ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତ ଶେଷ

ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ…

ବାରିପଦା,(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଏବଂ ଆୟୋଗର ସଦସ୍ୟା କସ୍ତୁରୀ ମିଶ୍ରଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଗସ୍ତ କାଳରେ ସେମାନେ ଜିଲ୍ଲାର ବିଭିନ୍ନ ଶିଶୁ ସୁରକ୍ଷା, ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ ଓ ଯତ୍ନ ସମ୍ପର୍କିତ ବ୍ୟବସ୍ଥାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ ।

ଗସ୍ତର ଶେଷ ଦିନରେ ଅଧ୍ୟକ୍ଷା ଓ ସଦସ୍ୟା ବାରିପଦାସ୍ଥିତ ଉତ୍କଳ ବାଳାଶ୍ରମ, ଚନ୍ଦାବିଲାସ୍ଥିତ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ‘ଆମ କଳିକା’, ଗୁହାଳଡିହାସ୍ଥିତ ଆମ ଅଙ୍ଗନବାଡ଼ି କେନ୍ଦ୍ର ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କାକବନ୍ଦ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଶିଶୁମାନଙ୍କ ସୁରକ୍ଷା, ନିରାପତ୍ତା, ରହଣି, ଯତ୍ନ, ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍-ପ୍ରାଥମିକ ଶିକ୍ଷା ସମ୍ପର୍କିତ ବ୍ୟବସ୍ଥା ଏବଂ ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟରେ ଶିକ୍ଷା, ରହଣି ଓ ସୁରକ୍ଷିତ ପରିବେଶ ସମ୍ପର୍କରେ ଅଧ୍ୟକ୍ଷା ଅନୁଧ୍ୟାନ କରିଥିଲେ। ଶିଶୁମାନଙ୍କ ଅଧିକାର, ସୁରକ୍ଷା, ସମ୍ମାନ ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ସହିତ ସେମାନଙ୍କ ପାଇଁ ଉତ୍ତମ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ଉପରେ ମାନ୍ୟବର ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ ।

ଏହି ଗସ୍ତ ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଞ୍ଜୁକ୍ତା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳଙ୍କ ସମେତ ସଂପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।