ଧୂଷୁରୀ ଥାନାରେ କାର୍ଯ୍ୟରତ ହୋମ୍‌ଗାର୍ଡ ଆନନ୍ଦ ଚନ୍ଦ୍ର ଜେନାଙ୍କ ଅକାଳ ବିୟୋଗ

ଭଦ୍ରକ/ଅସୁରାଳି(ସାକ୍‌ସୀ ନ୍ୟୁଜ୍‌):  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଧୂଷୁରୀ ଥାନାରେ କାର୍ଯ୍ୟରତ ହୋମ୍‌ଗାର୍ଡ ଆନନ୍ଦ ଚନ୍ଦ୍ର ଜେନା (୪୦)ଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପୋଲିସ ବିଭାଗ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଆଖଣ୍ଡଳମଣି ରାଜ୍ୟ ରାଜପଥର ସୂର୍ଯ୍ୟପୁର ଘେରା ନିକଟସ୍ଥ ଏକ କଲଭର୍ଟ ଉପରେ ଆନନ୍ଦ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମସ୍ତ ଚିକିତ୍ସା ସତ୍ତ୍ୱେ ଆଜି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ତାଙ୍କର ଅକାଳ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ, ସହକର୍ମୀ ଓ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।