ଗଂଜାମ ଜିଲ୍ଲା ବାତ୍ୟା ‘ଅର୍ଣ୍ଣବ’ର କରାଳ ଆଁରେ ନନ୍ଦିଗୋର ବିଦ୍ୟାଳୟର ପାଞ୍ଚ ଶ୍ରେଣୀ ଗୃହ
ହଜିଛି ପିଲାଙ୍କ ଭବିଷ୍ୟତ, ମାଟିରେ ମିଶିଲା ଶିକ୍ଷାନୁଷ୍ଠାନ…
ଗଂଜାମ(ସାକ୍ସୀ ନ୍ୟୁଜ୍): ଆସିକା ଧରାକୋଟ ବ୍ଲକର ନନ୍ଦୀଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀଗୃହ ଗତ ଅର୍ଣବ ଜନିତ ବନ୍ୟାରେ ଭାଙ୍ଗି ଯାଇଛି। ସମ୍ପ୍ରତି ପିଲାଙ୍କ ପାଠ ପଢା ପାଇଁ ନଅ ଗୋଟି ଶ୍ରେଣୀ ଗୃହର ଆବଶ୍ୟକତା ସ୍ଥଳେ ରହିଛି ମାତ୍ର ଚାରିଟି। ବାଲ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪୮ ଜଣ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ ଓ ଶିକକ। ଗଞ୍ଜାମ ଜିଲ୍ଲାରେ ଗତ ୨୯ ତାରିଖରେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ ଅନେକ ବିଦ୍ୟାଳୟ ନଷ୍ଟ ହୋଇଯାଇଛି। ଧୀରେ ଧୀରେ ବିଦ୍ୟାଳୟ ଗୁଡିକର ସ୍ଥିତିରେ ସୁଧାର ଆସିଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସ୍ୱପ୍ନେଶ୍ୱର ସାହି ପ୍ରାଥମିକ ବିଦ୍ୟାଳୟ ଜାହାଡା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନନ୍ଦିଗୋର ଓ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ହଷ୍ଟେଲ ।
ଆସନ୍ତା ସୋମବାର ଦିନ ଏହି ତିନୋଟି ବିଦ୍ୟାଳୟ କୁ ବାଦ ଦେଇ ବ୍ଲକର ସମସ୍ତ ବିଦ୍ୟାଳୟ ଖୋଲିବ। ବିପର୍ଯ୍ୟୟ କରାଳ ଗ୍ରାସ ମଧ୍ୟରେ ଫସିଥିବା ଶିକ୍ଷାନୁଷ୍ଠାନ ଓ ପିଲାଙ୍କ ଶିକ୍ଷାକୁ ନେଇ ଅଭିଭାବକ ଏବେ ଚିନ୍ତାରେ ଅଛନ୍ତି।1960 ମସିହାରେ ପ୍ରତିଷ୍ଠିତ ଧରାକୋଟ ବ୍ଲକ ଅନ୍ତର୍ଗତ ନନ୍ଦୀଗୋର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାତ୍ୟା ଅର୍ଣ୍ଣବର ବିଭୀଷିକା ଏକ ହୃଦୟବିଦାରକ ଦୃଶ୍ୟ ସୃଷ୍ଟି କରିଛି। ଋଷିକୂଲ୍ୟା ନଦୀର ବନ୍ୟାର ପ୍ରଖର ଜଳ ସ୍ରୋତ ଓ ପ୍ରାୟ ୭ ଫୁଟ ପାଣିରେ ବୁଡି ଯିବା ଫଳରେ ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକ ଓ ପାଚେରୀ ଭାଙ୍ଗିରୁଜି ଯାଇଥିବା ବେଳେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି।ସୂଚନା ଅନୁଯାୟୀ ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଠାରେ ନିୟୋଜିତ ଅଛନ୍ତି। କିନ୍ତୁ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ୮ଟି ଶ୍ରେଣୀଗୃହ ମଧ୍ୟରୁ ୫ଟି ଭାଙ୍ଗିଯାଇଥିବାରୁ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଛି।ବିଦ୍ୟାଳୟ ପରିସରରୁ ଏଯାଏଁ ପଙ୍କ ଓ କାଦୁଅ ସଫା ହୋଇପାରିନାହିଁ ।
ଚାରିଆଡ଼େ ଜମି ରହିଛି ପାଣି ଓ କାଦୁଅ। ବହୁ ସଂଖ୍ୟାରେ ପୁସ୍ତକ, ପୁସ୍ତିକା ଓ ଶିକ୍ଷା ସାମଗ୍ରୀ , ଆସବାବ ପତ୍ର, ଲାଇବ୍ରେରୀ, ରୋଷେଇ ଘର, ଡ୍ରାମା ମଣ୍ଡପ, ଟି ଏଲ ଏମ ଉପକରଣ,ରାସ୍ତା, ଶୌଚାଳୟ ସବୁ ନଷ୍ଟ ହୋଇଯାଇଛି। ଆଗକୁ ପରୀକ୍ଷା ଥିବା ବେଳେ କେବେ ଓ କିପରି ସ୍ୱାଭାବିକ ଭାବେ ପାଠପଢ଼ା ଆରମ୍ଭ ହେବ,ତାହାକୁ ନେଇ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି।ବାତ୍ୟାରେ ଘରଦ୍ୱାର ଭାଙ୍ଗିବା ସହ ବିଦ୍ୟାଳୟ ଭଳି ଭବିଷ୍ୟତ ଗଢ଼ିବାର ମନ୍ଦିର କ୍ଷତିଗ୍ରସ୍ତ ହେବା ଅଞ୍ଚଳବାସୀଙ୍କୁ ଗଭୀର ମର୍ମାହତ କରିଛି। ତେଣୁ ପ୍ରଶାସନ ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଭଙ୍ଗା ଶ୍ରେଣୀଗୃହର ମରାମତି, ବିଦ୍ୟାଳୟ ପରିସରରୁ ପଙ୍କ ଓ କାଦୁଅ ସଫା କରିବା ସହ ନଷ୍ଟ ହୋଇଥିବା ଶିକ୍ଷା ସାମଗ୍ରୀର ପୁନଃ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।