ମୟୂରଭଞ୍ଜ(ସାକ୍ସୀ ନ୍ୟୁଜ୍): କଂଗ୍ରେସ ଦଳ ନେତୃତ୍ୱରେ ଇଣ୍ଡିମେଣ୍ଟ ଆହ୍ଵାନରେ ଦିଆ ଯାଇଥିବା ବନ୍ଦ ଡାକରା ମୟୂରଭଞ୍ଜ ଜିଲ୍ଲାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ଶାସନରେ ପେସିହୋଇ ଅତିଷ୍ଠ ହୋଇ ପଡିଥିବା ସାଧାରଣ ଲୋକମାନେ ମଧ୍ୟ ବନ୍ଦକୁ ଅକୁଣ୍ଠ ସମର୍ଥନ ଦେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଆଗକୁ ଏକ ବଡ଼ ପରିବର୍ତ୍ତନର ବାର୍ତ୍ତାବହ ସାଜିବାକୁ ଯାଉଥିବା ଅନୁମାନ କରାଯାଉଛି। ତେବେ ଆଜି କଂଗ୍ରେସ ଦଳ ନେତୃତ୍ୱରେ ପାଳିତ ହେଉଥିବା ବନ୍ଦ ଡାକରାରେ ଏମଏମଡିଆର ଆଇନ ରବ୍ଦ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଦାବିରେ ଆଜି ଗୁରୁବାର ଦିନ ସକାଳ ୬ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବାର ଘଣ୍ଟିଆ ଓଡିଶା ବନ୍ଦ ଡାକରା ଇଣ୍ଡିଆ ବ୍ଲକ ତରଫରୁ ଦିଆଯାଇଥିବା ବେଳେ ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରୁ ଆରମ୍ଭ କରି ଜିଲ୍ଲାର ୨୬ଟି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ।
ଅନ୍ୟପଟେ ଦଳୀୟ ନେତାଙ୍କ ମଧ୍ୟରେ ପୂର୍ବରୁ ଦେଖାଯାଉଥିବା ମନମାଲିନ୍ୟ,ମନାନ୍ତର,ମତାନ୍ତର ଭୁଲି ଜନସ୍ବାର୍ଥକୁ ଅଗ୍ରାଧିକାର ଦେଇ ଏକଜୁଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ବନ୍ଦର ପ୍ରଭାବରେ ରାସ୍ତାରେ ଗାଡ଼ି ମଟର ଚଳାଚଳ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି। ତେବେ ବନ୍ଦ ଡାକରା ପାଇଁ ପୂର୍ବରୁ ସାଧାରଣରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଇ ଥିବାରୁ ବନ୍ଦ ପାଇଁ ସମସ୍ୟା ସୃଷ୍ଟି କରିବା ବଦଳରେ ଜନସାଧାରଣ ସମର୍ଥନ ଦେଉଥିବା ଭଳି ଘଟଣା ବାସ୍ତବରେ ପରିବର୍ତ୍ତନର ଆହ୍ବାନକୁ ସ୍ଵୀକାର କରୁଥିବା ଅନୁଭବ ହେଉଛି । ମାତ୍ର ଏହି ବନ୍ଦର ବ୍ୟାପକ ପ୍ରଭାବ ମୋରଡା ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ।
ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସ କର୍ମୀ ଚିତ୍ରଡା ଏନଏସି ଅନ୍ତର୍ଗତ ଶୀର୍ଷାପାଳ ଛକରେ ଏକତ୍ରିତ ହୋଇ ପରେ ଚିତ୍ରଡା, ମୋରଡା, ଝିଙ୍କିରିଆ, ବାରମାଇଲ ଏବଂ ବ୍ଲକର ଅନ୍ୟ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ସ୍କୁଲ, କଲେଜ, ଦୋକାନ ବଜାର ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିଥିଲେ। ଉକ୍ତ ବନ୍ଦରେ ବ୍ଲକର ବରିଷ୍ଠ କଂଗ୍ରେସ ନେତା ମୋହନ ଦାସ, ରାଜଶ ପଢିହାରୀ,ସେକ. ମୁସ୍ତଫା,ମୋରଡା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତାପସରଞ୍ଜନ ରାଉତ,ଶୁଭ କୁମାର ମହାନ୍ତ, ଅସିତ କୁମାର ବେହେରା ପ୍ରମୁଖ ସାମିଲ ଥିଲା ବେଳେ ନୂତନ ଭାବେ ଜିଲ୍ଲା କମିଟିରେ ସାମିଲ ହୋଇଥିବା ଯୁବନେତା ସ୍ମାରକ ମାଝିଙ୍କର ନେତୃତ୍ୱ ବେଶ ପ୍ରଭାବଶାଳୀ ରହିଥିବା ଲକ୍ଷ୍ୟ କରାଯାଇଥିଲା ।