ଧୁଷୁରୀ ଥାନା ଅଧିକାରୀଙ୍କୁ ଅଭିଯୋଗପତ୍ର, ପୁଲିସର କଡ଼ା ପଦକ୍ଷେପ ସହ ପାଟ୍ରୋଲିଂ ଦାବି

ଭଦ୍ରକ(ସାକ୍‌ସୀ ନ୍ୟୁଜ୍‌): ଅସୁରାଳି ଅଞ୍ଚଳରେ ବଢ଼ିଚାଲିଥିବା ବେଆଇନ ମଦ କାରବାର, ନିଶାଦ୍ରବ୍ୟ ବ୍ୟବସାୟ ଓ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିକାର କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି। ଏନେଇ ଧୁଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କୁ ଭେଟି ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବେଆଇନ ମଦ କାରବାର ଓ ନିଶାଦ୍ରବ୍ୟ ବ୍ୟବସାୟ ଯୋଗୁଁ ଅଞ୍ଚଳର ସାମାଜିକ ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି ।

ଏହାର କୁପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ିବା ସହ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ ପୁଲିସ ପ୍ରଶାସନ କଡ଼ା ନଜର ରଖିବା ସହ ନିୟମିତ ପାଟ୍ରୋଲିଂ, ଓ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏଥିସହ ଅଞ୍ଚଳରେ ନିଶା କାରବାରକୁ ରୋକିବା ସହ ଏକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ସାମାଜିକ ପରିବେଶ ସୃଷ୍ଟି କରିବାକୁ ପୁଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଏହି ଦାବି ଜଣାଇବାରେ ରମେଶ ଚନ୍ଦ୍ର ବେହେରା, ତ୍ରିଲୋଚନ ଦାଶ, ଭାବରଞ୍ଜନ ମହାନ୍ତି, ଅନିଲ କୁମାର ଦାସ, କାଶୀନାଥ ମହାନ୍ତି ଓ ତୁଷାରକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।