ଏସିଆ କପ୍-୨୦୨୫: ଭାରତ ସରକାରଙ୍କ କ୍ରୀଡ଼ା ନୀତି ଅନୁସାରେ ଭାରତ-ପାକ୍ ମୁକାବିଲା

ଏସିଆ କପ୍-୨୦୨୫ ଟୁର୍ଣ୍ଣାମେଂଟ ବାଟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନି । ଭାରତ ସରକାରଙ୍କ କ୍ରୀଡ଼ା ନୀତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଚି ବିସିସିଆଇ ।

ପୂର୍ବ ଘୋଷଣା ମୁତାବକ ସବୁ ମ୍ୟାଚ୍ ଠିକ ସମୟରେ ଖେଳାଯିବ । ଭାରତ-ପାକିସ୍ତାନ ପରସ୍ପରକୁ ମଇଦାନରେ ଭେଟିବେ । ସେପ୍ଟେମ୍ବର ୧୪ ତାରିଖ ଦିନ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ ।

ପେହେଲଗାମ୍ ଆତଙ୍କୀ ହମଲା, ଅପରେସନ୍ ସିନ୍ଦୁର, ଭାରତ-ପାକ୍ ଅସ୍ତ୍ର ବିରତି ପରେପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଦୃଷ୍ଟିରୁ ଭାରତ ଓ ପାକିସ୍ତାନ କ୍ରିକେଟ୍ ଟିମ୍ ମଇଦାନରେ ପରସ୍ପରକୁ ଭେଟିବା ଅନୁଚିତ ବୋଲି ଭାରତର ଅଧିକାଂଶ କ୍ରିକେଟ୍ ପ୍ରେମୀ ମତାମତ ପ୍ରଦାନ କରିଥିଲେ ।

ବିଭିନ୍ନ ମହଲରୁ ନାନା ମତ ଶୁଣିବା ପରେ ବିସିସିଆଇ କହିଛି, ଭାରତ ସରକାରଙ୍କ ସଂଶୋଧିତ କ୍ରୀଡ଼ା ନୀତି ଅନୁସାରେ ଟିମ୍ ଇଣ୍ଡିଆ ଆନ୍ତର୍ଜାତିକ ସ୍ତରରେ ବହୁଦଳୀୟ ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବ ।

‘ଏସିଆ କପ୍ ରେ ଗୁଡ଼ାଏ ଟିମ୍ ଖେଳିବେ । ତେଣୁ ସେଭଳିି ଇଭେଂଟକୁ ହାତଛଡ଼ା କରାଯିବନି । ଭାରତ ସରକାର ଓ ବିସିସିଆଇ ଭିତରେ ସଠିକ୍ ବୁଝାମଣା ରହିଛି ।

ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳୁଛି ।’ ଏପରି ମନ୍ତବ୍ୟ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କ ନିକଟରୁ ଶୁଣିବା ପରେ ଆଉ କାହାର କିଛି ସନ୍ଦେହ ଥିଲେ, ଭାରତ ସରକାରଙ୍କର କ୍ରୀଡ଼ା ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାକୁ ଅନୁରୋଧ ।