ଭାରତ ସରକାରଙ୍କ ସହିତ ମିତ୍ରତା ସ୍ଥାପନ କରିବାକୁ ଚାହୁଁଛି ଆଫଗାନିସ୍ତାନର ତାଲିବାନ ସରକାର । ତାଲିବାନ ବିଦେଶ ମନ୍ତ୍ରୀ ଅମୀର ଖାନ ମୁତାକି ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଆପଣମାନେ ଜାଣିଲେ ଆଦୌ ସନ୍ତୁଷ୍ଟ ହେବେନି, ଅପରେସନ୍ ସିନ୍ଦୁର ପରେ ପରେ ଭାରତ-ପାକ୍ ଯୁଦ୍ଧ ଘନଘଟା ସମୟରେ ରୁଷିଆ ଭଳି ଘନିଷ୍ଠ ବନ୍ଧୁ ଭାରତ ମୁହଁକୁ ଚାହିଁ ନଥିବା ବେଳେ ଏକମାତ୍ର ତାଲିବାନ ଭାରତକୁ ସମର୍ଥନ କରିଥିଲା ।
ଭାରତ ସରକାରଙ୍କ ନିକଟରୁ ଔପଚାରିକ ଭାବେ ଅନୁମତି ପାଇବା ପରେ ନୂଆଦିଲ୍ଲୀରେ ପାଦ ପକାଇବ ଆଫଗାନିସ୍ତାନର ତାଲିବାନ ସରକାର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜାରି କଟକଣା ଏବେ ମଧ୍ୟ ତାଲିବାନ ସଂଗଠନ ଉପରୁ ହଟିନାହିଁ ।
ୟୁଏନ୍ କଟକଣା ମୁତାବକ ତାଲିବାନ ସରକାର ଆପଣା ଇଚ୍ଛା ମୁତାବକ ବିଦେଶ ଯାତ୍ରା କରିପାରିବନି । ଆଶ୍ରଫ୍ ଘନି ସରକାରଙ୍କୁ ବଳପୂର୍ବକ ହଟାଇ ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ସଂଗଠନ ପ୍ରତି ବିଶ୍ୱାସ ଓ ଭରସା କରିପାରୁନି ମିଳିତ ଜାତିସଂଘ ।
ଆତଙ୍କବାଦକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଚାହୁଁଥିବା ଭାରତ ସରକାରଙ୍କ ପକ୍ଷେ ଆତଙ୍କୀ ସରକାରକୁ ସ୍ୱାଗତ କରିବା କେତେ ଦୂର ଠିକ ହେବ, ତାହାକୁ ଭଲ ଭାବରେ ବିଚାର କରନ୍ତୁ ମୋଦୀ ସରକାର ।
ତାଲିବାନ ସଂଗଠନ ଓ ତାଲିବାନ ସରକାରଙ୍କ ଭିତରେ କିଛି ଫରକ ନାହିଁ । ତାଲିବାନ ସରକାରଙ୍କ ବିଦେଶ ଯାତ୍ରା ୧୯୮୮ ମସିହାରୁ ପାକିସ୍ତାନ ମର୍ଜି ଉପରେ ନିର୍ଭର କରିଆସୁଛି ।
ମିଳିତ ଜାତିସଂଘ ଗଠିତ ୧୫ ଜଣିଆ କମିଟିରେ ୧୯୮୮ ମସିହାରୁ ପାକିସ୍ତାନ ରହିଆସିଛି । ମିଳିତ ଜାତିସଂଘ ନିୟମ ଅନୁସାରେ ୧୫ ଜଣ ସଭ୍ୟ ଦେଶ ଭିତରୁ କେହି ଜଣେ ପ୍ରସ୍ତାବିତ ଯାତ୍ରା ବିଲକୁ ବିରୋଧ କଲେ, ତାହା ଖାରଜ ହୋଇଯିବ ।