ନବଦୁର୍ଗାଙ୍କର ପ୍ରଥମ ରୂପ ହେଉଛି ଶୈଳପୁତ୍ରୀ। ସ୍ବାମୀଙ୍କର ନିନ୍ଦା ସହ୍ୟ କରି ନ ପାରି ଦକ୍ଷ ଯଜ୍ଞରେ ଦକ୍ଷ ରାଜକନ୍ୟା ସତୀ ଆତ୍ମାହୁତି ଦେଇ ପରଜନ୍ମରେ ପର୍ବତରାଜ ହିମାଳୟଙ୍କ କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ ହେଲା ପାର୍ବତୀ ବା ଶୈଳପୁତ୍ରୀ ବା ହୈମବତୀ। ଏହି ରୂପରେ ଦେବୀ ହେଉଛନ୍ତି ଦ୍ୱିଭୁଜା। ତାଙ୍କର ଗୋଟିଏ ହାତରେ ପଦ୍ମଫୁଲ ଓ ଅନ୍ୟ ହାତରେ ତ୍ରିଶୂଳ ଶୋଭା ପାଉଥାଏ। ବୃଷଭବାହନା ଦେବୀଙ୍କର ଏହି ରୂପ ନବରାତ୍ରର ପ୍ରଥମ ରାତ୍ରିରେ ପୂଜା କଲେ ସକଳ ମନୋଭୀଷ୍ଟ ପୂରଣ ହୋଇଥାଏ।
ଦେବୀଙ୍କର ଦ୍ୱିତୀୟ ରୂପ ହେଉଛି ବ୍ରହ୍ମଚାରିଣୀ। ବ୍ରହ୍ମ ଅର୍ଥ ବୃଦ୍ଧି ବା ବିକାଶ ଏବଂ ଚର୍ଯ୍ୟା ଅର୍ଥ ଆଚରଣ। ଯେ ବୃଦ୍ଧି ବା ବିକାଶର ପଥରେ ଚାଲନ୍ତି ସେ ହେଉଛନ୍ତି ବ୍ରହ୍ମଚାରିଣୀ। ଦେବୀ ନାରଦଙ୍କ ପରାମର୍ଶକ୍ରମେ ଶିବଙ୍କୁ ପତି ରୂପରେ ପାଇବା ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଦୀର୍ଘକାଳ କଠୋର ତପସ୍ୟା ଆଚରଣ କରିଥିଲେ। ତେଣୁ ତାଙ୍କର ନାମ ହେଲା ବ୍ରହ୍ମଚାରିଣୀ। ଏହି ରୂପରେ ଦେବୀ ଦ୍ୱିଭୁଜା, ଶରୀର ଶୁଭ୍ର ତେଜଯୁକ୍ତ, ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ଶୋଭା ପାଉଥାଏ। ନବରାତ୍ରର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କଲେ ମନୁଷ୍ୟ ସୁସ୍ଥ ଓ ନିରୋଗ ଜୀବନଯାପନ କରିଥାଏ ଏବଂ ନାରୀ ମନୋବାଞ୍ଛିତ ପତି ଲାଭ କରିଥାଏ।
ଦେବୀଙ୍କର ତୃତୀୟ ରୂପ ହେଉଛି ଚନ୍ଦ୍ରଘଣ୍ଟା। ସୁବର୍ଣ୍ଣକାନ୍ତି ବିଶିଷ୍ଟ ଦେବୀଙ୍କ ମସ୍ତକୋପରି ଘଣ୍ଟା ସଦୃଶ ଅର୍ଦ୍ଧଚନ୍ଦ୍ର ବିରାଜମାନ କରୁଥିବାରୁ ତାଙ୍କର ଏପରି ନାମ ହୋଇଛି। ଏହି ରୂପରେ ଦଶଭୁଜା ଦେବୀଙ୍କର ବାହନ ବ୍ୟାଘ୍ର। ହସ୍ତଗୁଡ଼ିକରେ ଯଥାକ୍ରମେ ପଦ୍ମ, କମଣ୍ଡଳୁ, ଗଦା, ତରବାରୀ, ଧନୁ ଓ ବାଣ ଶୋଭା ପାଉଥାଏ। ଚନ୍ଦ୍ରଘଣ୍ଟାଙ୍କର ଉପାସନା କଲେ ସମସ୍ତ ପାପ କ୍ଷୟ ହୁଏ, ଗ୍ରହଦୋଷ ନିବାରଣ ହୁଏ ଏବଂ ଭକ୍ତ ଶାନ୍ତି ଓ ସମ୍ପଦର ଅଧିକାରୀ ହୁଏ।
