ରାୟଗଡ଼ା/ଗୁଣୁପୁର(ସାକ୍ସୀ ନ୍ୟୁଜ୍): ୧୯୯୭ ମସିହାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଜଳସେଚନ ମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡ଼ା ବ୍ୟାରେଜର ଉଦ୍ଘାଟନ କରି ଚାଷୀଙ୍କ ମୁହଁରେ ହସ ଫୁଟାଇଥିଲେ। ଜଳଭଣ୍ଡାରରୁ ପାଣି ଛାଡ଼ି ୩ଟି ବ୍ଲକର ମରୁଡ଼ି ପ୍ରପୀଡ଼ିତ ହଜାର ହଜାର ଏକର ଜମିରେ ସୁନାର ଫସଲ ପାଇଁ ଜଳସେଚନ ବ୍ୟବସ୍ଥା ହୋଇଥିଲା। ସେହି ଜଳଭଣ୍ଡାର ଗତ ୨୯ ବର୍ଷ ଧରି ଚାଷ ଜମିକୁ ପାଣି ଯୋଗାଇ ଆସୁଛି। ଏବେ ପୁଣି ରାଜ୍ୟର ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜଳସେଚନ ପ୍ରକଳ୍ପକୁ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏକ ପର୍ଯ୍ୟଟନ ସ୍ଥଳ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ଜଳସେଚନ ପ୍ରକଳ୍ପ ସହ ପ୍ରଭାତୀଙ୍କ ପର୍ଯ୍ୟଟନ ବିକାଶ ନେଇ ନୂଆ ଅଧ୍ୟାୟ ଆରମ୍ଭ କରିବ କେନ୍ଦୁଗୁଡ଼ା ବ୍ୟାରେଜ ।
କୃଷି ପାଇଁ ଜଳସେଚନ ଅପରିହାର୍ଯ୍ୟ। ବିନା ପାଣିରେ ଚାଷ ହୋଇପାରିବ ନାହିଁ। ପଦ୍ମପୁର, ଗୁଡାରୀ ଏବଂ ରାମନାଗୁଡ଼ା ଏହି ୩ଟି ବ୍ଲକ ରାୟଗଡ଼ା ଜିଲ୍ଲାର ଭାତ ହାଣ୍ଡି ରୂପେ ପରିଚିତ। ଏହାକୁ ଗତ ୨୯ ବର୍ଷ ତଳେ ଦେଖିପାରିଥିଲେ ଦୂରଦ୍ରଷ୍ଟା ସ୍ବର୍ଗତ ବସନ୍ତ ବିଶ୍ୱାଳ। ତାଙ୍କ ଶାସନ ଅମଳରେ ତାଙ୍କ କରକମଳରେ ଏହି ଭାତ ହାଣ୍ଡିକୁ ପାଣି ଯୋଗାଇ ଡ୍ୟାମର ଦ୍ୱାର ଖୋଲି ଜମିକୁ ପାଣି ଛଡ଼ାଯାଇ ଶୁଭାରମ୍ଭ କରାଯାଇଥିଲା। ଆଉ ଏବେକାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଅଛନ୍ତି। ଅର୍ଣ୍ଣବ ବାତ୍ୟାର ମୁକାବିଲା ଓ ପରିଚାଳନା ପାଇଁ ରାୟଗଡ଼ା ଆସି ପ୍ରାକୃତିକ ସମ୍ଭାର ଭିତରେ ମୁଣ୍ଡ ଟେକିଥିବା ଏହି ବ୍ୟାରେଜକୁ ଦେଖି ଡ୍ୟାମର ଜଳରାଶି ଉପରେ ପର୍ଯ୍ୟଟକମାନେ ଜଳକ୍ରୀଡ଼ା କରିବା ପାଇଁ ଯୋଜନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଡ୍ୟାମ ଏକ ବହୁମୁଖୀ ଡ୍ୟାମ ହୋଇପାରିବ ବୋଲି ଜିଲ୍ଲାବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।
ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଭିନ୍ନ ଅଧ୍ୟାୟ
ଏହି ପ୍ରକଳ୍ପର କାହାଣୀରେ ରହିଛି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଭିନ୍ନ ଅଧ୍ୟାୟ। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ୧୯୯୭ ମସିହାରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ କେନ୍ଦୁଗୁଡ଼ା ଠାରେ ବଡ଼ନାଳ ନାଳ ପ୍ରକଳ୍ପର ଉଦ୍ଘାଟନ କରି ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନର ଦ୍ୱାର ଖୋଲିଥିଲେ। ଆଜିର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଦେଖି ଏହାକୁ ନୂଆ ଦିଗ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ।
