ଦେଖି ପଚାରିଲେ କିହୋ ବଡପଣ୍ଡା ଝିଅକୁ ତ ବିବାହ କରିଦେଲ ହେଲେ ଜ୍ବାଇଁ କାହାକୁ କଲ କି ? ବଡପଣ୍ଡା କହିଲେ ଜ୍ବାଇଁ ହେଉଛନ୍ତି ସେହି ଶ୍ରୀ ଜଗନ୍ନାଥ । ଶ୍ରୀମନ୍ଦିରକୁ ଯିବାପାଇଁ ଝିଅକୁ ମନାକରିଛନ୍ତି ମହାପ୍ରଭୁ। କାରଣ ଲକ୍ଷ୍ମୀ ଠାକୁରାଣୀ ଝିଅକୁ ଶ୍ରୀମନ୍ଦିର ଭିତରକୁ ପୁରାଇ ଦେବେ ନାହିଁ । ଏହାଶୁଣି ନାରଦ କହିଲେ ମୁଁ ତୁମକୁ ଗୋଟିଏ ବାଟ କହିବି ତୁମେ ମାନିଲେ ସବୁ ଠିକ୍ ହୋଇଯିବ । ବାଟଟି ହେଲା ରାଈ ସକାଳୁ ଉଠି ଶ୍ରୀମନ୍ଦିର ଯାଇ ଲକ୍ଷ୍ମୀ କରୁଥିବା କାମ ସବୁ କରିବ, ଯଦି ଲକ୍ଷ୍ମୀ ତାଙ୍କୁ ଦେଖି ପଚାରନ୍ତି ତୁମେ ସତକଥା କହିଦେବ । ନାରଦଙ୍କ କଥାରଖି ରାଈ କାର୍ଯ୍ୟ କରି ଚାଲିଲେ । ଲକ୍ଷ୍ମୀଙ୍କ ମନରେ ସନ୍ଦେହ ହେବାରୁ ଧରିବା ପାଇଁ ଜଗିଲେ । ଶେଷରେ ରାଈକୁ ଧରି ଲକ୍ଷ୍ମୀ ପଚାରିବାରୁ ରାଈ ସବୁ ସତକଥା କହିଦେବା ସହିତ ନାରଦଙ୍କ କଥାରେ କାମ କରୁଥିବାର କହିଲେ । ରାଈ ଠାରୁ ଏ କଥା ଶୁଣି ଲକ୍ଷ୍ମୀ ଜୋରରେ ପାଟି କରିବାରୁ ଜଗନ୍ନାଥ ଓ ବଳଭଦ୍ର ଆସି ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ । ବଡ଼ଭାଇ ଘଟଣା ବାବଦରେ ଜଗନ୍ନାଥକୁ ପଚାରିବାରୁ ରାଈକୁ ବିବାହ କରିଥିବା କଥା ବଡ଼ଭାଇଙ୍କ ଆଗରେ ମାନିଗଲେ । ଠିକ୍ ଏତିକି ବେଳେ ନାରଦ ଆସି ସେଠାରେ ପହଞ୍ଚିଗଲେ । ବଳଭଦ୍ର କିଛି ଉପାୟ ନ ପାଇ ନାରଦକୁ ଏହାର ସମାଧାନ ପାଇଁ ବାଟ ବାହାର କରିବା ପାଇଁ କହିଲେ । ନାରଦ କହିଲେ ଯେ ଏହାର ଗୋଟିଏ ଉପାୟ ଅଛି । ସେହି ଉପାୟଟି ହେଲା ଜଗନ୍ନାଥ ବର୍ଷକୁ ମାତ୍ର ୨୫ ଦିନ ରାଈ ପାଖରେ ରହିବେ ଆଉ ବାକି ଦିନତକ ଲକ୍ଷ୍ମୀଙ୍କର ସ୍ବାମୀ ହୋଇ ରହିବେ । ସେହି ସମୟଟି ହେଲା ଆଶ୍ଵିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ମାତ୍ର । ସେହି ନିଷ୍ପତ୍ତି ପ୍ରକାରେ ପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ରାଈ ଦାମୋଦର ବେଶ ହୋଇ ଆସୁଛନ୍ତି । ତେଣୁ ପ୍ରଭୁ ଜଗନ୍ନାଥଙ୍କର ଦୁଇ ଗୋଟି ପତ୍ନୀ, ବଡ଼ହେଲେ “ମା’ ଲକ୍ଷ୍ମୀ” ଆଉ ସାନହେଲେ “ରାଈ” ।
ଏହି ପଚିଶି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସକାଳ ଧୂପ ପରେ ଏକ ଅତିରିକ୍ତ ଭୋଗ ସମର୍ପଣ ହୁଏ। ଏହା ବାଳଭୋଗ ନାମରେ ପରିଚିତ। ଏଥିରେ ଖଇ, ନଡ଼ିଆ ପାତି ଓ କୋରା ଭୋଗ ହୋଇଥାଏ।
ଜୟ ଶ୍ରୀଜଗନ୍ନାଥ
ସଂଗୃହୀତ