ଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ‘ୱାମିସ୍’
୭୦୦ରୁ ଊର୍ଦ୍ଧ୍ୱ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଡିଜିଟାଲ୍ ପ୍ରକଳ୍ପ ଓ ଆର୍ଥିକ ପରିଚାଳନା ପ୍ରଶିକ୍ଷଣ…
ଭୁବନେଶ୍ୱର(ସାକ୍ସୀ ନ୍ୟୁଜ୍): ରାଜ୍ୟର ଜଳ ସମ୍ପଦ କ୍ଷେତ୍ରରେ ସ୍ୱଚ୍ଛତା, ଦକ୍ଷତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ୱାର୍କସ୍ ଆଣ୍ଡ ଆକାଉଣ୍ଟସ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍’ (ୱାମିସ୍) ମାଧ୍ୟମରେ ଡିଜିଟାଲ୍ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏହି ବ୍ୟବସ୍ଥା ଅଧୀନରେ ପ୍ରକଳ୍ପ ପରିଚାଳନା, ଆର୍ଥିକ ପ୍ରଶାସନ ଓ କାର୍ଯ୍ୟର ଅନୁଧ୍ୟାନକୁ ଏକକ ଡିଜିଟାଲ୍ ପ୍ଲାଟଫର୍ମରେ ସମନ୍ୱିତ କରାଯାଇଛି। ଏହି ପଦକ୍ଷେପର ଅଂଶସ୍ୱରୂପ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୨୫ଟି ପ୍ରଶିକ୍ଷଣ ଅଧିବେଶନ ମାଧ୍ୟମରେ ୭୦୦ରୁ ଊର୍ଦ୍ଧ୍ୱ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ବଜେଟ୍ ପରିଚାଳନା, ପ୍ରକଳ୍ପ ଯୋଜନା ଓ ଅନୁମୋଦନ, କାର୍ଯ୍ୟ ସମ୍ପାଦନ, ବିଲ୍ ପ୍ରସ୍ତୁତି, ହିସାବରକ୍ଷଣ, ଟ୍ରେଜେରୀ ସମନ୍ୱୟ ଏବଂ ଡ୍ୟାସ୍ବୋର୍ଡ ମାଧ୍ୟମରେ କାର୍ଯ୍ୟ ଅନୁଧ୍ୟାନ ଆଦି ବିଷୟ ସାମିଲ ରହିଛି ।
ୱାମିସ୍ ମାଧ୍ୟମରେ ପ୍ରକଳ୍ପର ଭୌତିକ ଅଗ୍ରଗତି ସହ ଆର୍ଥିକ ବ୍ୟୟର ନିରନ୍ତର ଅନୁଧ୍ୟାନ ସମ୍ଭବ ହୋଇପାରୁଛି। ଏହାର ମୋବାଇଲ୍ ଆଧାରିତ ଯାଞ୍ଚ ବ୍ୟବସ୍ଥା ଜିଓ-ଟ୍ୟାଗ୍ ଫଟୋ ସହ କ୍ଷେତ୍ରସ୍ତରରେ କାର୍ଯ୍ୟର ସ୍ଥିତି ଯାଞ୍ଚ କରିବାରେ ସହାୟକ ହେଉଛି। ସରକାରୀ ଇ-ପ୍ରୋକ୍ୟୁରମେଣ୍ଟ୍ ପ୍ଲାଟଫର୍ମ (GePNIC) ସହ ୱାମିସ୍ର ସମନ୍ୱୟ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଅଧିକ ସରଳ ଓ ସ୍ୱଚ୍ଛ ହୋଇପାରିଛି। ଟେଣ୍ଡର ପୂର୍ବବର୍ତ୍ତୀ ତଥ୍ୟ ଓ କାର୍ଯ୍ୟାଦେଶ ସମ୍ପର୍କିତ ବିବରଣୀର ଡିଜିଟାଲ୍ ଆଦାନପ୍ରଦାନ ଦ୍ୱାରା ପୁନରାବୃତ୍ତି ତଥ୍ୟ ଏଣ୍ଟ୍ରି ଓ ମାନବୀୟ ତ୍ରୁଟି ହ୍ରାସ ପାଉଛି ।
ଏହାସହ ୱାମିସ୍ର ଏଜେନ୍ସି ଇଣ୍ଟରଫେସ୍ କାର୍ଯ୍ୟକ୍ଷମ ହୋଇଛି। ଏହା ମାଧ୍ୟମରେ ଠିକାଦାରମାନେ କାର୍ଯ୍ୟ ଯୋଜନା, ମାପ ଦାବି, ଜିଏସ୍ଟି ଇନଭଏସ୍ ଓ ଅନ୍ୟାନ୍ୟ ଆବଶ୍ୟକ ଆବେଦନ ଡିଜିଟାଲ୍ ମାଧ୍ୟମରେ ଦାଖଲ କରିପାରୁଛନ୍ତି। ମହାଲେଖାକାରଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଟ୍ରେଜେରୀ ସହ ସମନ୍ୱୟ ଦ୍ୱାରା ହିସାବର ମେଳକ ଓ ଆର୍ଥିକ ରିପୋର୍ଟିଂ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହୋଇଛି। ଡିଜିଟାଲ୍ ଅଡିଟ୍ ଟ୍ରେଲ୍, ସ୍ୱୟଂଚାଳିତ ରିପୋର୍ଟିଂ ଓ ରିଅଲ୍-ଟାଇମ୍ ଡ୍ୟାସ୍ବୋର୍ଡ ମାଧ୍ୟମରେ ପ୍ରକଳ୍ପର ଅଗ୍ରଗତି, ବଜେଟ୍ ବିନିଯୋଗ ଓ କାର୍ଯ୍ୟାନ୍ୱୟନର ସ୍ଥିତି ଅନୁଧ୍ୟାନ କରାଯାଇପାରୁଛି। ଏହା ଫଳରେ ମାନୁଆଲ୍ ପ୍ରକ୍ରିୟା ହ୍ରାସ ପାଇବା ସହ ନିଷ୍ପତ୍ତି ଗ୍ରହଣରେ ଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ପାଉଛି। ଜନସାଧାରଣଙ୍କ ଅର୍ଥର ସୁବିନିଯୋଗ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଦକ୍ଷ ପରିଚାଳନା ଦିଗରେ ୱାମିସ୍ ଏକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପଦକ୍ଷେପ ଭାବେ ଉଭା ହୋଇଛି ।