ତଥ୍ୟରୁ ଜଣାପଡ଼ିଛି ଯେ, ୧୯୮୦ ମସିହାରେ ଯୋଜନା କମିଶନ ପକ୍ଷରୁ ଅନୁମୋଦନ ପାଇଥିବା ଏହି ପ୍ରକଳ୍ପକୁ ୨୦ ଅକ୍ଟୋବର ୧୯୮୨ରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଥିଲା। ୧୯୯୯ ମସିହାରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ଅଟକଳ ମୂଲ୍ୟ ପ୍ରାୟ ୧୦,୫୮୮.୨୨ ଲକ୍ଷ ଟଙ୍କା ରହିଛି। ୧୯୯୭ ମସିହାରୁ ଏହି ଜଳଭଣ୍ଡାରରୁ ଜଳସେଚନ ପାଣି ଯୋଗାଇ ଦିଆଯାଉଛି। ଏହାର ଜି.ସି.ଏ. ୧୩,୦୬୫ ହେକ୍ଟର ଓ ସି.ସି.ଏ. ୯,୮୭୪ ହେକ୍ଟର। ଖରିଫ ଫସଲ ପାଇଁ ୯,୮୭୪ ହେକ୍ଟର ଏବଂ ରବି ଫସଲ ପାଇଁ ୪,୯୫୦ ହେକ୍ଟର ଜମିରେ ଜଳସେଚନ ହୋଇଛି। ଏହା ଫଳରେ ଗୁଣୁପୁର, ପଦ୍ମପୁର, ରାମନାଗୁଡ଼ା ଓ ଗୁଡାରୀ ବ୍ଲକର ଅନେକ ଚାଷୀଙ୍କ ଜମିରେ ସୁବିଧା ପହଞ୍ଚିଛି ଏବଂ ଧାନ କ୍ଷେତରେ ସୁନା ଫଳୁଛି ।
ଏବେ ଜଳଭଣ୍ଡାର ପାଇବ ପର୍ଯ୍ୟଟନର ନୂଆ ପରିଚୟ
ବର୍ଷା ଋତୁରେ ଚାରିଆଡ଼େ ପାହାଡ଼, ମେଘମାଳା ଓ ଜଳର ମନୋରମ ପରିବେଶ ଏହି ଅଞ୍ଚଳକୁ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିପାରିବ। ଜଳଭଣ୍ଡାରରେ ଆଧୁନିକ ଜଳକ୍ରୀଡ଼ାର ବିପୁଳ ସମ୍ଭାବନା ରହିଛି। ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ନିମନ୍ତେ ସ୍ୱତନ୍ତ୍ର ଜେଟି, ଜେଟ୍ ସ୍କି ଏବଂ ପାରାଗ୍ଲାଇଡିଂ ଭଳି ଆକର୍ଷଣୀୟ ବ୍ୟବସ୍ଥା କରିବା ନେଇ ପ୍ରାଥମିକ ଆଲୋଚନା ହୋଇଛି। ଏଥିସହ ଜଳଭଣ୍ଡାର ମଧ୍ୟରେ ଥିବା ଦ୍ୱୀପରେ ଏକ ସୁଦୃଶ୍ୟ ୱାଚ୍ ଟାୱାର ନିର୍ମାଣ ସହ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ କଟେଜ୍ ଶୈଳୀର ଆବାସ ନିର୍ମାଣର ସମ୍ଭାବନା ମଧ୍ୟ ଅନୁଧ୍ୟାନ କରାଯାଇଛି ।
ଇକୋ-ଟୁରିଜମ ସହ ସ୍ଥାନୀୟଙ୍କ ଜୀବିକାର ବିକାଶ
ଜଳଭଣ୍ଡାର ଓ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ଜଳ ସମ୍ପଦ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବେଳେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ରାୟଗଡ଼ା ବନ ବିଭାଗ ଅଧୀନରେ ରହିଛି। ତେଣୁ ଆଗାମୀ ସମସ୍ତ ବିକାଶମୂଳକ କାର୍ଯ୍ୟ ବନ ସଂରକ୍ଷଣ ଆଇନ, ଜଳଭଣ୍ଡାର ପରିଚାଳନା ନିୟମ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କରାଯିବ। ଇକୋ-ଟୁରିଜମ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି ସେମାନଙ୍କ ଜୀବିକା ଓ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ମଧ୍ୟ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ରହିଛି। ଏକଦା ଯେଉଁ ଜଳଭଣ୍ଡାର ଚାଷୀଙ୍କ ଜମିକୁ ଜଳ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଥିଲା, ଏବେ ସେହି ଜଳଭଣ୍ଡାର ପର୍ଯ୍ୟଟନର ନୂଆ ସମ୍ଭାବନା ନେଇ ଆଗକୁ ବଢ଼ୁଛି ।