ମାଆଙ୍କର ଚତୁର୍ଥ ରୂପ ହେଉଛି କୁଷ୍ମାଣ୍ଡା। କୁଷ୍ମାଣ୍ଡ ଅର୍ଥ କଖାରୁ ବା ପାଣିକଖାରୁ। ପାଣିକଖାରୁ ଏକ ଉତ୍ତମ ପରିବା। ପାଚିଲା ପାଣିକଖାରୁକୁ ଦୀର୍ଘ ଦିନ ସାଇତି ରଖିହୁଏ। ଏହି ଲତାଫଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେଣୁ ମାଆ ପାଣିକଖାରୁକୁ ଭଲ ପାଆନ୍ତି। ଦେବୀଙ୍କ ପାଖରେ ପାଣିକଖାରୁ ବଳି ଦିଆଯିବାର ପରମ୍ପରା ରହିଛି। କୁଷ୍ମାଣ୍ଡକୁ ଭଲ ପାଉଥିବାରୁ ଦେବୀଙ୍କର ଅନ୍ୟ ନାମ କୁଷ୍ମାଣ୍ଡା। ସୂର୍ଯ୍ୟଙ୍କ ପରି ତେଜସ୍ବୀ ଅଷ୍ଟଭୁଜା କୁଷ୍ମାଣ୍ଡାଙ୍କ ଗୋଟିଏ ହସ୍ତରେ ଜପମାଳା ଶୋଭା ପାଉଥିବା ବେଳେ ଅନ୍ୟ ହସ୍ତଗୁଡ଼ିକରେ ଯଥାକ୍ରମେ ଧନୁ, ବାଣ, ପଦ୍ମ, ଅମୃତକଳସ, କମଣ୍ଡଳୁ, ଚକ୍ର ଓ ଗଦା ଶୋଭା ପାଉଥାଏ।
ଦେବୀଙ୍କର ପଞ୍ଚମ ରୂପ ହେଉଛି ସ୍କନ୍ଦମାତା। ସ୍କନ୍ଦ ଅର୍ଥ ଦେବସେନାନୀ କାର୍ତ୍ତିକେୟ। ତାଙ୍କର ମାଆ ହୋଇଥିବାରୁ ଦେବୀଙ୍କର ନାମ ସ୍କନ୍ଦମାତା। ଚତୁର୍ଭୁଜା ସ୍କନ୍ଦମାତାଙ୍କର ଗୋଟିଏ ହସ୍ତ ଆଶିଷ ମୁଦ୍ରାରେ ଭକ୍ତମାନଙ୍କୁ ଶୁଭାଶୀର୍ବାଦ ବର୍ଷଣ କରୁଥିବା ବେଳେ ଗୋଟିଏ ହସ୍ତରେ ଧନୁର୍ବାଣ ଓ ଅନ୍ୟ ଦୁଇ ହସ୍ତରେ ପଦ୍ମଫୁଲ ଶୋଭା ପାଉଥାଏ। ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା କଲେ ଭକ୍ତ ସମସ୍ତ ସୁଖଶାନ୍ତି ପ୍ରାପ୍ତ କରେ।
ଦେବୀଙ୍କର ଷଷ୍ଠ ରୂପ ହେଉଛି କାତ୍ୟାୟନୀ। ଋଷିବର କାତ୍ୟାୟନଙ୍କ ଭକ୍ତିରେ ପ୍ରସନ୍ନା ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ କାତ୍ୟାୟନୀ। ଦେବୀ କାତ୍ୟାୟନୀ ଗୌରବର୍ଣ୍ଣା, ଚତୁର୍ଭୁଜା ଓ ସିଂହାସୀନା। ତାଙ୍କର ଉପାସନା କଲେ ଚତୁର୍ବର୍ଗ ଫଳପ୍ରାପ୍ତି ହୋଇଥାଏ।
