ଜାତୀୟ ପୋର୍ଟାଲ ଜନ ସମର୍ଥ ଶୁଭାରମ୍ଭ: ମୁଦ୍ରା ସିରିଜ ଉନ୍ମୋଚନ
ଅଧିକ ଜନ ଭାଗିଦାରୀ କାରଣରୁ ଦେଶର ବିକାଶଧାରା ତ୍ୱରାନ୍ୱିତ ହୋଇଛି ଏବଂ ଦରିଦ୍ରତମ…
ନୂଆଦିଲ୍ଲୀ : ଅଧିକ ଜନ ଭାଗିଦାରୀ କାରଣରୁ ଦେଶର ବିକାଶଧାରା ତ୍ୱରାନ୍ୱିତ ହୋଇଛି ଏବଂ ଦରିଦ୍ରତମ ବ୍ୟକ୍ତିଙ୍କ ସଶକ୍ତିକରଣ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ କଏନର ସ୍ୱତନ୍ତ୍ର ସିରିଜ ଉନ୍ମୋଚନ କରିଥିଲେ ।
ଏହି ସିରିଜର କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିଛି ଏବଂ ଏହାକୁ ଦୃଷ୍ଟିହୀନ ଲୋକମାନେ ସହଜରେ ଚିହ୍ନଟ କରିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆମେ ସମସ୍ତେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ । ତେଣୁ ପ୍ରତ୍ୟେକ ଦେଶବାସୀ ନିଜ ନିଜ ସ୍ତରରେ ଦେଶ ପାଇଁ କୌଣସି ବିଶେଷ ଯୋଗଦାନ ଦେବାର ଆବଶ୍ୟକତା ରହିଛି । ନୂଆ ଉତ୍ସାହ ସହିତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ସାକାର ପାଇଁ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ପ୍ରତି ନିଜକୁ ସମର୍ପିତ କରିବା ଲାଗି ଏବେ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।