ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୟୂରଭଞ୍ଜରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର
ଜାନୁଆରୀ ୨୫ରୁ ଫେବୃଆରୀ ୨୮, ୨୦୨୭ ପର୍ଯ୍ୟନ୍ତ ଚାଲିବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ
୪୦ଟି ପ୍ରଶ୍ନ ଆଧାରରେ ସଂଗ୍ରହ ହେବ ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ
ବାରିପଦା(ସାକ୍ସୀ ନ୍ୟୁଜ୍): ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନାକୁ ସୁଚାରୁ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ, ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ହୋଇଛି। ଏଥିରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ, କରଞ୍ଜିଆ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାସ ଏବଂ ମୟୂରଭଞ୍ଜର ଉପଜିଲ୍ଲା ଜନଗଣନା ଅଧିକାରୀ ମାନସୀ ତରାଇ ଉପସ୍ଥିତ ଥିଲେ। ଜନଗଣନା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାସ ଏବଂ ଜିଲ୍ଲା ଜନଗଣନା ଦାୟିତ୍ୱପ୍ରାପ୍ତ ଅଧିକାରୀ ତନ୍ମୟ ଗୁପ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ପ୍ରଶିକ୍ଷଣରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ, ଚାର୍ଜ କ୍ଲର୍କ ଏବଂ ବୈଷୟିକ ସହାୟକମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜାନୁଆରୀ ୧୦ରୁ ୨୪ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ସ୍ୱୟଂ ଗଣନା ଏବଂ ଜାନୁଆରୀ ୨୫ରୁ ଫେବୃଆରୀ ୨୮, ୨୦୨୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ଜନସଂଖ୍ୟା ଗଣନା କରାଯିବ। ଏହି ପର୍ଯ୍ୟାୟରେ ଜନଗଣନାକାରୀମାନେ ପ୍ରତ୍ୟେକ ପରିବାରକୁ ଯାଇ ନିର୍ଦ୍ଧାରିତ ପ୍ରଶ୍ନାବଳୀ ଅନୁଯାୟୀ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।
ଜନସଂଖ୍ୟା ଗଣନା ସମୟରେ ମୋଟ ଜନସଂଖ୍ୟା, ପରିବାରର ଗଠନ, ବୟସ, ଲିଙ୍ଗ, ଶିକ୍ଷା, ବୃତ୍ତି ସମେତ ବିଭିନ୍ନ ଜନସାଂଖ୍ୟିକ ଓ ସାମାଜିକ ତଥ୍ୟ ସମ୍ପର୍କରେ ମୋଟ ୪୦ଟି ପ୍ରଶ୍ନ ମାଧ୍ୟମରେ ସୂଚନା ସଂଗ୍ରହ କରାଯିବ। ଏହି ତଥ୍ୟ ଦେଶର ଜନସଂଖ୍ୟାଗତ ସ୍ଥିତିର ସଠିକ୍ ଆକଳନ ସହ ଯୋଜନା ପ୍ରସ୍ତୁତି, ସମ୍ବଳ ବଣ୍ଟନ ଏବଂ ଭବିଷ୍ୟତର ବିକାଶମୂଳକ ଆବଶ୍ୟକତା ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଆଧାର ହେବ ବୋଲି କୁହାଯାଉଛି ।