ରାଜ୍ୟରେ ଦୁଷ୍କର୍ମକାରୀଙ୍କ କବଳରୁ ବାଦ ପଡୁନାହାନ୍ତି ଶିକ୍ଷୟିତ୍ରୀ, ମହିଳା ପୁଲିସ
ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧିକ କାର୍ଯ୍ୟକଳାପ ଚିନ୍ତାଜନକ ଥିବାରୁ କଂଗ୍ରେସ ମହିଳା ମୋର୍ଚ୍ଚା ତୀବ୍ର ପ୍ରତିବାଦ କରିଛି ।
୨୦୨୪ ଜୁନରୁ ୨୦୨୫ ଜୁଲାଇ ଭିତରେ ପ୍ରାୟ ୩୭ ହଜାର ୬୧୧ଟି ମହିଳା ବିରୋଧୀ ଅପରାଧିକ ମାମଲା ରୁଜୁ ହୋଇଥିବାର ସୂଚନା ପାଇବା ପରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା ।
ବୁଧବାର ଦିନ କଂଗ୍ରେସର ଶତାଧିକ ମହିଳା କର୍ମୀ ଲୋୟର ପିଏମଜି ଛକ ନିକଟରେ ମୋହନ ସରକାରଙ୍କ ବିରୋଧରେ ମେଳି କରିଥିଲେ । ମହିଳାଙ୍କ ମେଳି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିଲେ ।
ମାତ୍ର ପୁଲିସ କମିଶନରେଟ୍ ସେମାନଙ୍କ ବାଟ ଓଗାଳି ଥିଲା । କିଛି ମହିଳା ନେତ୍ରୀ ଓ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା ।
ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ମୋହନ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ନାରୀ ନେତ୍ରୀମାନେ ଅଭିଯୋଗ କରିଥିଲେ ।
ରାଜ୍ୟରେ ପ୍ରତିଷ୍ଠିତ ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତ କରିବାକୁ ସରକାର ଅକ୍ଷମ ।
ବିଜେପି ସରକାରଙ୍କ ଅମଳରେ ରାଜ୍ୟର ଶିକ୍ଷୟିତ୍ରୀ, ଛାତ୍ରୀ, ମହିଳା ପୁଲିସ ଦୁଷ୍କର୍ମର ଶିକାର ହେଉଥିବା ବିଷୟଟି ଅତ୍ୟନ୍ତ ପରିତାପର ବିଷୟ ବୋଲି କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନିପତି କହିଛନ୍ତି ।