ଦେବୀଙ୍କର ସପ୍ତମ ରୂପ କାଳରାତ୍ରି। ଚତୁର୍ଭୁଜା ଅବିନ୍ୟସ୍ତକେଶା ଦେବୀଙ୍କର କାଳରାତ୍ରିର ଘନାନ୍ଧକାର ସଦୃଶ ଏହି କଳା ରୂପ ଅତି ଭୟଙ୍କର। ଶତ୍ରୁ ଓ ଅସୁର ଦମନ ପାଇଁ ସେ ଏହି ଭୟଙ୍କର ରୂପ ଧାରଣ କରିଥିଲେ ମଧ୍ୟ ଭକ୍ତ ଓ ସନ୍ତାନମାନଙ୍କ ପାଇଁ ସେ ଅଭୟପ୍ରଦା। ଦେବୀ କାଳରାତ୍ରିଙ୍କର ଉପାସନାରେ ଭକ୍ତର ସମସ୍ତ ପ୍ରକାର ଭୟ ଓ ବାଧାବିଘ୍ନ ଦୂର ହୋଇଥାଏ।
ଦେବୀଙ୍କର ଅଷ୍ଟମ ରୂପ ହେଉଛି ମହାଗୌରୀ। ଅତିଶୟ କଠୋର ତପସ୍ୟା କରି ତାଙ୍କର ବର୍ଣ୍ଣ କଳା ହୋଇଯାଇଥିଲା। ଶିବ ସନ୍ତୁଷ୍ଟ ହୋଇ ଗଙ୍ଗା ଜଳରେ ଧୌତ କରି ତାଙ୍କର କଳା ରୂପକୁ ପୁଣି ବିଦ୍ୟୁତ୍ପ୍ରଭା ସଦୃଶ ଗୌର କରିଦେଇଥିଲେ। ତେଣୁ ତାଙ୍କର ନାମ ହେଲା ମହାଗୌରୀ। ଚତୁର୍ଭୁଜା ମହାଗୌରୀଙ୍କର ଗୋଟିଏ ହାତରେ ଅଭୟ ମୁଦ୍ରା ଶୋଭା ପାଉଥିବା ବେଳେ ଅନ୍ୟ ହସ୍ତଗୁଡ଼ିକରେ ତ୍ରିଶୂଳ, ଡମ୍ବରୁ ଓ ବରମୁଦ୍ରା ଶୋଭା ପାଉଥାଏ। ମହାଗୌରୀଙ୍କର ପୂଜା-ଉପାସନାରେ ଭକ୍ତଗଣଙ୍କର ଜନ୍ମଜନ୍ମର କଳଙ୍କ ଧୋଇହୋଇଯାଏ। ଦାରିଦ୍ର୍ୟ, ଦୁଃଖଦୁର୍ଦ୍ଦଶା ଦୂର ହୁଏ।
ଦେବୀଙ୍କର ନବମ ରୂପ ହେଉଛି ସିଦ୍ଧିଦାତ୍ରୀ। ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଦେବୀଙ୍କ କୃପାରୁ ଶିବ ସମସ୍ତ ସିଦ୍ଧି ପ୍ରାପ୍ତ ହୋଇଥିଲେ। ମା’ ସିଦ୍ଧିଦାତ୍ରୀ ଚତୁର୍ଭୁଜା ଓ ସିଂହବାହିନୀ। ତାଙ୍କର ଚାରି ହସ୍ତରେ ଯଥାକ୍ରମେ ଗଦା, ଚକ୍ର, ପଦ୍ମଫୁଲ ଓ ଶଙ୍ଖ ଶୋଭା ପାଉଛି। ନବମ ରାତ୍ରିରେ ସିଦ୍ଧିଦାତ୍ରୀଙ୍କର ଉପାସନା କଲେ ସମସ୍ତ ପ୍ରକାର ସିଦ୍ଧି ମିଳିଥାଏ। ଭକ୍ତର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ତେବେ କେବଳ ନବରାତ୍ରରେ ଯେ ଆମେ ଦେବୀଙ୍କର ପୂଜା-ଉପାସନା କରିବା ଓ ବର୍ଷସାରା ତାଙ୍କୁ ଭୁଲିଯିବା ତାହା ଠିକ୍ ନୁହେଁ। ପ୍ରତ୍ୟହ ପ୍ରାତଃକାଳରେ ଶଯ୍ୟା ତ୍ୟାଗ କରିବା ମାତ୍ରେ ମାଆଙ୍କର ସ୍ମରଣ କରିବା ଉଚିତ।