ଭାରତର ଏହି ଅଂଚଳରେ ରୁହନ୍ତି ରାବଣଙ୍କ ବଂଶଧର

ଭାରତର ଏହି ଅଂଚଳରେ ବସବାସ କରୁଛନ୍ତି ରାକ୍ଷସ ରାଜା ରାବଣଙ୍କ ବଂଶଧର ।

ଦଶହରା ଅବସରରେ ଭାରତର ସବୁ ରାଜ୍ୟର ଲୋକମାନେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରନ୍ତି ଓ ରାବଣର ପିତୁଳାରେ ନିଅାଁ ଲଗାଇ ଅଧର୍ମ ଉପରେ ଧର୍ମର ବିଜୟକୁ ସ୍ମରଣୀୟ କରନ୍ତି ।

ରାବଣ ପିତୁଳା ଜଳିବା କ୍ଷଣି ଲୋକମାନେ ଜୟ ଶ୍ରୀରାମ ଜୟ ହନୁମାନ ନାରା ଲଗାନ୍ତି । ସେହି ନାରାକୁ ଶୁଣିବା ମାତ୍ରେ କ’ଣ କରନ୍ତି ରାବଣ ବଂଶଧର?

ଯୋଧପୁରରୁ ମେହରାନଗଡ଼ ବନାଂଚଳକୁ ପଡ଼ିଥିବା ରାସ୍ତାର ଗୋଟିଏ ପାଖରେ ରୁହନ୍ତି ଦାବେ ଗୋଧା ସମୁଦାୟ ।

ସଂପୃକ୍ତ ଜନଜାତି ସମୁଦାୟ ନିଜକୁ ଶ୍ରିମାଳି ବ୍ରାହ୍ମଣ ଦାବି କରନ୍ତି ଓ ରାବଣ ବଂଶଜ ବୋଲାନ୍ତି । ପ୍ରତିବର୍ଷ ଦଶହରା ସମୟରେ ରାବଣ ପିତୁଳା ପୋଡ଼ି ଦେଖିବା ପରେ ସଂପୃକ୍ତ ସମୁଦାୟର ଲୋକମାନେ ନଦୀ, ଗଡ଼ିଆ, ପୋଖରୀକୁ ଯାଇ ଶ୍ରାଦ୍ଧକର୍ମ କରନ୍ତି ।

ବ୍ରାହ୍ମଣକୁ ଡାକି ନଖ କେଶ ଦାନ କରିବା ପରେ ଗାଧୁଆ ପାଧୁଆ ସାରି ପଇତା ବଦଳାନ୍ତି । ଘରକୁ ଯାଇ ରାକ୍ଷସରାଜ ରାବଣ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରନ୍ତି ।

ସେହି ଗ୍ରାମରେ ଛୋଟିଆ ମନ୍ଦିରଟିଏ ଅଛି । ମନ୍ଦିର ଭିତରେ ରାବଣର ପ୍ରତିମା ପୂଜା ପାଉଛନ୍ତି ।

ଯୋଧପୁର ସହିତ ରାବଣଙ୍କର ରହିଥିବା ସଂପର୍କକୁ ଉଜାଗର କରି ମନ୍ଦିର ପୂଜକ କମଲେଶ ଦାବେ କହନ୍ତି, ଯୋଧପୁର ନିକଟରେ ଅବସ୍ଥିତ ଆଜିର ମଣ୍ଡୋର ଅତୀତରେ ମଣ୍ଡାୱାର ନାମରେ ବିଖ୍ୟାତ ଥିଲା ।

ମଣ୍ଡାୱାର ରାଜା ମୟାସୁରଙ୍କ ଝିଅ ମନେ୍ଦାଦରୀଙ୍କୁ ବିବାହ କରିଥିଲେ ଲଙ୍କାପତି ରାବଣ ।

ରାବଣଙ୍କ ବରଯାତ୍ରୀଙ୍କ ଗହଣରେ ଆସିଥିବା କିଛି ଲୋକ ମଣ୍ଡାୱରରେ ସ୍ଥାୟୀ ବସବାସ କରିବା ପାଇଁ ମନ ବଳାଇଲେ । ମୟାସୁର ସେମାନଙ୍କ ପାଇଁ ଜମିବାଡ଼ି ଖଞ୍ଜି ଦେଇଥିଲେ ।

ଯୋଧପୁର ସହରଠାରୁ ପ୍ରାୟ ୧୧ କିଲୋମିଟର ଦୂରରେ ରାବଣର ବିବାହ ଅନୁଷ୍ଠିତ ହୋଇଥିଲା ।

ରାବଣ ସାଧାରଣ ଦାନବ ନଥିଲେ, ରାବଣ ଜଣେ ନୈଷ୍ଠିକ ବେଦଜ୍ଞ ବ୍ରାହ୍ମଣ ଥିଲେ । କଠୋର ତପସ୍ୟା ବଳରେ ରାବଣ ଅଜେୟ ଥିଲେ । ସୀତାଙ୍କୁ ଅପହରଣ କରି ରାବଣ ଅପଯଶ ମୁଣ୍ଡାଇଛନ୍ତି ।

ରାବଣ ଭଲ ବୀଣା ବାଦକ ଥିଲେ । ମନ୍ତ୍ର ବଳରେ ରାବଣ ସାରା ଦୁନିଆକୁ ନଚାଉଥିଲେ ।

ପ୍ରଜାପିତା ବ୍ରହ୍ମା ଲଙ୍କା ଯାଇ ରାକ୍ଷସ ରାଜ ରାବଣଙ୍କ ନିକଟକୁ ଆସି କିଛି ଗୂଢ଼ ବିଦ୍ୟା ଶିଖିଥିବା କଥା କହନ୍ତି ପୂଜକ କମଲେଶଙ୍କ ପୁଅ ଅଜୟ ଦାବେ ।

୨୦୦୮ ମସିହାରେ ରାବଣ ମନ୍ଦିରଟି ତିଆରି କରାଯାଇଛି । ମନ୍ଦିରରେ ରାବଣଙ୍କ ପ୍ରତିମା, ମନେ୍ଦାଦରୀଙ୍କ ପ୍ରତିମା ଓ ରାବଣଙ୍କ କୁଳଦେବୀଙ୍କ ପ୍ରତିମା ପୂଜା ପାଉଛନ୍ତି ।